ଅମିତ ଶାହ କହିଲେ ମୁଁ ସଂସଦରେ ଉତ୍ତର ଦେବି, ରାହୁଲ ଗାନ୍ଧୀ କହିଲେ, ଆମର କିଛି ଫରକ ପଡ଼ୁନି

Aug 12, 2026 - 13:54
ଅମିତ ଶାହ କହିଲେ ମୁଁ ସଂସଦରେ ଉତ୍ତର ଦେବି, ରାହୁଲ ଗାନ୍ଧୀ କହିଲେ, ଆମର କିଛି ଫରକ ପଡ଼ୁନି

ନୂଆଦିଲ୍ଲୀ : ନିଟ୍‌ ଛାତ୍ର ଆନ୍ଦୋଳନ ଉପରେ ହୋଇଥିବା କାର୍ଯ୍ୟାନୁଷ୍ଠାନ ନେଇ ଗୃହମନ୍ତ୍ରୀ ଅମିତ ଶାହଙ୍କ ବିବୃତ୍ତି ଏବଂ ରାମ ମନ୍ଦିର ଦାନ ଅର୍ଥ ଚୋରି ଅଭିଯୋଗ ଉପରେ ଆଲୋଚନା ଦାବିକୁ ନେଇ ସଂସଦରେ ହଟ୍ଟ‌ଗୋଳ ଜାରି ରହିଥିଲା। ଏହି ସମୟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ ବିରୋଧୀ ଦଳ ଆଲୋଚନା ପାଇଁ ଔପଚାରିକ ଭାବେ ଚିଠି ଦେଲେ ସରକାର ଗୃହରେ ଆଲୋଚନା କରିବାକୁ ପ୍ରସ୍ତୁତ। ସଂସଦର ହଟ୍ଟଗୋଳ ଦୂର କରିବା ପାଇଁ ଅମିତ ଶାହ ବୁଧବାର ବିରୋଧୀ ଦଳକୁ ୨୪ ଘଣ୍ଟା ଆଲୋଚନାର ସୁଯୋଗ ଦେବାକୁ ପ୍ରସ୍ତାବ ରଖିଥିଲେ। ସେ କହିଥିଲେ ଯେ ସେ ବିରୋଧୀଙ୍କ ସମସ୍ତ ପ୍ରଶ୍ନର ଉତ୍ତର ଦେବାକୁ ପ୍ରସ୍ତୁତ ଏବଂ ବୁଧବାର ଅପରାହ୍ନ ୩ଟାରୁ ଗୁରୁବାର ଅପରାହ୍ନ ୩ଟା ପର୍ଯ୍ୟନ୍ତ ଗୃହରେ ଉପସ୍ଥିତ ରହିବେ। କିନ୍ତୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏହି ପ୍ରସ୍ତାବକୁ ଖାରଜ କରି କହିଥିଲେ, ସେ କ’ଣ କହିବେ ଆମ ଉପ‌ରେ କିଛି ଫରକ ପଡ଼ୁନି। ଶାହ କହିଛନ୍ତି, ଚିଠି ଲେଖି ଦାଖଲ କରନ୍ତୁ। ଆଜି ଅପରାହ୍ନ ୩ଟାରୁ ଆମେ ଏହି ବିଷୟରେ ଆଲୋଚନା କରିବୁ ଏବଂ ଆସନ୍ତାକାଲି ଅପରାହ୍ନ ୩ଟା ପର୍ଯ୍ୟନ୍ତ ମୁଁ ଆଲୋଚନା ପାଇଁ ପ୍ରସ୍ତୁତ। ସେ ଆହୁରି କହିଛନ୍ତି ଯେ ବିରୋଧୀ ଉଠାଇଥିବା ଯେକୌଣସି ପ୍ରଶ୍ନର ଉତ୍ତର ଦେବାକୁ ସେ ପ୍ରସ୍ତୁତ। ବିରୋଧୀ ନେତାମାନେ ତାଙ୍କୁ ନିଖୋଜ ବୋଲି କହିବାର ଜବାବରେ ଶାହ କହିଥିଲେ ଯେ ମୌସୁମୀ ଅଧିବେଶନ ଆରମ୍ଭ ହେବା ଦିନଠାରୁ ସେ ନିୟମିତ ଭାବେ ସଂସଦକୁ ଆସୁଛନ୍ତି। ସେ କହିଥିଲେ, ଅଧିବେଶନ ଆରମ୍ଭ ହେବାଠାରୁ ମୁଁ ନିୟମିତ ଭାବେ ସଂସଦକୁ ଆସୁଛି। ମୁଁ ମୋ ଚାମ୍ବରରେ ବସୁଛି। କିନ୍ତୁ ବିରୋଧୀ ଦଳ ଯେତେବେଳେ ଉଭୟ ଗୃହରେ ସଂସଦକୁ କାର୍ଯ୍ୟ କରିବାକୁ ଦେଉନାହାନ୍ତି, ସେତେବେଳେ ଆଉ କ’ଣ କରାଯାଇପାରିବ। 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।