04 SEPTEMBER 2026

Welcome!

Unlock your personalized experience.
Sign Up

'Zero Death Week' begins: ଆରମ୍ଭ ହେଲା ‘ଶୂନ ମୃତ୍ୟୁ ସପ୍ତାହ’: ପ୍ରଥମ ଦିନରେ‌ କଟିଲା ୪୪୭୪୬ ଇ-ଚାଲାଣ

Sep 03, 2026 - 07:53
'Zero Death Week' begins: ଆରମ୍ଭ ହେଲା ‘ଶୂନ ମୃତ୍ୟୁ ସପ୍ତାହ’: ପ୍ରଥମ ଦିନରେ‌ କଟିଲା ୪୪୭୪୬ ଇ-ଚାଲାଣ

କଟକ: ରାଜ୍ୟରେ ସଡ଼କ ଦୁର୍ଘଟଣା ହ୍ରାସ କରିବା ଏବଂ ସଡ଼କ ସୁରକ୍ଷା ନିୟମର କଡ଼ା ଅନୁପାଳନ ନିଶ୍ଚିତ କରିବା ଲକ୍ଷ୍ୟରେ ଆରମ୍ଭ ହୋଇଛି ‘ଶୂନ ମୃତ୍ୟୁ ସପ୍ତାହ’। ୨୦୨୬ ସେପ୍ଟେମ୍ବରରୁ ୨୦୨୭ ମାର୍ଚ୍ଚ ପର୍ଯ୍ୟନ୍ତ ପ୍ରତି ମାସର ପ୍ରଥମ ସପ୍ତାହରେ ପାଳନ ହେବାକୁ ଥିବା ଏହି ସଡ଼କ ସୁରକ୍ଷା ଅଭିଯାନର ପ୍ରଥମ ଦିନରେ ଏନ୍‌ଫୋର୍ସମେଣ୍ଟ ଦ୍ୱାରା ମୋଟ ୪୪୭୪୬ଟି ଇ-ଚାଲାଣ ଜାରି କରାଯାଇଛି। ଏହି ଯାଞ୍ଚ ପ୍ରକ୍ରିୟାରେ ବିନା ହେଲମେଟ୍ ପାଇଁ ୨୫୨୮୨, ଦ୍ରୁତଗତି ପାଇଁ ୪୧୬୦, ଟ୍ରିପଲ୍ ରାଇଡିଂ ପାଇଁ ୧୩୮୩ ଏବଂ ବୈଧ ବୀମା ନଥାଇ ଗାଡ଼ି ଚଲାଇବା ପାଇଁ ୧୨୧୬ ଗାଡ଼ି ବିରୋଧରେ ଇ-ଚାଲାଣ ଜାରି ହୋଇଛି। ସେହିଭଳି ବିନା ସିଟ୍‌ବେଲ୍ଟରେ ଗାଡ଼ି ଚାଳନା ଯୋଗୁଁ ୭୦୩, ବିନା ପରମିଟ୍‌ରେ ୫୪୯, ବିପରୀତ ଦିଗରେ ଗାଡ଼ି ଚାଳନା ପାଇଁ ୧୫୭, ମଦ୍ୟପାନ କରି ଗାଡ଼ି ଚାଳନା ଯୋଗୁଁ ୯୧ ଏବଂ ଅନ୍ୟାନ୍ୟ ମୋଟର ଯାନ ନିୟମ ଉଲ୍ଲଙ୍ଘନ ପାଇଁ ୫୦୦ରୁ ଅଧିକ ଚାଲାଣ ଜାରି ହୋଇଛି।

ପ୍ରଥମ ଦିନରେ‌ କଟିଲା ୪୪୭୪୬ ଇ-ଚାଲାଣ
ଦୁର୍ଘଟଣାଗ୍ରସ୍ତଙ୍କ ଜୀବନ ବଞ୍ଚାଇଲେ ମିଳିବ ‘ରାହାବୀର’, ‘ଗୁଡ୍‌ ସମାରିଟାନ୍‌’ ସମ୍ମାନ

ଝାରସୁଗୁଡ଼ା ଆର୍‌ଟିଓଙ୍କ ପକ୍ଷରୁ ୫୭୧ଟି ଚାଲାଣ ଜାରି ହୋଇଥିବା ବେଳେ କଟକ ଆର୍‌ଟିଓ ୫୧୬ଟି, ପୁରୀ ଆର୍‌ଟିଓ ୫୧୧ଟି, ଗଞ୍ଜାମ ଆର୍‌ଟିଓ ୪୧୫ଟି ଏବଂ ଭୁବନେଶ୍ୱର-୧ ଆର୍‌ଟିଓ ପକ୍ଷରୁ ୪୧୦ଟି ଚାଲାଣ ଜାରି କରାଯାଇଛି। ସୋନପୁର, ଭଦ୍ରକ, ତାଳଚେର ଏବଂ ଯାଜପୁର ଭଳି ସ୍ଥାନଗୁଡ଼ିକରେ ପରିବହନ ବିଭାଗ ଓ ଗାଡ଼ିଚାଳକ ମହାସଂଘର ମିଳିତ ଆନୁକୂଲ୍ୟରେ ବିଭିନ୍ନ ସଚେତନତାମୂଳକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏନ୍‌ଫୋର୍ସମେଣ୍ଟ ଓ ସଚେତନତା ସହିତ ରୋଡ୍ ଇଞ୍ଜିନିୟରିଂ ଏବଂ ଜରୁରିକାଳୀନ ଚିକିତ୍ସା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି। ରାଜ୍ୟର ସମସ୍ତ ଦୁର୍ଘଟଣା ପ୍ରବଣ ମାର୍ଗ ତଥା ‘ବ୍ଲାକସ୍ପଟ୍’ ଗୁଡ଼ିକ ଉପରେ ସ୍ୱତନ୍ତ୍ର ଦୃଷ୍ଟି ରଖାଯାଇଛି। ଅଧିକ ଦୁର୍ଘଟଣା ଘଟୁଥିବା ଜିଲ୍ଲାଗୁଡ଼ିକରେ ପୁଲିସ ଓ ପରିବହନ ବିଭାଗ ପକ୍ଷରୁ ମିଳିତ ଭାବେ ଯାଞ୍ଚ କରାଯିବ। ଜାତୀୟ ରାଜପଥ ପ୍ରାଧିକରଣ ମଧ୍ୟ ଏନ୍‌ଏଚ୍‌ରେ ବିପଜ୍ଜନକ ସ୍ଥାନଗୁଡ଼ିକର ଆବଶ୍ୟକୀୟ ସୁଧାର ପାଇଁ ପଦକ୍ଷେପ ନେବାକୁ ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ପଦକ୍ଷେପ ନିଆଯାଇଛି। 

ଅନ୍ୟପଟେ ସ୍ୱାସ୍ଥ୍ୟ ବିଭାଗର ସହଭାଗିତାରେ ଜରୁରିକାଳୀନ ଚିକିତ୍ସା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରାଯାଇଛି। ସଡ଼କ ଦୁର୍ଘଟଣାର ଶିକାର ହୋଇଥିବା ବ୍ୟକ୍ତିଙ୍କୁ କିଭଳି ଅତି ଶୀଘ୍ର ଚିକିତ୍ସା ସେବା ଯୋଗାଇ ଦିଆଯାଇ ଜୀବନ ରକ୍ଷା କରାଯାଇପାରିବ ଏବଂ ଦୁର୍ଘଟଣାଗ୍ରସ୍ତ ଲୋକେ ଯେପରି ପିଏମ୍ ରାହତ ଯୋଜନା ମାଧ୍ୟମରେ ବିନା କୌଣସି ବାଧାରେ ସମସ୍ତ ଚିକିତ୍ସା ସୁବିଧା ପାଇପାରିବେ, ତାହା ନିଶ୍ଚିତ କରାଯାଉଛି। ଯେଉଁ ବ୍ୟକ୍ତି ସଡ଼କ ଦୁର୍ଘଟଣାରେ ଆହତ ଲୋକଙ୍କ ଜୀବନ ବଞ୍ଚାଇବେ, ସେମାନଙ୍କୁ ସରକାରଙ୍କ ପକ୍ଷରୁ ‘ରାହାବୀର’ ଏବଂ ‘ଗୁଡ୍ ସମାରିଟାନ’ ଭଳି ପୁରସ୍କାରରେ ସମ୍ମାନିତ କରାଯିବ ବୋଲି ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ସୂଚନା ଦିଆଯାଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।