Yuvraj Questions India's Selection of Young Batters: ଦିନିକିଆରେ କେବେ ମିଳିବ ଏଣ୍ଟ୍ରି ? ଯୁବରାଜଙ୍କ ବଡ଼ ବୟାନରେ ହଇଚଇ!
ଭାରତୀୟ କ୍ରିକେଟ୍ରେ ଯୁବ ପ୍ରତିଭାଙ୍କୁ ନେଇ ପୁଣି ଚର୍ଚ୍ଚା।
ଅଭିଷେକ ଶର୍ମା, ଈଶାନ କିଶନ ଓ ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଡ଼ ବୟାନ ଦେଇଛନ୍ତି ପୂର୍ବତନ ଭାରତୀୟ ଅଲରାଉଣ୍ଡର ଯୁବରାଜ ସିଂହ।
ଏହି ତିନି ଯୁବ ଖେଳାଳିଙ୍କୁ ନିୟମିତ ଭାବେ ଦିନିକିଆ ଦଳରେ ସୁଯୋଗ ନମିଳିବା ସେମାନଙ୍କ ପ୍ରତିଭା ପ୍ରତି ଅନ୍ୟାୟ ବୋଲି କହିଛନ୍ତି ଯୁବରାଜ।
Advertisment ଏକ କାର୍ଯ୍ୟକ୍ରମରେ ସାକ୍ଷାତକାର ଦେଇ ଯୁବରାଜ କହିଛନ୍ତି, ଅଭିଷେକ ଶର୍ମାଙ୍କୁ ସେ ଦିନିକିଆ କ୍ରିକେଟ୍ରେ ଖେଳୁଥିବା ଦେଖିବାକୁ ଚାହାନ୍ତି।
କେବଳ ଅଭିଷେକ ନୁହେଁ, ଈଶାନ କିଶନ ଓ ବୈଭବ ସୂର୍ଯ୍ୟବଂଶୀଙ୍କ ଭଳି ପ୍ରତିଭାବାନ ଖେଳାଳିଙ୍କୁ ମଧ୍ୟ ୫୦ ଓଭର କ୍ରିକେଟ୍ରେ ସୁଯୋଗ ମିଳିବା ଦରକାର।
ତେବେ ଦଳରେ ଅନେକ ଅଭିଜ୍ଞ ଖେଳାଳି ଥିବାରୁ ଯୁବ ଖେଳାଳିଙ୍କ ପାଇଁ ସ୍ଥାନ ବାହାର କରିବା କଷ୍ଟକର ବୋଲି ସେ ସ୍ୱୀକାର କରିଛନ୍ତି।
ଅନ୍ୟପଟେ ଅଭିଷେକ ଶର୍ମାଙ୍କ ସଫଳତା ପଛରେ ଯୁବରାଜଙ୍କ ମାର୍ଗଦର୍ଶନ ରହିଛି।
ଅଭିଷେକ ତାଙ୍କୁ ନିଜର ଗୁରୁ ଭାବେ ମାନନ୍ତି।
ନିକଟରେ ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ ଟି-୨୦ରେ ମାତ୍ର ୩୫ ବଲ୍ରେ ଶତକ ହାସଲ କରିଥିଲେ ଅଭିଷେକ।
ଏହା ପୂର୍ବରୁ ମାତ୍ର ୧୫ ବଲ୍ରେ ଅର୍ଦ୍ଧଶତକ ପୂରଣ କରିଥିଲେ ସେ।
Advertisment ଅଭିଷେକଙ୍କ ଏହି ଇନିଂସ୍ ପରେ ମଜାଳିଆ ଢଙ୍ଗରେ ଯୁବରାଜ ସୋସିଆଲ ମିଡିଆରେ ଲେଖିଥିଲେ, ୧୨ ବଲ୍ରେ ୫୦ ରନ୍ କରିବାର ରେକର୍ଡ ଏବେ ବି ତୁମ ପାଇଁ ଦୂରରେ।
ଉଲ୍ଲେଖଯୋଗ୍ୟ, ୨୦୦୭ ଟି-୨୦ ବିଶ୍ୱକପ୍ରେ ଇଂଲଣ୍ଡ ବିପକ୍ଷରେ ମାତ୍ର ୧୨ ବଲ୍ରେ ଅର୍ଦ୍ଧଶତକ ହାସଲ କରିଥିଲେ ଯୁବରାଜ।
ଏକ ଓଭରରେ ୬ଟି ଛକା ମାରି ସେ ଇତିହାସ ରଚିଥିଲେ।
ଏହାର ଜବାବରେ ଅଭିଷେକ କହିଛନ୍ତି, ୧୨ ବଲ୍ରେ ୫୦ ରନ୍ କରିବା ଆଦୌ ସହଜ ନୁହେଁ।
ଏଭଳି ଇନିଂସ୍ ବାରମ୍ବାର ଦେଖିବାକୁ ମିଳେନାହିଁ।
ଏଥିପାଇଁ ଅଲଗା ଭାବରେ ଯାଇ ଖେଳିହୁଏ ନାହିଁ, ଏହା ନିଜେ ନିଜେ ଘଟିଥାଏ ବୋଲି କହିଛନ୍ତି ଅଭିଷେକ।
ଏବେ ପ୍ରଶ୍ନ ଉଠୁଛି, ଟି-୨୦ରେ ରନ୍ ବର୍ଷା କରୁଥିବା ଏହି ଯୁବ ତାରକାମାନଙ୍କୁ କେବେ ମିଳିବ ଦିନିକିଆ ଦଳରେ ନିୟମିତ ସୁଯୋଗ?
ଯୁବରାଜଙ୍କ ଏହି ବୟାନ ପରେ ଚୟନକୁ ନେଇ କ୍ରିକେଟ୍ ମହଲରେ ଚର୍ଚ୍ଚା ଜୋର୍ ଧରିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।