Woman Suicide Attempt: ପ୍ରେମ ପରେ ପ୍ରତାରଣା! ପ୍ରେମିକ ଘର ଆଗରେ ନିଜ ଦେହରେ ନିଆଁ ଲଗାଇ ଗୁରୁତର
ପ୍ରଥମେ ପ୍ରେମ ପରେ ପ୍ରତାରଣା। ତାପରେ ନିଜ ଦେହରେ କିରୋସିନ ଢାଳି ଜୀବନ ହାରିବାକୁ ଉଦ୍ୟମ କରିଛନ୍ତି ଯୁବତୀ। ପ୍ରେମିକ ଘର ଆଗରେ ଜଣେ ଯୁବତୀ ନିଜ ଦେହରେ କିରୋସିନ ଢାଳି ଜୀବନ ହାରିଦେବାକୁ ଉଦ୍ୟମ କରିଛନ୍ତି। ଗୁରୁତର ଅବସ୍ଥାରେ ଯୁବତୀଙ୍କୁ ଇସ୍ପାତ ଜେନେରାଲ ହସ୍ପିଟାଲର ପ୍ଲାଷ୍ଟିକ ସର୍ଜରୀ ବିଭାଗରେ ଚିକିତ୍ସା କରାଯାଉଛି। ଏହି ଘଟଣା ରାଉରକେଲାର ଝିରପାଣି ଥାନା ଅଞ୍ଚଳରେ ଭାଟ୍ଟାପଡ଼ା ବସ୍ତିରେ ଘଟିଛି।
ପୋଲିସର ପ୍ରାଥମିକ ତଦନ୍ତ ଅନୁସାରେ, ଯୁବତୀ ଓ ଭିକି ଦାସଙ୍କ ମଧ୍ୟରେ ପ୍ରାୟ ୩ ବର୍ଷ ଧରି ପ୍ରେମ ସମ୍ପର୍କ ଥିଲା। ଭିକିଙ୍କୁ ଟଙ୍କାର ଆବଶ୍ୟକତା ଥିବାରୁ ଯୁବତୀ ଧାର କରଜ କରି ଟଙ୍କା ଦେଇଥିବା ଜଣାପଡ଼ିଛି। ତେବେ ପରେ ଉଭୟଙ୍କ ମଧ୍ୟରେ କୌଣସି କାରଣରୁ ବିବାଦ ସୃଷ୍ଟି ହୋଇଥିବା ସୂଚନା ମିଳିଛି। ଫଳରେ ଯୁବତୀ ଜଣକ ଏପରି ପଦକ୍ଷେପ ନେଇଥିଲେ। ତେବେ ଏନେଇ ପୀଡ଼ିତାଙ୍କ ପରିବାର କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଛନ୍ତି l
ଘଟଣାକୁ ନେଇ ଝିରପାଣି ପୋଲିସ ତଦନ୍ତ ଜୋରଦାର କରିଛି। ଦୁଇଟି ଟିମ୍ ଗଠନ କରି ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଥିବାବେଳେ, ଘଟଣାରେ ଜଣେ ବ୍ୟକ୍ତିଙ୍କୁ ଅଟକ ରଖାଯାଇଥିବା ସୂଚନା ମିଳିଛି। ଏହା କେବଳ ପ୍ରେମ ସମ୍ପର୍କଜନିତ ବିବାଦ ନା ଘଟଣା ପଛରେ ରହିଛି ତ୍ରିକୋଣୀୟ ପ୍ରେମର କାହାଣୀ—ସେନେଇ ମଧ୍ୟ ଖୋଳତାଡ଼ କରୁଛି ପୋଲିସ।
ଏବେ ସବୁଠାରୁ ବଡ଼ ପ୍ରଶ୍ନ—୩ ବର୍ଷର ପ୍ରେମ ସମ୍ପର୍କରେ ଏମିତି କ’ଣ ଘଟିଲା, ଯେ ପ୍ରେମିକର ଘର ଆଗରେ ଏଭଳି ଚରମ ପଦକ୍ଷେପ ନେଲେ ଯୁବତୀ? ଏହାର ଉତ୍ତର ସହ ପ୍ରେମିକକୁ ଖୋଜୁଛି ପୋଲିସ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।