ଅକ୍ଟୋବରରୁ ଘରକୁ ଘର ବୁଲି ଭୋଟର ସର୍ଭେ
ଭୁବନେଶ୍ୱର : ୨୦୨୭ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ପ୍ରସ୍ତୁତି । ଅକ୍ଟୋବର ୨୬ରୁ ଘରକୁ ଘର ଭୋଟର ସର୍ଭେ । ରାଜ୍ୟ ନିର୍ବାଚନ ଆୟୋଗ ପକ୍ଷରୁ ଏହି ସର୍ଭେ ପାଇଁ ମାଷ୍ଟର ଟ୍ରେନରଙ୍କ ରାଜ୍ୟସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସେପ୍ଟେମ୍ବର ୨୩ ତାରିଖରେ ଆୟୋଜନ କରାଯିବ।
ରାଜ୍ୟ ନିର୍ବାଚନ ଆୟୋଗଙ୍କ ୯ ସେପ୍ଟେମ୍ବର ୨୦୨୬ର ଚିଠି ଅନୁଯାୟୀ, ଭୁବନେଶ୍ୱରସ୍ଥିତ ଷ୍ଟେଟ୍ କନଭେନସନ୍ ସେଣ୍ଟରର ଗ୍ରାଉଣ୍ଡ ଫ୍ଲୋରରେ ସକାଳ ୧୦ଟା ୩୦ରୁ ଏହି ପ୍ରଶିକ୍ଷଣ ଆରମ୍ଭ ହେବ। ଜିଲ୍ଲାସ୍ତରରେ ପ୍ରଶିକ୍ଷକ ଭାବେ କାର୍ଯ୍ୟ କରିବାକୁ ଥିବା ଅଧିକାରୀମାନଙ୍କୁ ଏଥିରେ ଯୋଗଦେବାକୁ କୁହାଯାଇଛି । ଏହି ମାଷ୍ଟର ଟ୍ରେନରମାନେ ପରବର୍ତ୍ତୀ ସମୟରେ ଜିଲ୍ଲା ଓ ବ୍ଲକ୍ ସ୍ତରରେ ଟ୍ରେନରମାନଙ୍କୁ ପ୍ରଶିକ୍ଷଣ ଦେବେ । ପରେ ନିଯୁକ୍ତ ସର୍ଭେ ଟିମଗୁଡ଼ିକ ଅକ୍ଟୋବର ୨୬ରୁ ନଭେମ୍ବର ୭, ୨୦୨୬ ପର୍ଯ୍ୟନ୍ତ ଘର ଘର ବୁଲି ଭୋଟର ତାଲିକା ପ୍ରସ୍ତୁତି ସମ୍ପର୍କିତ ସର୍ଭେ କରିବେ। ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଧାରିତ ସମୟସୀମା ଅନୁସାରେ ସର୍ଭେ ଓ ଭୋଟର ତାଲିକା ସମ୍ପର୍କିତ କାର୍ଯ୍ୟ ଶେଷ କରିବାକୁ କୁହାଯାଇଛି । ଏନେଇ ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ସବୁ ଜିଲ୍ଲାପାଳ, ସମସ୍ତ ପୌର କମିଶନରଙ୍କୁଚିଠି ଲେଖାଯାଇଛି ।
ପ୍ରଶିକ୍ଷଣ ପାଇଁ ପ୍ରତ୍ୟେକ ଜିଲ୍ଲାରୁ ନିର୍ବାଚନ ଦାୟିତ୍ୱରେ ଥିବା ଅତିରିକ୍ତ ଜିଲ୍ଲାପାଳ, ଜିଲ୍ଲା ପଞ୍ଚାୟତ ଅଧିକାରୀ, ସମସ୍ତ ଉପଜିଲ୍ଲାପାଳ, ଜିଲ୍ଲାପାଳଙ୍କ ଦ୍ୱାରା ମନୋନୀତ ଡେପୁଟି/ଆସିଷ୍ଟାଣ୍ଟ କଲେକ୍ଟର, ବିଡିଓ, ଗ୍ରାମ ପଞ୍ଚାୟତ ବିକାଶ ଅଧିକାରୀ, ବିଏଲ୍ଓ ସୁପରଭାଇଜର ଏବଂ ସମସ୍ତ ପୌରସଂସ୍ଥାର ନିର୍ବାହୀ ଅଧିକାରୀଙ୍କୁ ସାମିଲ କରାଯାଇଛି। ମହାନଗର ନିଗମଗୁଡ଼ିକ ମଧ୍ୟ ନିଜ ଅଞ୍ଚଳର ନିର୍ବାଚନ ଦାୟିତ୍ୱରେ ଥିବା ଦୁଇଜଣ ଡେପୁଟି କମିଶନର କିମ୍ବା ଆସିଷ୍ଟାଣ୍ଟ କମିଶନରଙ୍କୁ ପ୍ରଶିକ୍ଷଣ ପାଇଁ ପଠାଇପାରିବେ।
ମନୋନୀତ ଅଧିକାରୀମାନଙ୍କ ନାମ, ପଦବୀ, ମୋବାଇଲ୍ ନମ୍ବର ଓ ଇ-ମେଲ୍ ଆଇଡି ସେପ୍ଟେମ୍ବର ୨୦ ସୁଦ୍ଧା ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ପଠାଇବାକୁ କୁହାଯାଇଛି। ପ୍ରଶିକ୍ଷଣରେ ଯୋଗଦେବାକୁ ଥିବା ଅଧିକାରୀମାନେ ପଞ୍ଜୀକରଣ ପାଇଁ ସକାଳ ୧୦ଟା ସୁଦ୍ଧା ପହଞ୍ଚିବାକୁ ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।