ଅଧାରୁ ବନ୍ଦ ହେବ କି ଶୀତ ଅଧିବେଶନ !

Oct 29, 2026 - 20:53
 ଅଧାରୁ ବନ୍ଦ ହେବ କି ଶୀତ ଅଧିବେଶନ !

ନନ୍ଦିଘୋଷ ବ୍ୟୁରୋ:  ଅଧାରୁ ବନ୍ଦ ହେବ କି ଶୀତ ଅଧିବେଶନ ! ଦମ୍ଭୋକ୍ତି ପ୍ରକାଶ କରି ସରକାରଙ୍କୁ ଚ୍ୟାଲେଞ୍ଜ କଲେ ଅରୁଣ । ଅଭିଯୋଗ କାହିଁକି ବର୍ଷକୁ ୬୦ଦିନ ଚାଲୁନି ବିଧାନସଭା ? ବିଜ୍ଞପ୍ତି ପରେ ସବୁ ଦଳର ସହଯୋଗ ଲୋଡ଼ିଲେ ବାଚସ୍ପତି । ବିଜେପି ସରକାରକୁ ଆସିବା ପରେ ବିଧାନସଭାର ସବୁ ଅଧିବେଶନ ଅଧାରୁ ସରୁଛି । ପ୍ରଥମ ଥର ଲାଗି ସ୍ବଳ୍ପକାଳୀନ ମୌସୁମୀ ଅଧିବେଶନ ବି ୫ଦିନ ଆଗରୁ ସରିଗଲା । ଶୀତ ଅଧିବେଶନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପରେ ସରକାରଙ୍କୁ ଘେରିଛି ମୁଖ୍ୟ ବିରୋଧୀ ଦଳ ବିଜେଡି । ନଭେମ୍ବର ୧୮ ତାରିଖରୁ ଡିସେମ୍ବର ୩୧ ତାରିଖ ଯାଏ ବିଧାନସଭାର ଶୀତ ଅଧିବେଶନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଅଧିବଶନରେ ମୋଟ ୩୩ଟି କାର୍ଯ୍ୟଦିବସ ରହିଛି । ପ୍ରଥମ ଦିନରେ ୨୦୨୬-୨୭ ଆର୍ଥିକ ବର୍ଷର ପ୍ରଥମ ଅତିରିକ୍ତ ବଜେଟ ଉପସ୍ଥାପନ କରାଯିବ । ଯାହାକୁ ନେଇ ସରକାରଙ୍କୁ କଟାକ୍ଷ କରିଛି ବିଜେଡି । ବିଜେଡି ବିଧାୟକ ଅରୁଣ ସାହୁ କହିଛନ୍ତି ଲମ୍ବା ସମୟର ଅଧିବେଶନ ଡାକି ଅଧାରୁ ବନ୍ଦ କରୁଛନ୍ତି ସରକାର । ବିଧାନସଭା ବର୍ଷକୁ ୬୦ ଦିନ ଚାଲିବା କଥା। ଏବର୍ଷ ମାତ୍ର ୨୭ ଦିନ କାର୍ଯ୍ୟକାଳ ଚାଲିଛି । ଏଥର ଅଧିବେଶନରେ ୩୩ଟି କାର୍ଯ୍ୟଦିବସ ରହିଥିବା ବେଳେ ସରକାର ୩୦ ତାରିଖ ଅତିରକ୍ତ ବଜେଟ ପରେ ବିଧାନସଭା ବନ୍ଦ କରିଦେବେ ବୋଲି ବିଜେଡି ଆଗୁଆ ଅଭିଯୋଗ କରିଛି । ଶାସକ ଦଳର ଏପରି ଆଭିମୁଖ୍ୟ ବିଧାନସଭାର ମର୍ଯ୍ୟାଦାହାନୀ କରୁଛି ବୋଲି ବିଜେଡି କହିଛି । ସୁରୁଖୁରୁରେ ବିଧାନସଭା ଚଳାଇବାକୁ ଉଭୟ ଶାସକ ଓ ବିରୋଧୀ ଦଳର ସହଯୋଗ ଲୋଡିଛନ୍ତି ବାଚସ୍ପତି ସୁରମା ପାଢୀ ।

୨୦୨୪ରେ ବିଧାନସଭାର ମୋଟ ୪୪ ଦିନ ଚାଲିଥିଲା । ଏହାପରଠାରୁ ବିଧାନସଭାକୁ ଆଗୁଆ ସାରିଦେବାର ପରମ୍ପରା ଜାରି ରହିଛି । ଚଳିତ ବଜେଟ ଅଧିବେଶନରେ ୨୭ ଦିନ ଗୃହ ଚାଲିଥିଲା । ମୌସୁମୀ ଅଧିବେଶନ ମୋଟ ୯ଟି କାର୍ଯ୍ୟଦିବସ ଚାଲିଥିବା ବେଳେ ୫ଦିନ ଆଗରୁ ବନ୍ଦ କରିଦିଆଗଲା । ରାଜନୈତିକ ସମୀକ୍ଷକଙ୍କ ମତ ହେଉଛି ବର୍ଷକୁ ୬୦ଦିନ ବିଧାନସଭା ନଚାଲିପାରିବା ଦୁର୍ଭାଗ୍ୟଜନକ । ଶାସକ ଦଳ, ବାଚସ୍ପତି ଓ ବିରୋଧୀ ଦଳ ନେତା ଚାହିଁଲେ ଏହା ସମ୍ଭବ ହୋଇପାରିବ ।

ବିଧାନସଭାର ଅଧିବେଶନ ଅଧାରୁ ବନ୍ଦ କରିବା ଏବେ ଏକ ପରମ୍ପରା ପରିଣତ ହେବାରେ ଲାଗିଛି । ଯଦି ବିଧାନସଭା ନଚାଲିବ ତେବେ ଜନପ୍ରତିନିଧି ନିଜ ନିଜ ଅଞ୍ଚଳର ସମସ୍ୟା କେମିତି ଉଠାଇବେ ବୋଲି ବୁଦ୍ଧିଜୀବୀ ମହଲ ପ୍ରଶ୍ନ କରିଛି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।