ଅକ୍ଟୋବର ମାସ ଆରମ୍ଭ ହେବା ସହିତ ବ୍ୟାଙ୍କ ସହିତ ଜଡ଼ିତ କେତେକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ
ନୂଆଦିଲ୍ଲୀ,୨୨।୯:ଅକ୍ଟୋବର ମାସ ଆରମ୍ଭ ହେବା ସହିତ ବ୍ୟାଙ୍କ ସହିତ ଜଡ଼ିତ କେତେକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଘଟିବାକୁ ଯାଉଛି, ଯାହା ସାଧାରଣରୁ ନେଇ ଖାସ ସମସ୍ତ ଲୋକଙ୍କ ପକେଟ ଉପରେ ପ୍ରଭାବ ପକାଇବ। ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଏବଂ ସରକାରଙ୍କ ତରଫରୁ କିଛି ନୂଆ ନିୟମ ଲାଗୁ କରାଯାଉଛି, ଯାହା ଦ୍ୱାରା ବ୍ୟାଙ୍କିଙ୍ଗ ବ୍ୟବସ୍ଥାରେ ପରିବର୍ତ୍ତନ ଆସିବ। ୧ ଅକ୍ଟୋବରରୁ RBI ଏବଂ ପ୍ରମୁଖ ବ୍ୟାଙ୍କଗୁଡ଼ିକର ନିୟମରେ ଅନେକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି।
ବ୍ୟାଙ୍କ ଆକାଉଣ୍ଟଧାରୀ ହୁଅନ୍ତୁ କିମ୍ୱା ନିବେଶକ, ସମସ୍ତଙ୍କ ପାଇଁ ଏହି ପରିବର୍ତ୍ତିତ ନିୟମଗୁଡ଼ିକ ଜାଣିବା ନିହାତି ଜରୁରୀ, ଯାହାଫଳରେ ନିୟମ ଲାଗୁ ହେବା ପରେ ଆପଣଙ୍କୁ କୌଣସି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ। ଆସନ୍ତୁ ଜାଣିବା ଏହି ସବୁ ପରିବର୍ତ୍ତନ ବିଷୟରେ:
ଫିକ୍ସଡ ଡିପୋଜିଟ (FD) କୁ ଅଧିକ ସୱଚ୍ଛ କରିବା ପାଇଁ RBI ବ୍ୟାଙ୍କଗୁଡ଼ିକୁ ତାରଳତା ବିପଦ (ଲିକ୍ୱିଡିଟି ରିସ୍କ) ଆଧାରରେ ସୁଧ ହାର ର୍ନିଦ୍ଧାରଣ କରିବାର ଛାଡ଼ ଦେବା ନିୟମରେ ପରିବର୍ତ୍ତନ କରିଛି। ଏଥିରେ ବଲ୍କ FD ର ନୂତନ ସୀମା ଏବେ ୨ କୋଟି ଟଙ୍କା ବଦଳରେ ୩ କୋଟି କିମ୍ୱା ତା’ଠାରୁ ଅଧିକ ଟଙ୍କାର FD କୁ ବଲ୍କ ଡିପୋଜିଟ ବିବେଚନା କରାଯିବ। ସାଧାରଣ ଗ୍ରାହକଙ୍କ ପାଇଁ ବ୍ୟାଙ୍କ ନିଜର ସମସ୍ତ ଶାଖାରେ ସମାନ ସୁଧ ହାର ଲାଗୁ ରଖିବ। ବ୍ୟାଙ୍କ ଗୋଟିଏ ଦିନରେ ସମାନ ରାଶି ଏବଂ ଅବଧି ଥିବା FD ଉପରେ ଗ୍ରାହକମାନଙ୍କ ମଧ୍ୟରେ କୌଣସି ପ୍ରକାରର ପକ୍ଷପାତ କରିପାରିବ ନାହିଁ।
ସେହିପରି ସମସ୍ତ କମର୍ସିଆଲ ଏବଂ ଛୋଟ ଫାଇନାନ୍ସ ବ୍ୟାଙ୍କଗୁଡ଼ିକୁ ପ୍ରତ୍ୟେକ କାର୍ଯ୍ୟ ଦିବସର ସକାଳ ୧୦ଟାରେ ନିଜର ବଲ୍କ FD ହାରକୁ ୱେବସାଇଟ୍ରେ ବାଧ୍ୟତାମୂଳକ ଭାବେ ଅପଡେଟ କରିବାକୁ ପଡ଼ିବ।
SBI ର BSBD (Basic Savings Bank Deposit) ଆକାଉଣ୍ଟଧାରୀମାନେ ୧ ଅକ୍ଟୋବରରୁ ମାସରେ କେବଳ ୪ ଥର ମାଗଣାରେ ନଗଦ ଟଙ୍କା ଉଠାଇପାରିବେ। ପଞ୍ଚମ କିମ୍ୱା ତା’ଠାରୁ ଅଧିକ ଥର ଟଙ୍କା ଉଠାଇଲେ ପ୍ରତି କାରବାର ଉପରେ ୧୫ ଟଙ୍କା + GST ଶୁଳ୍କ ଦେବାକୁ ପଡ଼ିବ। ଏହି ନିୟମ ATM, ବ୍ୟାଙ୍କ ଶାଖା (Branch), ଏବଂ ଆଧାର ସକ୍ଷମ ପେମେଣ୍ଟ ବ୍ୟବସ୍ଥା (AEPS) ଭଳି ସମସ୍ତ ନଗଦ ଟଙ୍କା ଉଠାଣ ଉପରେ ଲାଗୁ ହେବ।
SBI ଦରମା ଆକାଉଣ୍ଟଧାରୀଙ୍କଠାରୁ ୧ ଅକ୍ଟୋବରରୁ ATM ଉଠାଣ ଉପରେ ଶୁଳ୍କ ନେବା ଆରମ୍ଭ କରିବ। ଅନ୍ୟ ବ୍ୟାଙ୍କର ATM ରୁ ମିଳୁଥିବା ମାଗଣା କାରବାର ସୀମାକୁ ୧୦ ରୁ କମାଇ ୫ କରିଦିଆଯିବ। ଏହି ୫ଟି କାରବାର ମଧ୍ୟରେ ଆର୍ଥିକ ଏବଂ ଅଣ-ଆର୍ଥିକ କାରବାର ଅର୍ଥାତ ଟଙ୍କା ଉଠାଇବା ଏବଂ ବାଲାନ୍ସ ଚେକ କରିବା ଉଭୟ ପ୍ରକାରର କାରବାର ସାମିଲ ରହିବ। ତଥାପି, SBI ନିଜର ATM ଗୁଡ଼ିକରେ ଦରମା ଆକାଉଣ୍ଟଧାରୀଙ୍କ ପାଇଁ କାରବାର ସୀମାକୁ ଅସୀମିତ ଏବଂ ସମ୍ପୂର୍ଣ୍ଣ ମାଗଣା ରଖିଛି।
LPG ଗ୍ୟାସ ଉପଭୋକ୍ତାଙ୍କ ପାଇଁ ୧ ଅକ୍ଟୋବରରୁ ବ୍ୟାଙ୍କ ଆକାଉଣ୍ଟରେ ସବସିଡି ଆସିବା ନିୟମ ବଦଳିବ। କାରଣ ଏବେ ଗ୍ୟାସ ସବସିଡି ପାଇବା ପାଇଁ ୧ ଅକ୍ଟୋବରରୁ ବାୟୋମେଟ୍ରିକ ଆଧାର ପ୍ରମାଣୀକରଣ (BAA) ବାଧ୍ୟତାମୂଳକ କରାଯାଇଛି। ଯଦି ଉପଭୋକ୍ତା BAA ପ୍ରକ୍ରିୟା ସମ୍ପୂର୍ଣ୍ଣ ନକରନ୍ତି, ତେବେ ବ୍ୟାଙ୍କ ଆକାଉଣ୍ଟକୁ ସବସିଡି ଟଙ୍କା ପଠାଯିବ ନାହିଁ। କେବଳ ଭେରିଫିକେସନ ସରିବା ପରେ ହିଁ ଗ୍ୟାସ ସବସିଡି ଟଙ୍କା ଆକାଉଣ୍ଟରେ ଜମା ହେବ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DINALIPI ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DINALIPI ଦେଖନ୍ତୁ।