yash's Father Rejected Luxury: ବାପାଙ୍କ ଆଗରେ ଫିକା ୟଶଙ୍କ ଷ୍ଟାରଡମ୍‌, ଟଙ୍କାଠାରୁ ସମ୍ମାନ ବେଶୀ ମହତ୍ତ୍ୱପୂର୍ଣ୍ଣ

Aug 18, 2026 - 14:11
yash's Father Rejected Luxury: ବାପାଙ୍କ ଆଗରେ ଫିକା ୟଶଙ୍କ ଷ୍ଟାରଡମ୍‌, ଟଙ୍କାଠାରୁ ସମ୍ମାନ ବେଶୀ ମହତ୍ତ୍ୱପୂର୍ଣ୍ଣ

ବଲିଉଡ୍‌ ଓ ଦକ୍ଷିଣ ଭାରତୀୟ ସିନେମାରେ ନିଜର ସ୍ୱତନ୍ତ୍ର ପରିଚୟ ତିଆରି କରିଥିବା ରକିଂ ଷ୍ଟାର ୟଶଙ୍କ ସଫଳତା ପଛରେ ରହିଛି ଅନେକ ସଂଘର୍ଷର କାହାଣୀ। ତେବେ ୟଶଙ୍କ ଅଭିନୟ ଯାତ୍ରା ସହ ତାଙ୍କ ପରିବାରର ସରଳ ଜୀବନଶୈଳୀ ମଧ୍ୟ ଏବେ ଚର୍ଚ୍ଚାରେ। ବିଶେଷକରି, ୟଶ ସୁପରଷ୍ଟାର ହେବା ପରେ ମଧ୍ୟ ତାଙ୍କ ବାପା ବସ୍ ଡ୍ରାଇଭର ଭାବେ କାମ ଜାରି ରଖିଥିବା ଘଟଣା ଅନେକଙ୍କୁ ପ୍ରଭାବିତ କରିଛି।

ରଜତ ଶର୍ମାଙ୍କ ‘ଆପ୍ କି ଅଦାଲତ’ କାର୍ଯ୍ୟକ୍ରମରେ ୟଶ ନିଜ ବାପାଙ୍କ ବିଷୟରେ ଅନେକ କଥା କହିଥିଲେ। ୟଶଙ୍କ ଅଭିନୟ କ୍ୟାରିୟର ସଫଳ ହେବା ପରେ ପରିବାରର ଆର୍ଥିକ ସ୍ଥିତି ବଦଳିଯାଇଥିଲା। ତଥାପି ତାଙ୍କ ବାପା ନିଜର ପୁରୁଣା କାମ ଛାଡ଼ିବାକୁ ରାଜି ହୋଇନଥିଲେ।

'ତୁମେ ତୁମ କାମ କର, ମୁଁ ମୋ କାମ କରିବି'

ୟଶ କହିଥିଲେ, ତାଙ୍କ ବାପାଙ୍କ ପାଇଁ ବସ୍ ଚଳାଇବା କେବଳ ରୋଜଗାରର ମାଧ୍ୟମ ନଥିଲା। ଏହା ତାଙ୍କ ପରିଚୟ, ସମ୍ମାନ ଓ ଆତ୍ମସନ୍ତୋଷର ଏକ ଅଂଶ ଥିଲା। ପୁଅ ସୁପରଷ୍ଟାର ହେବା ପରେ ମଧ୍ୟ ସେ କାମ ଛାଡ଼ିବାକୁ ଚାହିଁନଥିଲେ। ୟଶ ଯେତେବେଳେ ତାଙ୍କୁ ଆରାମ କରିବାକୁ କିମ୍ବା ଭଲ ଗାଡ଼ିରେ ଯିବାକୁ କହିଥିଲେ, ସେ ସ୍ପଷ୍ଟ ଭାବେ କହୁଥିଲେ-‘ତୁମେ ତୁମ କାମ କର, ମୁଁ ମୋ କାମ କରିବି।’

ୟଶ ତାଙ୍କ ବାପାଙ୍କ ପାଇଁ ଏକ ଭଲ କାର୍‌ର ବ୍ୟବସ୍ଥା ମଧ୍ୟ କରିଥିଲେ। କିନ୍ତୁ ଏଥିରେ ତାଙ୍କ ବାପାଙ୍କ ଜୀବନଶୈଳୀ ବଦଳିନଥିଲା। ସେ କାର୍‌ରେ ବସ୍ ଡିପୋକୁ ଯାଉଥିଲେ ଏବଂ ସେଠାରେ ପହଞ୍ଚି ପୁଣି ପୂର୍ବ ଭଳି ବସ୍ ଚଳାଉଥିଲେ।

ୟଶଙ୍କ ବାପା ନୁହେଁ, ନିଜ ପରିଚୟରେ ସମ୍ମାନ ଚାହୁଁଥିଲେ

ୟଶଙ୍କ ବାପାଙ୍କ ପାଇଁ ପୁଅର ଷ୍ଟାରଡମ୍‌ ଅପେକ୍ଷା ନିଜ ପରିଚୟ ଅଧିକ ମହତ୍ତ୍ୱପୂର୍ଣ୍ଣ ଥିଲା। ଲୋକେ ତାଙ୍କୁ ‘ୟଶଙ୍କ ବାପା’ ଭାବେ ସମ୍ମାନ ଦେବା ଅପେକ୍ଷା ତାଙ୍କ ସହକର୍ମୀମାନେ ଜଣେ ବସ୍ ଡ୍ରାଇଭର ଭାବେ ତାଙ୍କ କାମକୁ ଯେଉଁ ସମ୍ମାନ ଦିଅନ୍ତି, ତାହାକୁ ସେ ଅଧିକ ମୂଲ୍ୟ ଦେଉଥିଲେ।

ୟଶଙ୍କ କହିବା ଅନୁସାରେ, ତାଙ୍କ ବାପାଙ୍କ ମତରେ ଟଙ୍କା ହିଁ ଜୀବନର ସବୁକିଛି ନୁହେଁ। ନିଜ କାମରେ ଆନନ୍ଦ ଓ ସମ୍ମାନ ମିଳିବା ମଧ୍ୟ ସମାନ ଭାବେ ଜରୁରୀ।
ଏହି ସମୟରେ ୟଶ ନିଜ କଲେଜ ଦିନର କଥା ମଧ୍ୟ ମନେ ପକାଇଥିଲେ। ସାଙ୍ଗମାନଙ୍କ ପାଖରେ ଦାମୀ ବାଇକ୍‌ ଓ ଫ୍ୟାଶନେବଲ୍‌ ପୋଷାକ ଥିବା ବେଳେ ୟଶ ନିଜ ବାପାଙ୍କ ସ୍କୁଟରରେ ଯାତାୟାତ କରୁଥିଲେ।

ପରିବାରକୁ ସାହାଯ୍ୟ କରିବା ପାଇଁ ସେ ଏକ ଛୋଟ ପ୍ରୋଭିଜନ୍‌ ଷ୍ଟୋର ମଧ୍ୟ ଚଳାଇଥିଲେ। ଦୋକାନ ପାଇଁ ସାମଗ୍ରୀ ଆଣିବା ଓ ନେବାରେ ସେ ସ୍କୁଟର ବ୍ୟବହାର କରୁଥିଲେ। ଆରମ୍ଭରେ ସାଙ୍ଗମାନେ ତାଙ୍କୁ ଏଭଳି କାମ କରୁଥିବା ଦେଖିଦେବେ ବୋଲି ସେ ଚିନ୍ତିତ ହେଉଥିଲେ।

କିନ୍ତୁ ପରେ ତାଙ୍କ ଚିନ୍ତାଧାରା ବଦଳିଗଲା। ୟଶ ବୁଝିଲେ ଯେ ମଣିଷର ସମ୍ମାନ ତାଙ୍କ ଟଙ୍କା କିମ୍ବା ସମ୍ପତ୍ତିରୁ ନୁହେଁ, ବରଂ ତାଙ୍କ ପରିଶ୍ରମ, ଚରିତ୍ର ଓ ମନୋଭାବରୁ ଆସେ।

ଏବେ ବଡ଼ ପ୍ରୋଜେକ୍ଟରେ ବ୍ୟସ୍ତ ୟଶ

ୟଶ ଏବେ ତାଙ୍କ ଆଗାମୀ ଫିଲ୍ମ ‘Toxic: A Fairy Tale for Grown-Ups’କୁ ନେଇ ବ୍ୟସ୍ତ ଅଛନ୍ତି। ଏହି ଫିଲ୍ମରେ କିଆରା ଆଡଭାନୀ, ନୟନତାରା, ତାରା ସୁତାରିଆ, ରୁକ୍ମିଣୀ ବସନ୍ତ ଓ ହୁମା କୁରେଶୀଙ୍କ ଭଳି କଳାକାର ନଜର ଆସିବେ।

ଏହା ବ୍ୟତୀତ ନିତେଶ ତିୱାରୀଙ୍କ ବହୁଚର୍ଚ୍ଚିତ ‘ରାମାୟଣ’ରେ ୟଶଙ୍କୁ ରାବଣ ଭୂମିକାରେ ଦେଖିବାକୁ ମିଳିବ। ଏହି ଫିଲ୍ମରେ ରଣବୀର କପୁର ରାମ, ସାଇ ପଲ୍ଲବୀ ସୀତା ଏବଂ ସନ୍ନି ଦେଓଲ ହନୁମାନଙ୍କ ଭୂମିକାରେ ଅଭିନୟ କରୁଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।