ଅଣ୍ଟା ଭାଙ୍ଗିଦେଲା ଅର୍ଣ୍ଣବ ପରବର୍ତ୍ତୀ ବନ୍ୟା, ପାଣି ଛାଡ଼ିବା ପରେ ଗଞ୍ଜାମ ଜିଲ୍ଲାର ସବୁଠି ପ୍ରଳୟର ଦୃଶ୍ୟ

Oct 31, 2026 - 22:20
ଅଣ୍ଟା ଭାଙ୍ଗିଦେଲା ଅର୍ଣ୍ଣବ ପରବର୍ତ୍ତୀ ବନ୍ୟା, ପାଣି ଛାଡ଼ିବା ପରେ ଗଞ୍ଜାମ ଜିଲ୍ଲାର ସବୁଠି ପ୍ରଳୟର ଦୃଶ୍ୟ

ଅଣ୍ଟା ଭାଙ୍ଗିଦେଲା ଅର୍ଣ୍ଣବ ପରବର୍ତ୍ତୀ ବନ୍ୟା, ପାଣି ଛାଡ଼ିବା ପରେ ଗଞ୍ଜାମ ଜିଲ୍ଲାର ସବୁଠି ପ୍ରଳୟର ଦୃଶ୍ୟ

ନନ୍ଦିଘୋଷ ବ୍ୟୁରୋ: ଛାରଖାର କରିଦେଲେ ବାତ୍ୟା ଅର୍ଣ୍ଣବ ପରବର୍ତ୍ତୀ ଲଗାଣ ବର୍ଷା । ବନ୍ୟାରେ ଉବୁଟୁବୁ ଗଞ୍ଜାମ ଜିଲ୍ଲାରେ ଏବେ ସବୁଠି ହାହାକାର । ବର୍ଷା ଛାଡ଼ିଲା, ଅନେକ ସ୍ଥାନରୁ ପାଣି ବି କମିଲା । ହେଲେ ଜିଲ୍ଲାବାସୀଙ୍କ ଉପରେ ଅଜାଡ଼ି ଦେଇଗଲା ଅକଥନୀୟ ଯନ୍ତ୍ରଣା ଆଉ ଦୁଃଖ । ଏବେ ବି ଜଳ କଷ୍ଟରେ ଘାଣ୍ଟି ହେଉଛନ୍ତି ଅନେକ ଅଞ୍ଚଳବାସୀ । ସବୁଠି ଭଙ୍ଗା ଓ ବିଭୀଷିକାର ଚିତ୍ର । ନିଜ ଉଜୁଡ଼ି ଯାଇଥିବା ଘର ଓ ବ୍ୟବସାୟକୁ ଦେଖି ଆଖିରୁ ଲୁହ ଝରାଉଛନ୍ତି ଲୋକେ ।

୧୯୯୦ ମସିହାଠାରୁ ବଢିଗଲା ୨୦୨୬ର ବନ୍ୟା । ସରକାରଙ୍କ ଅସାବଧାନତା ଓ ଖାମଖିଆଲି ମନୋଭାବ ଯୋଗୁଁ ଦୁର୍ଦ୍ଦଶା ଭୋଗୁଛନ୍ତି ଗଞ୍ଜାମ ଜିଲ୍ଲାବାସୀ । ଆଉ ଗଞ୍ଜାମ ଜିଲ୍ଲା ପ୍ରଶାସନ କେବଳ ବୈଠକ ଉପରେ ବୈଠକ ଡାକି ବନ୍ୟା ପରିଚାଳନା ସମୀକ୍ଷା କରୁଛି । ଗଞ୍ଜାମ ଜିଲ୍ଲାର ଜଳ ବିଭୀଷିକା ସବୁ ବର୍ଗର ଲୋକଙ୍କ ମେରୁଦଣ୍ଡକୁ ଦୋହଲାଇ ଦେଇଛି । ଧାନ ଫସଲ, ପନିପରିବା ଚାଷ, ମାଛ ଓ କୁକୁଡ଼ା ଚାଷୀ ମୁଣ୍ଡରେ ହାତ ଦେଇ ବସିଛନ୍ତି । ଉଜୁଡ଼ା ଚାଷକୁ ଦେଖି କିପରି ନିଜର ପରିବାର ଚଳାଇବେ ତାକୁ ନେଇ ଚିନ୍ତାରେ ଲୋକେ । ଏହି ବନ୍ୟା ଉଜାଡ଼ି ଦେଇଛି ଅନେକଙ୍କ ହସ ଖୁସିର ସଂସାର । ପ୍ରକୃତିର ତାଣ୍ଡବରେ ଛାରଖାର ହୋଇଛି ଗଞ୍ଜାମ ଜିଲ୍ଲାର ଅନେକ ଅଞ୍ଚଳ ।

ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଲଗାତାର ପ୍ରବଳ ବର୍ଷା ଓ ନଦୀରେ ବନ୍ୟାଜଳ ଆସିବା ଯୋଗୁଁ ଜିଲ୍ଲାରେ ସୃଷ୍ଟି ହୋଇଛି ଭୟଙ୍କର ବନ୍ୟା । ଅନେକ ଗାଁ ଜଳବନ୍ଦୀ ହୋଇଥିବା ବେଳେ ଘରଦ୍ୱାର, ରାସ୍ତାଘାଟ ସବୁକିଛି ଛାରଖାର ହୋଇଯାଇଛି । ଲୋକଙ୍କ ଆଖିରେ ଲୁହ, ମନରେ ଅସରନ୍ତି ଦୁଃଖ । ଜିଲ୍ଲାର ସୋରଡ଼ା, ଆସିକା, ଧରାକୋଟ, ପୁରୁଷୋତ୍ତମପୁର, ଚିକିଟି, ପାତ୍ରପୁର ଓ ସାନଖେମୁଣ୍ଡି ଭଳି ଅଞ୍ଚଳ ବନ୍ୟାରେ ବିଶେଷ ପ୍ରଭାବିତ ହୋଇଛି ।

ବନ୍ୟାଜଳ ଧୀରେ ଧୀରେ ହ୍ରାସ ପାଉଥିଲେ ମଧ୍ୟ ଲୋକଙ୍କ ଦୁର୍ଦ୍ଦଶା କମିନାହିଁ । ଘରକୁ ଫେରି ଭଙ୍ଗା କାନ୍ଥ, ନଷ୍ଟ ଆସବାବପତ୍ର ଓ ଉଜୁଡ଼ା ଚାଷଜମିକୁ ଦେଖି ଆଖିରୁ ଲୁହ ଝରାଉଛନ୍ତି ବିପନ୍ନ । ପ୍ରକୃତିର ଏହି କରାଳ ରୂପ ଗଞ୍ଜାମବାସୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି । ରାସ୍ତାଘାଟ ସବୁଠି ପ୍ରଳୟଙ୍କରୀ ବନ୍ୟା ତାଣ୍ଡବ ରଚିଛି । ବାହାରେ ପଡ଼ିଛି ଲୋକଙ୍କ ଆସବାବପତ୍ରଠାରୁ ଆରମ୍ଭ କରି ଘରକରଣା ଦ୍ରବ୍ୟ । ଘର ସଫା କରି ନିଜର ଘରକରଣା ସାଉଁଟୁଛନ୍ତି ଲୋକେ ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।