ଚୀନ୍ ପାଇଁ ଗୁଇନ୍ଦାଗିରି କରିଥିବା ଆମେରିକୀୟ ସାମ୍ବାଦିକଙ୍କୁ ୨ ବର୍ଷ ଜେଲ୍ ଦଣ୍ଡାଦେଶ
ୱାଶିଂଟନ୍: ଆମେରିକା ମାଟିରେ ରହି ଚୀନ୍ ସରକାରଙ୍କ ଏଜେଣ୍ଟ ଭାବେ କାର୍ଯ୍ୟ କରିବା ଏବଂ ଗୁପ୍ତ ତଥ୍ୟ ସଂଗ୍ରହରେ ସହାୟତା କରିବା ଅଭିଯୋଗରେ ଜଣେ ଆମେରିକୀୟ ସାମ୍ବାଦିକଙ୍କୁ ୨ ବର୍ଷର ଜେଲ୍ ଦଣ୍ଡାଦେଶ ହୋଇଛି। ୫୧ ବର୍ଷୀୟ ଥୋମାସ୍ ୱେୟାର୍ ପୋକେନ୍ ନାମକ ଏହି ସାମ୍ବାଦିକ ନିଜ ଦୋଷ ସ୍ୱୀକାର କରିବା ପରେ ଆମେରିକା ଜଷ୍ଟିସ୍ ଡିପାର୍ଟମେଣ୍ଟ ପକ୍ଷରୁ ଏହି ସଜା ଶୁଣାଯାଇଛି। ଜେଲ୍ ଦଣ୍ଡ ସହ ତାଙ୍କ ବିଦେଶ ଯାତ୍ରା ଉପରେ କଟକଣା ଲଗାଯାଇ ୩୬ ମାସ ପାଇଁ କଡ଼ା ନଜରବନ୍ଦୀରେ ରଖିବାକୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ସୂଚନାନୁସାରେ, ପୋକେନ୍ ୨୦୧୦ରୁ ଚୀନରେ ରହି ସିସିଟିଭି ଏବଂ ନିକଟରେ ଚୀନର ସରକାରୀ ସମ୍ବାଦ ସଂସ୍ଥା ସିନହୁଆ ପାଇଁ ଜଣେ ସମ୍ପାଦକ ଭାବେ କାର୍ଯ୍ୟ କରୁଥିଲେ। ୨୦୧୯ରୁ ୨୦୨୬ ମଧ୍ୟରେ ସେ ଚୀନର ଗୁଇନ୍ଦା ସଂସ୍ଥାର ନିର୍ଦ୍ଦେଶରେ ଆମେରିକାର ଗୁରୁତ୍ୱପୂର୍ଣ୍ଣ ସୂଚନା ସଂଗ୍ରହ କରୁଥିଲେ ଏବଂ ଅନ୍ୟ ଲୋକଙ୍କୁ ଏହି ଗୁଇନ୍ଦା ବ୍ୟବସ୍ଥାରେ ସାମିଲ କରିବାକୁ ଚେଷ୍ଟା କରୁଥିଲେ। ଏଥିପାଇଁ ତାଙ୍କୁ କ୍ୟାଥି ନାମକ ଜଣେ ଚୀନ୍ ଅଧିକାରୀଙ୍କଠାରୁ ପ୍ରାୟ ୧ ଲକ୍ଷ ଆମେରିକୀୟ ଡଲାରରୁ ଊର୍ଦ୍ଧ୍ୱ ଅର୍ଥ ମିଳିଥିଲା। ତେବେ ସେ କୌଣସି ଆନୁଷ୍ଠାନିକ କ୍ଲାସିଫାଇଡ୍ ନଥି ଚୀନକୁ ହସ୍ତାନ୍ତର କରିନଥିବା ତାଙ୍କ ଓକିଲ ସ୍ପଷ୍ଟ କରିଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।