ଅବସରର ସୂଚନା ଦେଲେ ରୋନାଲ୍ଡୋ
ଲିସ୍ବନ : ଫୁଟ୍ବଲ ଇତିହାସରେ ଅନ୍ୟତମ ଶ୍ରେଷ୍ଠ ଖେଳାଳି କ୍ରିଷ୍ଟିଆନୋ ରୋନାଲ୍ଡୋ ଚଳିତ ଋତୁ ଶେଷରେ ପେସାଦାର ଫୁଟ୍ବଲରୁ ଅବସର ନେବାର ସୂଚନା ଦେଇଛନ୍ତି। ୨୦୨୬-୨୭ ଋତୁ ପରେ ସେ ଫୁଟ୍ବଲରୁ ସନ୍ନ୍ୟାସ ନେଇପାରନ୍ତି ବୋଲି ପର୍ତ୍ତୁଗାଲ୍ର ରୋନାଲ୍ଡୋ କହିଛନ୍ତି। ୪୧ ବର୍ଷ ବୟସ୍କ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ଭାଷାରେ, ଫୁଟ୍ବଲରେ ଏହା ବୋଧହୁଏ ମୋର ଅନ୍ତିମ ବର୍ଷ। ମୁଁ ଏକ ଚିତ୍ତାକର୍ଷକ ପରମ୍ପରା ଛାଡ଼ିଯିବାକୁ ଚାହେଁ। ଓୗପଚାରିକ ଭାବେ ରୋନାଲ୍ଡୋ ଅବସର ଘୋଷଣା କରିନାହାନ୍ତି। ତେବେ ତାଙ୍କ ମନ୍ତବ୍ୟରୁ ଅନୁମାନ କରାଯାଉଛି ଯେ ଚଳିତ ଋତୁ ପରେ ସେ ଆଉ ଖେଳିବେ ନାହିଁ। ୧୦୦୦ ଗୋଲ୍ ପୂରଣ କରିବାକୁ ରୋନାଲ୍ଡୋ ଆଉ ୨୪ଟି ଗୋଲ୍ ଆବଶ୍ୟକ କରୁଛନ୍ତି। ଅଦ୍ୟାବଧି ସେ କ୍ଲବ୍ ଓ ଦେଶ ପାଇଁ ୧୩୩୦ ମ୍ୟାଚ୍ରୁ ୯୭୬ଟି ଗୋଲ୍ ଦେଇଛନ୍ତି। ବର୍ତ୍ତମାନ ଖେଳୁଥିବା ସାଉଦି ଆରବର ଅଲ୍ ନାସେର କ୍ଲବ୍ ପାଇଁ ରୋନାଲ୍ଡୋ ଭଲ ପ୍ରଦର୍ଶନ କରିଛନ୍ତି। ସେ ସାଉଦି ପ୍ରୋ ଲିଗ୍ରେ ୨୮ଟି ଗୋଲ୍ ସହ ସମସ୍ତ ପ୍ରତିଯୋଗିତାରେ ୩୯ଟି ଗୋଲ୍ ଦେଇଛନ୍ତି। ପର୍ତ୍ତୁଗାଲ୍ର ସ୍ପୋର୍ଟିଂ ସିପି କ୍ଲବ୍ରୁ ପେସାଦାର ଜୀବନ ଆରମ୍ଭ କରିଥିବା ରୋନାଲ୍ଡୋ ମାଞ୍ଚେଷ୍ଟର ୟୁନାଇଟେଡ୍, ରିଅଲ୍ ମାଦ୍ରିଦ୍ ଓ ଜୁଭେଣ୍ଟସ୍ ପାଇଁ ଖେଳିବା ପରେ ପୁଣି ମାଞ୍ଚେଷ୍ଟର ୟୁନାଇଟେଡ୍କୁ ଫେରିଥିଲେ। ୨୦୨୩ରେ ସେ ଅଲ୍ ନାସେର୍ରେ ଯୋଗ ଦେଇଥିଲେ। ସେ କ୍ଲବ୍ ଫୁଟ୍ବଲରେ ୮୩୮ ଗୋଲ୍ ଦେଇଥିବା ବେଳେ ପର୍ତ୍ତୁଗାଲ ପାଇଁ ବିଶ୍ବ କୀର୍ତ୍ତିମାନ ୧୩୮ଟି ଗୋଲ୍ ଦେଇଛନ୍ତି। ସେ ପାଞ୍ଚ ଥର ବାଲୋଁ ଡି ଅର୍ ପୁରସ୍କାର ଜିତିଥିବା ବେଳେ ୫ଟି ୟୁରୋପିଆନ୍ ଚମ୍ପିଆନ୍ସିପ୍ ଟାଇଟଲ ଜିତିଛନ୍ତି। ପର୍ତ୍ତୁଗାଲ୍ ପାଇଁ ସେ ଥରେ ୟୁରୋ କପ୍ ଜିତିଛନ୍ତି। ଏବେ ମଧ୍ୟ ରୋନାଲ୍ଡୋ ପର୍ତ୍ତୁଗାଲ୍ର ଅଧିନାୟକ ଅଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAJA LIVE - ସମାଜ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAJA LIVE - ସମାଜ ଦେଖନ୍ତୁ।