Years Of Preparation Material For Just Rs 464: ୟୁପିଏସସି ସ୍ୱପ୍ନ ଛାଡ଼ିଲେ ଆଶାୟୀ, କବାଡ଼ିଆକୁ ବିକିଦେଲେ ବର୍ଷ ବର୍ଷର ପ୍ରସ୍ତୁତି

Aug 24, 2026 - 18:01
Years Of Preparation Material For Just Rs 464: ୟୁପିଏସସି ସ୍ୱପ୍ନ ଛାଡ଼ିଲେ ଆଶାୟୀ, କବାଡ଼ିଆକୁ ବିକିଦେଲେ ବର୍ଷ ବର୍ଷର ପ୍ରସ୍ତୁତି

ୟୁପିଏସସି ପାଇଁ ୪-୫ ବର୍ଷର ପ୍ରସ୍ତୁତି। ତିନିଥର ମେନ୍ସ ଦେଲେ, କିନ୍ତୁ ସଫଳତା ମିଳିଲା ନାହିଁ। ଶେଷରେ ନିଜର ବର୍ଷ ବର୍ଷର ପ୍ରସ୍ତୁତି ସାମଗ୍ରୀକୁ ମାତ୍ର ୪୬୪ ଟଙ୍କାରେ କବାଡ଼ିଆକୁ ବିକି ଦେଲେ ଜଣେ ୨୬ ବର୍ଷୀୟ ୟୁପିଏସସି ଆଶାୟୀ।

ଏହା କେବଳ କିଛି ପୁରୁଣା ବହି ବିକ୍ରିର କାହାଣୀ ନୁହେଁ। ବହିଗୁଡ଼ିକ ସହ ଯୋଡିହୋଇ ରହିଥିଲା ତାଙ୍କର ବର୍ଷ ବର୍ଷର ପରିଶ୍ରମ, ଅସଂଖ୍ୟ ମକ୍‌ ଟେଷ୍ଟ, ହାତଲେଖା ନୋଟ୍‌ ଏବଂ ଦେଶର ସବୁଠାରୁ କଠିନ ପରୀକ୍ଷା ମଧ୍ୟରୁ ଗୋଟିଏ ୟୁପିଏସସି ପାସ୍‌ କରିବାର ସ୍ୱପ୍ନ।

ଏହି ଆଶାୟୀ ୨୦୨୨ରେ ଗ୍ରାଜୁଏସନ୍‌ ସାରିବା ପରେ ଏକ ଭଲ ଦରମାର ଚାକିରି ସୁଯୋଗ ଛାଡ଼ି ୟୁପିଏସସି ପ୍ରସ୍ତୁତିରେ ଲାଗିଥିଲେ। ୨୦୨୩, ୨୦୨୪ ଓ ୨୦୨୫ରେ ସେ ମେନ୍ସ ପରୀକ୍ଷା ଦେଇଥିଲେ। କିନ୍ତୁ ଚଳିତ ବର୍ଷ ପ୍ରିଲିମ୍ସ ମଧ୍ୟ ପାସ୍‌ କରିପାରିନଥିବାରୁ ଶେଷରେ ପ୍ରସ୍ତୁତି ଛାଡ଼ିବାକୁ ନିଷ୍ପତ୍ତି ନେଲେ।

ଏନସିଇଆରଟି ବହିଠାରୁ ଆରମ୍ଭ କରି ଲକ୍ଷ୍ମୀକାନ୍ତ ବହି, ପୁରୁଣା ଟେଷ୍ଟ ପେପର ଓ ହାତଲେଖା ନୋଟ୍‌—ସବୁକିଛି କବାଡ଼ିଆକୁ ଦେଇଦେଲେ। ତାଙ୍କ କହିବା ଅନୁସାରେ, ଏହି ବହିଗୁଡ଼ିକରେ ଥିଲା ଭୋର ୪ଟା ପର୍ଯ୍ୟନ୍ତ କରାଯାଇଥିବା ପଢ଼ା ଓ ଅସଂଖ୍ୟ ଉତ୍ତରକୁ ବାରମ୍ବାର ସୁଧାରିବାର ସ୍ମୃତି।

କବାଡ଼ିଆ ସମସ୍ତ ବହି ଓ କାଗଜର ଓଜନ କରି ତାଙ୍କୁ ୪୬୪ ଟଙ୍କା ଦେଇଥିଲେ। ପାଖରେ ଥିବା ଜଣେ ବ୍ୟକ୍ତି ଆଉ ୧୦୦-୨୦୦ ଟଙ୍କା ଅଧିକ ପାଇପାରିଥାନ୍ତେ ବୋଲି କହିଥିଲେ। କିନ୍ତୁ ଆଶାୟୀଙ୍କ ମନରେ ଆଉ ଦରଦାମ କରିବାର ଇଚ୍ଛା ନଥିଲା।

ଏହାଠାରୁ ଅଧିକ ଭାବପ୍ରବଣ କଥା ହେଉଛି, ସେହି ୪୬୪ ଟଙ୍କା ମଧ୍ୟ ସେ ନିଜ ପାଖରେ ରଖିନଥିଲେ। ସମ୍ପୂର୍ଣ୍ଣ ଟଙ୍କାକୁ ଏକ ମନ୍ଦିରରେ ଦାନ କରିଦେଲେ। ଆଉ ସ୍ପଷ୍ଟ କରିଦେଲେ ଯେ ଏହା ଆଉ ଏକ ଚେଷ୍ଟା ପାଇଁ ନୁହେଁ।

ୟୁପିଏସସି ପ୍ରସ୍ତୁତି ଭିତରେ ସେ ଏକ ଚାକିରି ସୁଯୋଗ ହରାଇଥିବା ସହ ଚାରି ବର୍ଷର ସମ୍ପର୍କ ମଧ୍ୟ ହରାଇଥିବା କହିଛନ୍ତି। ଏବେ ସେହି ବହିଗୁଡ଼ିକୁ ବିଦାୟ ଦେବା ସହ ଜୀବନର ଏକ ଦୀର୍ଘ ଅଧ୍ୟାୟକୁ ମଧ୍ୟ ବନ୍ଦ କରିଦେଇଛନ୍ତି।

ସୋସିଆଲ ମିଡିଆରେ ତାଙ୍କ କାହାଣୀ ଭାଇରାଲ ହେବା ପରେ ଅନେକ ଲୋକ ଭାବପ୍ରବଣ ହୋଇଛନ୍ତି। କାରଣ, ୪୬୪ ଟଙ୍କାରେ ବିକ୍ରି ହୋଇଥିଲା ବହି, କିନ୍ତୁ ତା’ଭିତରେ ଥିବା ବର୍ଷ ବର୍ଷର ସ୍ୱପ୍ନ ଓ ପରିଶ୍ରମର ମୂଲ୍ୟ ଟଙ୍କାରେ ମାପିବା ସମ୍ଭବ ନୁହେଁ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।