ଅଙ୍ଗନୱାଡ଼ି କେନ୍ଦ୍ରରେ ୪ ଶିଶୁଙ୍କୁ ତାଲା ପକାଇ ରାଶନ ପାଇଁ ଗଲେ କର୍ମଚାରୀ

Oct 01, 2026 - 10:35
ଅଙ୍ଗନୱାଡ଼ି କେନ୍ଦ୍ରରେ ୪ ଶିଶୁଙ୍କୁ ତାଲା ପକାଇ ରାଶନ ପାଇଁ ଗଲେ କର୍ମଚାରୀ

ଜି.ଉଦୟଗିରି,୧ା୧୦(ଚିନ୍ମୟ କୁମାର ସେଠୀ):କୁପୋଷଣ ଦୂର ପାଇଁ ଅଙ୍ଗନଓ୍ବାଡି କେନ୍ଦ୍ରଗୁଡ଼ିକରେ ଆଙ୍ଗନ କା ଉତ୍ସବ ପାଳନ କରାଯାଇଥିବା ବେଳେ ମଙ୍ଗଳବାର ୪ ଶିଶୁଙ୍କୁ କେନ୍ଦ୍ରରେ ତାଲା ପକାଇ ରଖାଯାଇଥିବା ଘଟଣା ସମ୍ନାକୁ ଆସିଛି। ଅଙ୍ଗନଓ୍ବାଡି କେନ୍ଦ୍ରକର୍ମୀ ଓ ସହାୟିକା ପିଲାଙ୍କୁ ତାଲା ପକାଇ ରାଶନ ସାମଗ୍ରୀ ଆଣିବା ପାଇଁ ଯାଇଥିଲେ ବୋଲି ଜଣାପଡ଼ିଛି। କନ୍ଧମାଳ ଜିଲା ମାଲିକାପଡ଼ି ପଞ୍ଚାୟତ ଅନ୍ତର୍ଗତ କାମ୍ବାନାକୁ ଅଙ୍ଗନୱାଡ଼ି କେନ୍ଦ୍ର ଭିତରେ ଏଭଳି ଅଭାବନୀୟ ଘଟଣା ଘଟିଛି।
କାମ୍ବାନାକୁ ସରପଞ୍ଚ ଝରଣା ପ୍ରଧାନ, ଗାଁସାଥୀ ଓ ଅନ୍ୟ କର୍ମଚାରୀମାନେ ପଞ୍ଚାୟତ ଅନ୍ତର୍ଗତ ବିଭିନ୍ନ ଅଙ୍ଗନୱାଡ଼ି କେନ୍ଦ୍ରରେ ଆଙ୍ଗନ କା ଉତ୍ସବ କାର୍ଯ୍ୟକ୍ରମରେ ଦେଇ କାମ୍ବାନାଯୁ ଅଙ୍ଗନୱାଡ଼ି କେନ୍ଦ୍ରରେ ପହଞ୍ଚତ୍ ଥିଲେ। ସେଠାରେ ୪ ଜଣ ଶିଶୁଙ୍କୁ ଅଙ୍ଗନଓ୍ବାଡି କର୍ମୀ ବାହାରପଟୁ ତାଲା ପକାଇ ରଖାଯାଇଥିବା ସେମାନେ ଦେଖିଥିଲେ। ଉକ୍ତ କେନ୍ଦ୍ରର କର୍ମୀ ଶ୍ରଦ୍ଧାଞ୍ଜଳି ଦିଗାଲ ଓ ସହାୟିକା ସୁମିତ୍ରା ପ୍ରଧାନ ରାଶନ ସାମଗ୍ରୀ ଆଣିବା ପାଇଁ ଯାଇଥିବା ଜାଣିବା ପରେ ସରପଞ୍ଚ କିଛି ସମୟ ଅପେକ୍ଷା କରିଥିଲେ। ପରେ ସେ ଶିଶୁମାନଙ୍କ ଅଭିଭାବକଙ୍କୁ ଡାକିଥିଲେ। ଅଭିଭାବକମାନେ ଆସି ପିଲାମାନଙ୍କୁ କେନ୍ଦ୍ର ଭିତରେ ତାଲା ପଡ଼ିଥିବା ଅବସ୍ଥାରେ ଦେଖି ଅସନ୍ତୋଷ ବ୍ୟକ୍ତ କରିଥିଲେ। ସରପଞ୍ଚ ଏନେଇ ଜି.ଉଦୟଗିରି ସିଡିପିଓ କଳ୍ପନା ଶତପଥୀଙ୍କୁ ଫୋନ କରି ଘଟଣା ବିଷୟରେ କହିବା ସହ ଭିଡିଓ କଲ ମାଧ୍ୟମରେ ପିଲାଙ୍କୁ ଦେଖାଇଥିଲେ। ସେତେବେଳେ ସିଡିପିଓ ବାଲିଗୁଡ଼ାରେ ଥିବାରୁ ସେ ସୁପରଭାଇଜରଙ୍କ ସମେତ ଅନ୍ୟ କର୍ମଚାରୀଙ୍କୁ ଉକ୍ତ କେନ୍ଦ୍ରକୁ ପଠାଇଥିଲେ। ଏହି ସମୟରେ ଅଙ୍ଗନୱାଡ଼ି କର୍ମୀ ଓ ସହାୟିକା କେନ୍ଦ୍ରକୁ ଫେରିଥିଲେ। ଶିଶୁମାନଙ୍କୁ ବାହାରକୁ ଅଣାଯିବା ପରେ ସରପଞ୍ଚ ସେମାନଙ୍କ ସହ କଥା ହୋଇଥିଲେ। ଶିଶୁମାନଙ୍କୁ ପ୍ରତିଦିନ ଏଭଳି ବନ୍ଦ କରି ରଖାଯାଉଥିବା ଜାଣି ଏହାର ତଦନ୍ତ ହେବା ଆବଶ୍ୟକ ବୋଲି ସରପଞ୍ଚ କହିଥିଲେ। ଘଟଣା ସମ୍ପର୍କରେ ସିଡିପିଓ ଶତପଥୀ କହିଛନ୍ତି, ଅଙ୍ଗନୱାଡ଼ି କର୍ମୀ ଓ ସହାୟିକା ଶିଶୁମାନଙ୍କୁ କେନ୍ଦ୍ର ଭିତରେ ତାଲା ପକାଇ ରାଶନ ସାମଗ୍ରୀ ଆଣିବାକୁ ଯାଇଥିବାରୁ ସେମାନଙ୍କୁ କୈଫିୟତ ମଗାଯାଇଛି। ଉକ୍ତ ଅଙ୍ଗନୱାଡ଼ି କେନ୍ଦ୍ରର କର୍ମଚାରୀମାନେ ବାରମ୍ବାର କାର୍ଯ୍ୟରେ ଅବହେଳା କରୁଥିବା ସରପଞ୍ଚ ଅଭିଯୋଗ କରିଛନ୍ତି।

 

Dharitri – Odisha’s No.1 Odia Daily

 


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।