VVS Laxman to Coach India: ଲକ୍ଷ୍ମଣଙ୍କ ହାତରେ ଟିମ୍ ଇଣ୍ଡିଆ, ଏସିଆନ ଗେମ୍ସରେ ସ୍ବର୍ଣ୍ଣ ଲକ୍ଷ୍ୟ
ଏସିଆନ୍ ଗେମ୍ସ-୨୦୨୬ରେ ଭାରତୀୟ ପୁରୁଷ କ୍ରିକେଟ୍ ଦଳର ମୁଖ୍ୟ କୋଚ୍ ହେବେ ଭିଭିଏସ୍ ଲକ୍ଷ୍ମଣ। ନିୟମିତ ମୁଖ୍ୟ କୋଚ୍ ଗୌତମ ଗମ୍ଭୀରଙ୍କ ଅନୁପସ୍ଥିତିରେ ଲକ୍ଷ୍ମଣ ଦଳର ଦାୟିତ୍ୱ ନେବେ। ସେପ୍ଟେମ୍ବର ୩ରେ କ୍ରୀଡ଼ା ମନ୍ତ୍ରଣାଳୟ ଅନୁମୋଦନ କରିଥିବା କୋଚିଂ ଓ ସପୋର୍ଟ ଷ୍ଟାଫ୍ ତାଲିକାରେ ଲକ୍ଷ୍ମଣଙ୍କ ନାମ ରହିଛି।
ସେପ୍ଟେମ୍ବର ୧୯ରୁ ଅକ୍ଟୋବର ୪ ଯାଏ ଜାପାନର ଆଇଚି-ନାଗୋୟାରେ ଏସିଆନ୍ ଗେମ୍ସ ଅନୁଷ୍ଠିତ ହେବ। ପୁରୁଷ କ୍ରିକେଟ୍ ପ୍ରତିଯୋଗିତା ସେପ୍ଟେମ୍ବର ୨୪ରୁ ଅକ୍ଟୋବର ୩ ଯାଏ ଚାଲିବ। ଏଥର ପ୍ରତିଯୋଗିତାରେ ମୋଟ ୧୦ଟି ଦଳ ଭାଗ ନେବେ।
ଗୌତମ ଗମ୍ଭୀରଙ୍କ ଭାରତରେ ରହିବାର ସମ୍ଭାବନା ଥିବାରୁ ଲକ୍ଷ୍ମଣଙ୍କୁ ଦାୟିତ୍ୱ ଦିଆଯାଇଛି। ସେପ୍ଟେମ୍ବର ୨୭ରୁ ଭାରତ-ୱେଷ୍ଟଇଣ୍ଡିଜ୍ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଘରୋଇ ଦିନିକିଆ ସିରିଜ୍ ଆରମ୍ଭ ହେବ।
ଏସିଆନ୍ ଗେମ୍ସ ପାଇଁ ଭାରତୀୟ କୋଚିଂ ଷ୍ଟାଫ୍ରେ ସୁନୀଲ ଯୋଶୀ, ହୃଷିକେଶ କାନିଟକର ଓ ଶୁଭଦୀପ ଘୋଷ ମଧ୍ୟ ରହିବେ। ମାରୁଫ୍ ଫଜନ୍ଦାରଙ୍କୁ ଟିମ୍ ଲିଡର ଭାବେ ନିଯୁକ୍ତ କରାଯାଇଛି।
ପୁରୁଷ ଟି-୨୦ ଦଳର ଅଧିନାୟକ ହେବେ ଶ୍ରେୟସ ଆୟର, ଉପଅଧିନାୟକ ହେବେ ତିଳକ ବର୍ମା। ଦଳରେ ଯୁବ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀଙ୍କ ସହ ଷ୍ଟାର୍ ପେସର ଜସପ୍ରୀତ ବୁମ୍ରା ମଧ୍ୟ ସାମିଲ ଅଛନ୍ତି।
୨୦୨୩ ହାଙ୍ଗଝୋ ଏସିଆନ୍ ଗେମ୍ସରେ ମଧ୍ୟ ଭିଭିଏସ୍ ଲକ୍ଷ୍ମଣ ଭାରତୀୟ ଦଳକୁ ସ୍ୱର୍ଣ୍ଣ ପଦକ ଜିତାଇଥିଲେ। ଏବେ ଭାରତ ଡିଫେଣ୍ଡିଂ ଚାମ୍ପିଅନ୍ ଭାବେ ୨୦୨୬ ଏସିଆନ୍ ଗେମ୍ସକୁ ଓହ୍ଲାଇବ।
ଟୁର୍ଣ୍ଣାମେଣ୍ଟରେ ଭାରତ, ପାକିସ୍ତାନ, ବାଂଲାଦେଶ ଓ ଶ୍ରୀଲଙ୍କା ସିଧାସଳଖ କ୍ୱାର୍ଟରଫାଇନାଲ୍ ଖେଳିବେ। ଗ୍ରୁପ୍ ଏରେ ଆଫଗାନିସ୍ତାନ, ଜାପାନ ଓ ନେପାଳ ରହିଥିବା ବେଳେ ଗ୍ରୁପ୍ ବିରେ ହଂକଂ, ଚୀନ୍, ମାଲେସିଆ ଓ ଓମାନ ରହିଛନ୍ତି। ପ୍ରତ୍ୟେକ ଗ୍ରୁପ୍ର ଶ୍ରେଷ୍ଠ ଦୁଇ ଦଳ କ୍ୱାର୍ଟରଫାଇନାଲ୍କୁ ଉନ୍ନୀତ ହେବେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।