ଶାହରୁଖଙ୍କ ପଡ଼ୋଶୀ ହେଲେ ସୂର୍ଯ୍ୟକୁମାର, ଦୁବାଇରେ କିଣିଲେ ବିଳାସପୂର୍ଣ୍ଣ ଘର, ଦାମ୍ ଜାଣିଲେ ଉଡିଜିବ ହୋସ୍
ନୂଆଦିଲ୍ଲୀ,୧୪।୧୦: ଟିମ ଇଣ୍ଡିଆର ଷ୍ଟାର୍ ବ୍ୟାଟର୍ ସୂର୍ଯ୍ୟକୁମାର ଯାଦବ ଏବେ ନିଜର ଏକ ବଡ଼ ନିବେଶକୁ ନେଇ ଚର୍ଚ୍ଚାରେ ଅଛନ୍ତି। ଦୁବାଇରେ ଏକ ବିଳାସପୂର୍ଣ୍ଣ ଘର କିଣିଛନ୍ତି ଏହି ଭାରତୀୟ କ୍ରିକେଟର୍ସ। ଏହି ନୂଆ ସମ୍ପତ୍ତିକୁ ନେଇ ସେ ନିଜେ ସୋସିଆଲ ମିଡିଆରେ ଏକ ଭିଡିଓ ଶେୟାର କରିଛନ୍ତି। ଏହାସହ ବିଦେଶରେ ଘର କିଣିବା ପଛର କାରଣ ମଧ୍ୟ ସେ ସ୍ପଷ୍ଟ କରିଛନ୍ତି।
ସୂର୍ଯ୍ୟକୁମାର ଯାଦବ ନିଜ ଇନଷ୍ଟାଗ୍ରାମ ଶେୟାର କରିଥିବା ଭିଡିଓରେ ଘର କିଣିବା ସମ୍ପର୍କିତ କାଗଜପତ୍ରରେ ଦସ୍ତଖତ କରୁଥିବା ଦେଖିବାକୁ ମିଳିଛି। ଏହି ସମୟରେ ତାଙ୍କ ପତ୍ନୀ ଦେବିଶା ସେଟ୍ଟୀ ମଧ୍ୟ ତାଙ୍କ ସହ ଥିଲେ। ଦସ୍ତଖତ କରିବା ସମୟରେ ଉଭୟ ମଜାମସ୍ତି କରୁଥିବା ନଜର ଆସିଛନ୍ତି। ସୂର୍ଯ୍ୟକୁମାର ଦୁବାଇର ଡାନ୍ୟୁବ ପ୍ରପର୍ଟିଜ ଜରିଆରେ ଏହି ସମ୍ପତ୍ତି କିଣିଛନ୍ତି।
ଦୁବାଇରେ ଘର କିଣିବା ପଛର କାରଣ ବିଷୟରେ ସୂର୍ଯ୍ୟକୁମାର କହିଛନ୍ତି ଯେ ତାଙ୍କୁ ଦୁବାଇ ଆସିବାକୁ ଭଲ ଲାଗେ। ୨୦୧୪ ଆଇପିଏଲ ସମୟରେ ସେ ପ୍ରଥମ ଥର ପାଇଁ ଏଠାକୁ ଆସିଥିଲେ। ପରେ ୨୦୨୦ରେ ମଧ୍ୟ ଏଠାକୁ ଆସିବାର ସୁଯୋଗ ମିଳିଥିଲା।
ସୂର୍ଯ୍ୟଙ୍କ କହିବା ଅନୁସାରେ, ଦୁବାଇରେ ରହିବାର ଅନୁଭବ ନିଆରା। ଏଠାକାର ଜୀବନଶୈଳୀ, ବିଳାସପୂର୍ଣ୍ଣ ସୁବିଧା ଓ ସୁରକ୍ଷା ତାଙ୍କୁ ଆକର୍ଷିତ କରିଛି।
ସେ କହିଛନ୍ତି, ଆମେ ଏଠାରେ ଆଇପିଏଲ ଖେଳିଛୁ। ୨୦୧୪ରେ ପ୍ରଥମ ଥର ଆସିଥିଲି ଏବଂ ୨୦୨୦ରେ ମଧ୍ୟ ଏଠାକୁ ଆସିଥିଲୁ। ଭାରତର ଲୋକମାନେ ଏବେ ଦୁବାଇ ପ୍ରତି ଆକର୍ଷିତ ହେଉଛନ୍ତି। ଏଠାକାର ବିଳାସପୂର୍ଣ୍ଣ ଜୀବନଶୈଳୀ ଓ ଜୀବନଧାରଣର ମାନ ଭିନ୍ନ। ମୁମ୍ବାଇରେ ମୁଁ ଯେଉଁଠି ରହୁଛି, ସେଠାରେ ମଧ୍ୟ ସୁରକ୍ଷା ରହିଛି। କିନ୍ତୁ ଦୁବାଇ ମଧ୍ୟ ସୁରକ୍ଷା ଦୃଷ୍ଟିରୁ ବହୁତ ଭଲ। ଏଠାକୁ ଆସିଲେ ମୋତେ ଆରାମ ଲାଗେ ଏବଂ ମୁଁ ଖୁସି ଅନୁଭବ କରେ।
ସୂର୍ଯ୍ୟକୁମାର ଯାଦବଙ୍କ ନୂଆ ଘରକୁ ନେଇ ଆଉ ଏକ ଚର୍ଚ୍ଚା ହେଉଛି। ତାଙ୍କ ଘର ବଲିଉଡ ସୁପରଷ୍ଟାର୍ ଶାହରୁଖ ଖାନଙ୍କ ନାମ ସହ ଜଡ଼ିତ ଏକ ବିଲ୍ଡିଂ ନିକଟରେ ରହିଛି। ଦୁବାଇରେ ‘ଶାହରୁଖଙ୍କ ରେସିଡେନ୍ସ’ ନାମରେ ଏକ ବିଲ୍ଡିଂ ନିର୍ମାଣ କରୁଛି ଡାନ୍ୟୁବ ଗ୍ରୁପ। ସୂର୍ଯ୍ୟ ଏହି ବିଲ୍ଡିଂ ନିକଟରେ ଘର କିଣିଥିବା ରିପୋର୍ଟରେ କୁହାଯାଇଛି।
ଭିଡିଓର ଶେଷ ଭାଗରେ ସୂର୍ଯ୍ୟ ଓ ଦେବିଶା ଦସ୍ତଖତ କରିବାକୁ ନେଇ ମଜା କରୁଥିବା ଦେଖାଯାଇଛି। ଦେବିଶା ମଧ୍ୟ କହିଛନ୍ତି ଯେ ତାଙ୍କ ପରାମର୍ଶରେ ସୂର୍ଯ୍ୟ ଦୁବାଇରେ ସମ୍ପତ୍ତି କିଣି ଭଲ ନିଷ୍ପତ୍ତି ନେଇଛନ୍ତି।
ସୂର୍ଯ୍ୟକୁମାର ଯାଦବଙ୍କ ପାଇଁ ଦୁବାଇରେ ସମ୍ପତ୍ତି କିଣିବା ପ୍ରଥମ ନିବେଶ ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି। ଆଇପିଏଲ ୨୦୨୬ ପରେ ସେ କୌଣସି ପେସାଦାର କ୍ରିକେଟ ମ୍ୟାଚ ଖେଳିନଥିବା ବେଳେ ନିକଟରେ ମୁମ୍ବାଇର ଏକ ସ୍ଥାନୀୟ T20 ଟୁର୍ନାମେଣ୍ଟରେ ଖେଳୁଥିବା ଦେଖାଯାଇଥିଲେ। ଭାରତୀୟ ଦଳଠାରୁ ଦୂରରେ ଥିଲେ ମଧ୍ୟ ସେ କେବେ ପଡକାଷ୍ଟ, ତ କେବେ ସାକ୍ଷାତକାର ଏବଂ ଏବେ ନିଜର ନୂଆ ସମ୍ପତ୍ତିକୁ ନେଇ ଚର୍ଚ୍ଚାରେ ରହିଛନ୍ତି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।