Young woman: ୩୫ ମହଲାରୁ ପଡ଼ିବା ସତ୍ତ୍ବେ ବଞ୍ଚିଗଲେ ଯୁବତୀ
ଚୀନ୍ର ୨୭ ବର୍ଷୀୟା ସୋସିଆଲ୍ ମିଡିଆ ଇନ୍ଫ୍ଲୁଏନ୍ସର୍ ଵାନାନାନ୍ ୩୫ ମହଲା ବିଶିଷ୍ଟ କୋଠାରୁ ତଳକୁ ଖସିପଡ଼ିବା ପରେ ମଧ୍ୟ ନୂଆ ଜୀବନ ପାଇଛନ୍ତି। ଦୀର୍ଘ ୧୭ ମାସର କଠିନ ଚିକିତ୍ସା ଓ ସଂଘର୍ଷ ପରେ ସେ ପୁଣିଥରେ ସୋସିଆଲ୍ ମିଡିଆକୁ ଫେରି ଏହି ଆଶ୍ଚର୍ଯ୍ୟଜନକ କାହାଣୀର ବ୍ୟାଖ୍ୟା କରିଛନ୍ତି। ଅସାବଧାନତା ଯୋଗୁଁ ସେ ୩୫ ମହଲା କୋଠାରୁ ଖସି ପ୍ରଥମେ ଏକ ଗଛରେ ପିଟି ହୋଇଥିଲେ ଏବଂ ଶେଷରେ ବୁଦା ଉପରେ ପଡ଼ିଥିଲେ। ଗଛର ଡାଳ ଓ ବୁଦାଗୁଡ଼ିକ ତାଙ୍କ ଗତିକୁ ଧୀମା କରିଦେଇଥିଲା, ଫଳରେ ଜୀବନ ବଞ୍ଚିଯାଇଥିଲା। ତଥାପି, ଏହି ଦୁର୍ଘଟଣାରେ ତାଙ୍କ ଶରୀରର ବହୁ ହାଡ଼ ଭାଙ୍ଗିଯାଇଥିଲା, ମୁଣ୍ଡରେ ଗୁରୁତର ଆଘାତ ଲାଗିଥିଲା, ମେରୁଦଣ୍ଡ ଓ ଭିତରର ଅଙ୍ଗପ୍ରତ୍ୟଙ୍ଗ କ୍ଷତିଗ୍ରସ୍ତ ହୋଇଥିଲା। ତାଙ୍କୁ ତୁରନ୍ତ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା। ଡାକ୍ତରମାନେ ଦୀର୍ଘ ୧୪ ଘଣ୍ଟାର ଜରୁରିକାଳୀନ ଅସ୍ତ୍ରୋପଚାର କରି ତାଙ୍କ ଜୀବନ ବଞ୍ଚାଇବାରେ ସଫଳ ହୋଇଥିଲେ।
ଏହାପରେ ସେ ୫୦ ଦିନ ପର୍ଯ୍ୟନ୍ତ ଆଇସିୟୁରେ ରହିଥିଲେ। ତାଙ୍କର ଗୋଟିଏ ଗୋଡ଼ର ତଳ ଭାଗକୁ କାଟିବାକୁ ପଡ଼ିଥିଲା। କିନ୍ତୁ ମେଡିକାଲ୍ ଟିମ୍ର ଅକ୍ଳାନ୍ତ ପରିଶ୍ରମ ଯୋଗୁଁ ତାଙ୍କର ଅନ୍ୟ ସମସ୍ତ ଅଙ୍ଗପ୍ରତ୍ୟଙ୍ଗ ପୁଣି ଥରେ ସାଧାରଣ ଭାବେ କାମ କରିବା ଆରମ୍ଭ କରିଥିଲା, ଯାହା ଡାକ୍ତରମାନଙ୍କ ପାଇଁ ବି ଥିଲା ଆଶ୍ଚର୍ଯ୍ୟଜନକ ସଫଳତା। ସୋସିଆଲ୍ ମିଡିଆକୁ ଫେରିବା ପରେ ଵାନାନାନ୍ ଏକ ଭିଡିଓ ପୋଷ୍ଟ୍ କରି ନିଜ ଭାବନା ପ୍ରକାଶ କରିଛନ୍ତି। ସେ କହିଛନ୍ତି, “ମୋ ଜୀବନ ଏବେ କେବଳ ମୋର ନୁହେଁ, ବରଂ ସେହି ସମସ୍ତ ଲୋକଙ୍କର, ଯେଉଁମାନେ ମୋତେ ବଞ୍ଚାଇବାରେ ସାହାଯ୍ୟ କରିଛନ୍ତି। ସେମାନଙ୍କ ପ୍ରତି କୃତଜ୍ଞତା ଜଣାଇବାକୁ ମୁଁ ଜୀବନକୁ ଅତି ସୁନ୍ଦର ଭାବେ ଜିଇଁବାକୁ ଚାହେଁ।” ସେ ଆହୁରି ମଧ୍ୟ କହିଛନ୍ତି ଯେ, ଜୀବନରେ କେବଳ ବାହ୍ୟ ସୁନ୍ଦରତା ଗୁରୁତ୍ୱପୂର୍ଣ୍ଣ ନୁହେଁ, ଭାଙ୍ଗିପଡ଼ିଥିବା ଖଣ୍ଡଗୁଡ଼ିକୁ ପୁଣି ଯୋଡ଼ି ଆଗକୁ ବଢ଼ିବାର ସାହସ ହିଁ ପ୍ରକୃତ ଜୀବନ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।