ଅନଲାଇନ ଡ୍ରାଇଭରଙ୍କ ପାଇଁ ଲାଗୁ ହେବ କଡା ନିୟମ - ମନ୍ତ୍ରୀ

Aug 20, 2026 - 11:34
ଅନଲାଇନ ଡ୍ରାଇଭରଙ୍କ ପାଇଁ ଲାଗୁ ହେବ କଡା ନିୟମ - ମନ୍ତ୍ରୀ

ଭୁବନେଶ୍ବର: ମାଷ୍ଟରକ୍ୟାଣ୍ଟିନ ହିଂସା ପରେ ଅନଲାଇନ ଚାଳକଙ୍କୁ କଡା ଚେତାବନୀ । ଆଉ ଚଳିବନି ଅନଲାଇନ ଡ୍ରାଇଭରଙ୍କ ମନମାନି। ଆସିବ କଡ଼ା ନିୟମ। ଡ୍ରାଇଭରଙ୍କ ଆନ୍ଦୋଳନ ପ୍ରସଙ୍ଗରେ ନଗର ଉନ୍ନୟନ ମନ୍ତ୍ରୀଙ୍କ ପ୍ରତିକ୍ରିୟା। ଓଡିଶା ଯାତ୍ରୀ ଆପକୁ ବ୍ୟାପକ କରାଯିବ। ଯାତ୍ରୀଙ୍କ ସୁବିଧା ପାଇଁ ନଗର ଉନ୍ନୟନ ବିଭାଗର ବଡ ନିଷ୍ପତ୍ତି। ପରିବହନ ବିଭାଗ ସହ ସମନ୍ଵୟ ରଖିବ ନଗର ଉନ୍ନୟନ ବିଭାଗ। ଯେଉଁଥିରେ ଯାତ୍ରୀମାନଙ୍କ ଅସୁବିଧା ହେବ ନାହିଁ। । ଲୋକଙ୍କୁ ସେବା ଯୋଗାଇବା ସହ ଡ୍ରାଇଭର ମାନେ କିପରି ଲାଭବାନ ହୋଇପାରିବେ ତାକୁ ଗୁରୁତ୍ଵ ଦିଆଯିବ। ସବୁ ସହରରେ ଓଡ଼ିଶା ଯାତ୍ରୀ ଆପର କିପରି ବ୍ୟବହାର ହୋଇପାରିବ ସେଥିପାଇଁ ଏକ ବୈଠକ କରି ଆଲୋଚନା ହୋଇଥିବା କହିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର।

ଯାତ୍ରୀଙ୍କୁ ସୁବିଧାଜନକ ଓ ଉନ୍ନତ ଗାଡ଼ି ସେବା ଯୋଗାଇବା ପାଇଁ ‘ଓଡ଼ିଶା ଯାତ୍ରୀ’ ଆପ୍‌କୁ ବ୍ୟାପକ କରାଯିବ। ସରକାରଙ୍କ ଲକ୍ଷ୍ୟ ହେଉଛି ଯାତ୍ରୀଙ୍କୁ ଉତ୍ତମ ସେବା ଦେବା ସହ ଡ୍ରାଇଭରମାନେ ମଧ୍ୟ ଯେପରି ଲାଭବାନ ହୋଇପାରିବେ, ସେଥିପାଇଁ ଗୁରୁତ୍ୱ ଦେବା ।

ସେପଟେ,  ଗତକାଲି ଭୁବନେଶ୍ବର ମାଷ୍ଟରକ୍ୟାଣ୍ଟିନ ଠାରେ ଅନଲାଇନ ଡ୍ରାଇଭରମାନଙ୍କ ଉନ୍ମତ କାଣ୍ଡ ଯୋଗୁଁ କଡା ପ୍ରତିକ୍ରିୟା ଦେଇଥିଲେ ଭୁବନେଶ୍ୱର ଡିସିପି ଜଗମୋହନ ମୀନା। ଅଟୋ ଚାଳକଙ୍କ ଆନ୍ଦୋଳନ କୁ ବେଆଇନ ବୋଲି କହିଥିଲେ । ଗୋଟିଏ ଦିନ ଆନ୍ଦୋଳନ ପାଇଁ ଅନୁମତି ନେଇ 3 ଦିନ ଧରି ଚଳାଇଥିଲେ ମନମାନୀ । ଗତକାଲି ମାଷ୍ଟରକ୍ୟାଣ୍ଟିନ ଠାରୁ ବିମାନ ବନ୍ଦର ଯାଏଁ ରାସ୍ତା ଅବରୋଧ ଯୋଗୁଁ ସାଧାରଣ ଯାତାୟାତରେ ଗୁରୁତର ବ୍ୟାଘାତ ସୃଷ୍ଟି ହୋଇଥିଲା। ଏହି ସମୟରେ କ୍ରୁଟ୍ (CRUT) / ଆମ ବସ୍ ସମେତ ଅନେକ ସରକାରୀ ସମ୍ପତ୍ତି ଭଙ୍ଗାରୁଜା ଓ ନଷ୍ଟ କରାଯାଇଥିଲା । ପୋଲିସ ରେକର୍ଡ, ସିସିଟିଭି ଫୁଟେଜ୍ ଏବଂ ଜବତ ତାଲିକାର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ରାସ୍ତା ଅବରୋଧ କରିବା ପାଇଁ ୪୦୦ ରୁ ଅଧିକ ଅଟୋରିକ୍ସା ବ୍ୟବହାର କରାଯାଇଥିଲା ଏବଂ ପୋଲିସ ପ୍ରଶାସନ ଦ୍ୱାରା ଉକ୍ତ ଗାଡ଼ିଗୁଡ଼ିକୁ ଚିହ୍ନଟ କରାଯାଇ ଜବତ କରାଯାଇଛି ।

ଏହିପରି ବେଆଇନ କାର୍ଯ୍ୟରେ ଗାଡ଼ିର ବ୍ୟବହାର ପ୍ରଦତ୍ତ ପରମିଟ୍ ସର୍ତ୍ତାବଳୀର ସମ୍ପୂର୍ଣ୍ଣ ଉଲ୍ଲଂଘନ କରୁଥିବାରୁ ମୋଟର ଯାନ ଆଇନ, ୧୯୮୮ର ଧାରା ୮୬(୧)(ଖ) ଅନୁଯାୟୀ ଏଯାବତ୍ ୪୦୦ ରୁ ଉର୍ଦ୍ଧ୍ବ ଅଟୋରିକ୍ସାର ପରମିଟ୍ ବାତିଲ କିମ୍ବା ନିଲମ୍ବିତ କରିବାକୁ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱର- ୧ ଆରଟିଓ ପକ୍ଷରୁ ସମ୍ପୃକ୍ତ ସମସ୍ତ ପଞ୍ଜୀକୃତ ମାଲିକ ତଥା ପରମିଟ୍ ଧାରୀମାନଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି । ଉକ୍ତ ଘଟଣା ସମୟରେ ଗାଡ଼ି କାହା ନିୟନ୍ତ୍ରଣରେ ଥିଲା ଏବଂ ଏହା ମାଲିକଙ୍କ ଅନୁମତି, ନିର୍ଦ୍ଦେଶ କିମ୍ବା ଅବଗତିରେ ବ୍ୟବହୃତ ହୋଇଥିଲା କି ନାହିଁ, ସେ ସମ୍ପର୍କରେ ତଥ୍ୟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।