ଅଷ୍ଟ୍ରେଲିଆ ବିପକ୍ଷ ଯୁବ ଦିନିକିଆ: ଭାରତ ଶୃଙ୍ଖଳା ପୋଛିଲା

Sep 24, 2026 - 13:21

ରାଜକୋଟ: ଅଷ୍ଟ୍ରେଲିଆ ୧୯ ବର୍ଷରୁ କମ୍‌ ଦଳ ବିପକ୍ଷ ଯୁବ ଦିନିକିଆ ଶୃଙ୍ଖଳାକୁ ଘରୋଇ ଭାରତ ମୂଳପୋଛ କରିନେଇଛି। ବୁଧବାର ରାଜକୋର୍ଟର ନୀରଞ୍ଜନ ଶାହା ଷ୍ଟାଡ଼ିୟମରେ ଶେଷ ମ୍ୟାଚରେ ଭାରତ ଯୁବ ଦଳ ୬ ୱିକେଟ​‌େ​‌ର ଅଷ୍ଟ୍ରେଲିଆ ଯୁବ ଦଳକୁ ପରାସ୍ତ କରିଛି। ଏଥି ସହିତ ଭାରତୀୟ ଯୁବ ଦଳ ଶୃଙ୍ଖଳାକୁ ୩-୦ରେ ଜିତି ନେଇଛି। ଅଷ୍ଟ୍ରେଲିଆ ଯୁବ ଦଳ ଭାରତ ଯୁବ ଦଳ ସମ୍ମୁଖରେ ବିଜୟ ପାଇଁ ୨୫୫ରନ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। ଜବାବରେ ଭାରତୀୟ ଯୁବ ଦଳ ଲକ୍ଷ୍ୟ ରାଜେଶ ରାଇଚାନ୍ଦିନୀଙ୍କ ଅପରାଜିତ ୧୧୦ରନ ବଳରେ ୫୨ଟି ବଲ ବାକିଥାଇ ୪ ୱିକେଟରେ ୨୫୫ରନ କରି ବିଜୟୀ ହୋଇଥିଲା।
ଭାରତ ବିଜୟ ଲକ୍ଷ୍ୟକୁ ଦୃଢତାର ସହିତ ପିଛା କରିଥିଲା। ଦୁଇ ଓପନର ଲକ୍ଷ୍ୟ ରାଇଚାନ୍ଦିନୀ ଓ ଆର୍ଯ୍ୟବୀର ସେହ୍ବାଗ ୫୮ରନ ସଂଗ୍ରହ କରିଥିଲେ। ଆର୍ଯ୍ୟବୀର ୩୪ରନ କରି ଆଉଟ୍‌ ହୋଇଥିଲେ। ଦ୍ବିତୀୟ ୱିକେଟର ପତନ ୮୯ରନରେ ଘଟିଥିଲା। ଭିକେ ଭିନିଥ ୧୦ରନ କରି ଆଉଟ୍‌ ହୋଇଥିଲେ। ତୃତୀୟ ୱିକେଟରେ କୁସାଗ୍ର ଓଝା ଓ ଲକ୍ଷ୍ୟ ରାଇଚାନ୍ଦିନୀ ୮୫ରନ ଭାଗିଦାରୀ କରିଥିଲେ। ୧୭୪ରନ ସ୍କୋର ଥିବାବେଳେ କୁସାଗ୍ରା ୪୫ରନରେ ଆଉଟ୍‌ ହୋଇଥିଲେ। ଅର୍ଜୁନ ରାଜପୁତ ଖାତା ଖୋଲିପାରିନଥିଲେ। ପଞ୍ଚମ ୱିକେଟରେ ଲକ୍ଷ୍ୟ ଓ ରଜତ ବାଘେଲ ଅବିଭାଜିତ ୮୦ରନ ସଂଗ୍ରହ କରି ଦଳକୁ ବିଜୟୀ କରାଇଥିଲେ। ଲକ୍ଷ୍ୟ ୧୦୬ଟି ବଲରୁ ୯ଟି ଚୌକା ଓ ୩ଟି ଛକା ସହ ୧୧୦ ଓ ରଜତ ୪୪ରନ କରି ଅପରାଜିତ ରହିଥିଲେ। ଅଷ୍ଟ୍ରେଲିଆ ଯୁବ ଦଳ ପକ୍ଷରୁ ସ୍ପେନସର ଗ୍ରୀନ ଦୁଇଟି ୱିକେଟ ନେଇଥିଲେ। ଅଷ୍ଟ୍ରେଲିଆ ଯୁବ ଦଳ ପ୍ରଥମେ ବ୍ୟାଟିଂ କରି ୪୯.୩ ଓଭରରେ ୨୫୪ରନରେ ଅଲ୍‌ଆଉଟ୍‌ ହୋଇଯାଇଥିଲା।ଜେଡ୍‌ ହୋଲିକ୍‌ ୮୭, ନିଲ ପଟେଲ ୫୧ ଓ ବ୍ଲାକ କାଟେଲ ୩୮ରନ କରିଥିଲେ। ଭାରତ ଯୁବ ଦଳ ପକ୍ଷରୁ ମାନାଲ ଚୌହ୍ବାନ ଓ ମୋହିତ ଉଲ୍‌ଭା ୩ଟି ଲେଖାଏଁ ୱିକେଟ ନେଇଥିଲେ। ଲକ୍ଷ୍ୟ ରାଇଚାନ୍ଦିନୀ ପ୍ଳେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ। ଭାରତ ପ୍ରଥମ ମ୍ୟାଚକୁ ୭ ରନରେ ଓ ୨ୟ ମ୍ୟାଚକୁ ୧୦୩ରନରେ ଜିତିଥିଲା।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAJA LIVE - ସମାଜ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAJA LIVE - ସମାଜ ଦେଖନ୍ତୁ।