Woman Plots Father-In-Law's Murder: ଘରର ସିସିଟିଭି ନଜର ହେଲା କାଳ, ଶ୍ୱଶୁର ହତ୍ୟା ଷଡ଼ଯନ୍ତ୍ରରେ ବୋହୂ ଗିରଫ!
କାନପୁରରେ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ। ଘରେ ଲାଗିଥିବା ସିସିଟିଭି ନଜରଦାରୀ, ରାତିରେ ବାହାରକୁ ଯିବାକୁ ବାରଣ ଏବଂ ଛୋଟ ଖର୍ଚ୍ଚ ପାଇଁ ବି ଶ୍ୱଶୁରଙ୍କୁ ଟଙ୍କା ମାଗିବାକୁ ପଡ଼ୁଥିବାରୁ ଜଣେ ବୋହୂ ଅସନ୍ତୁଷ୍ଟ ଥିବା ଅଭିଯୋଗ ହୋଇଛି। ଏହି ପାରିବାରିକ ବିବାଦ ଶେଷରେ ହତ୍ୟା ଷଡ଼ଯନ୍ତ୍ରର ରୂପ ନେଇଥିବା ପୋଲିସ ତଦନ୍ତରୁ ଜଣାପଡ଼ିଛି।
କାନପୁରରେ ୬୩ ବର୍ଷୀୟ ଫାର୍ମାସ୍ୟୁଟିକାଲ ବ୍ୟବସାୟୀ ବିନୀତ ମିନୋଚାଙ୍କୁ ତାଙ୍କ ଫ୍ଲାଟ୍ ଭିତରେ ଛୁରୀରେ ଆକ୍ରମଣ କରି ହତ୍ୟା କରାଯାଇଥିଲା। ଶରୀରରେ ୨୬ଟି ଛୁରା ଆଘାତ ମିଳିଥିଲା। ସିସିଟିଭି ଯାଞ୍ଚ ପରେ ପୋଲିସ ପୂର୍ବତନ ଘରୋଇ କର୍ମଚାରୀ ବିଶାଳ ଓ ତାଙ୍କ ସହଯୋଗୀ ରାଜକିଶୋରଙ୍କୁ ଗିରଫ କରିଥିଲା।
ତଦନ୍ତରେ ବଡ଼ ଖୁଲାସା କରି ବିଶାଳ ଅଭିଯୋଗ କରିଛି ଯେ, ମିନୋଚାଙ୍କ ୩୬ ବର୍ଷୀୟ ବୋହୂ ଶାଲୁଙ୍କ ନିର୍ଦ୍ଦେଶରେ ହତ୍ୟା କରାଯାଇଥିଲା। ଏଥିପାଇଁ ୬ ଲକ୍ଷ ଟଙ୍କା ଦେବାକୁ ଶାଲୁ ପ୍ରତିଶ୍ରୁତି ଦେଇଥିବା ପୋଲିସ କହିଛି। ଶାଲୁଙ୍କୁ ହେପାଜତରେ ନେଇ ପଚରାଉଚରା ପରେ ସେ ନିଜ ସମ୍ପୃକ୍ତି ସ୍ୱୀକାର କରିଥିବା ତଦନ୍ତକାରୀମାନେ ଦାବି କରିଛନ୍ତି।
ପୋଲିସ ଅନୁସାରେ, ଶାଲୁଙ୍କ ଘରେ ରହିବା ଓ ବାହାରକୁ ଯିବା ଉପରେ ଶ୍ୱଶୁରଙ୍କ କଡ଼ା ନଜର ଥିଲା। ଏପରିକି ଛୋଟ ଛୋଟ ଖର୍ଚ୍ଚ ପାଇଁ ମଧ୍ୟ ତାଙ୍କୁ ଶ୍ୱଶୁରଙ୍କୁ ଟଙ୍କା ମାଗିବାକୁ ପଡ଼ୁଥିଲା। ଜୁଲାଇ ୨୮ରେ ଏକ ପାର୍ଟିରୁ ବିଳମ୍ବରେ ଫେରିବା ପରେ ଶ୍ୱଶୁର-ବୋହୂଙ୍କ ମଧ୍ୟରେ ତୀବ୍ର ଯୁକ୍ତିତର୍କ ହୋଇଥିବା ତଦନ୍ତରୁ ଜଣାପଡ଼ିଛି।
ଅଭିଯୋଗ ଅନୁସାରେ, ଏହାପରେ ଶାଲୁ ବିଶାଳଙ୍କୁ ଯୋଗାଯୋଗ କରି ୬ ଲକ୍ଷ ଟଙ୍କାରେ ହତ୍ୟା ପାଇଁ ଚୁକ୍ତି କରିଥିଲେ। ଫ୍ଲାଟ୍ର ଡୁପ୍ଲିକେଟ୍ ଚାବି ମଧ୍ୟ ତାଙ୍କୁ ଦିଆଯାଇଥିଲା। ଶନିବାର ରାତିରେ ଶାଲୁ ସ୍ୱାମୀ ଓ ପିଲାଙ୍କ ସହ ପାର୍ଟିକୁ ଯିବା ପରେ ବିଶାଳ ଓ ରାଜକିଶୋର ଫ୍ଲାଟ୍ରେ ପ୍ରବେଶ କରିଥିଲେ।
ପ୍ରଥମେ ତକିଆରେ ମୁହଁ ଚାପି ହତ୍ୟା କରି ଏହାକୁ ହୃଦଘାତ ଭଳି ଦେଖାଇବା ଯୋଜନା ଥିବା ପୋଲିସ କହିଛି। କିନ୍ତୁ ମିନୋଚା ଘରକୁ ଆସିଯିବା ପରେ ଯୋଜନା ବଦଳିଯାଇଥିଲା ଏବଂ ତାଙ୍କ ଉପରେ ଛୁରୀରେ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି।
ରାତି ପ୍ରାୟ ୩ଟାରେ ଶାଲୁ ଓ ତାଙ୍କ ସ୍ୱାମୀ ଘରକୁ ଫେରି ମିନୋଚାଙ୍କୁ ରକ୍ତାକ୍ତ ଅବସ୍ଥାରେ ପାଇଥିଲେ ଏବଂ ପରେ ପୋଲିସକୁ ଖବର ଦେଇଥିଲେ। ଘରୁ କୌଣସି ମୂଲ୍ୟବାନ ସାମଗ୍ରୀ ଚୋରି ହୋଇନଥିବାରୁ ଆରମ୍ଭରୁ ହିଁ ଏହା ଲୁଟ୍ ପାଇଁ ହତ୍ୟା ନୁହେଁ ବୋଲି ପୋଲିସ ସନ୍ଦେହ କରିଥିଲା।
ବର୍ତ୍ତମାନ ଶାଲୁ ଜେଲ୍ରେ ଥିବାବେଳେ, ମିନୋଚାଙ୍କ ପୁଅ ସୁବ୍ରତଙ୍କୁ ମଧ୍ୟ ପୋଲିସ ପଚରାଉଚରା କରୁଛି। ଷଡ଼ଯନ୍ତ୍ର ସମ୍ପର୍କରେ ସେ ଜାଣିଥିଲେ କି ନାହିଁ, ତାଙ୍କର କୌଣସି ଭୂମିକା ଥିଲା କି ନାହିଁ—ଏନେଇ କଲ୍ ରେକର୍ଡ ଯାଞ୍ଚ ଜାରି ରହିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।