ଆକାଶରେ ବଡ଼ ସଙ୍କଟ ; ୨୮ ହଜାର ଫୁଟ୍ ତଳକୁ ଖସିଲା ବ୍ରିଟିଶ ଏୟାରୱେଜ୍ ବିମାନ

Oct 05, 2026 - 22:18
ଆକାଶରେ ବଡ଼ ସଙ୍କଟ ; ୨୮ ହଜାର ଫୁଟ୍ ତଳକୁ ଖସିଲା ବ୍ରିଟିଶ ଏୟାରୱେଜ୍ ବିମାନ

ନନ୍ଦିଘୋଷ ବ୍ୟୁରୋ: ଲଣ୍ଡନରୁ ସିକାଗୋ ଯାଉଥିବା ବ୍ରିଟିଶ ଏୟାରୱେଜ୍‌ର ଏକ ବିମାନ ଆକାଶମାର୍ଗରେ ବଡ଼ ଧରଣର ସଙ୍କଟର ସମ୍ମୁଖୀନ ହୋଇଛି। ଆୟରଲାଣ୍ଡ ଉପରେ ଉଡ଼ୁଥିବା ସମୟରେ ବିମାନଟି ହଠାତ୍ ପ୍ରାୟ ୨୮,୦୦୦ ଫୁଟ୍ ତଳକୁ ଖସିଆସିବା ପରେ ଆକାଶମାର୍ଗରେ ଆଶଙ୍କା ସୃଷ୍ଟି ହୋଇଥିଲା। ଫ୍ଲାଇଟ୍-ଟ୍ରାକିଂ ତଥ୍ୟରୁ ଏହି ଦ୍ରୁତ ଅବତରଣ ସମ୍ପର୍କରେ ସୂଚନା ମିଳିଛି।
ଉଡ଼ାଣ ସମୟରେ ବିମାନଟି ଅନ୍ତର୍ଜାତୀୟ ସ୍ତରରେ ସ୍ୱୀକୃତ ଜରୁରୀକାଳୀନ ଟ୍ରାନ୍ସପଣ୍ଡର କୋଡ୍ ‘୭୭୦୦’ ପ୍ରସାରଣ କରିଥିଲା। ଏହି ସଙ୍କେତର ଅର୍ଥ ହେଉଛି ବିମାନରେ କୌଣସି ଜରୁରୀକାଳୀନ ସ୍ଥିତି କିମ୍ବା ଯାନ୍ତ୍ରିକ ଗୋଳମାଳ ଦେଖାଦେଇଛି। ଏହି ସଙ୍କେତ ମିଳିବା ମାତ୍ରେ ଏୟାର ଟ୍ରାଫିକ୍ କଣ୍ଟ୍ରୋଲ୍ (ATC) ଏବଂ ସମ୍ପୃକ୍ତ କର୍ତ୍ତୃପକ୍ଷ ତୁରନ୍ତ ସତର୍କ ହୋଇପଡ଼ିଥିଲେ।

ଘଟଣାରେ ଜଡ଼ିତ ବିମାନଟି ଥିଲା ବୋଇଂ ୭୭୭-୨୦୦ER ବିମାନଟିର ପଞ୍ଜୀକରଣ ନମ୍ବର G-VIIA । ଏହା ସ୍ଥାନୀୟ ସମୟ ସକାଳ ପ୍ରାୟ ୧୧ଟା ୫୦ ମିନିଟ୍‌ରେ ଲଣ୍ଡନର ହିଥ୍ରୋ ବିମାନବନ୍ଦର ଟର୍ମିନାଲ-୫ରୁ ସିକାଗୋ ଅଭିମୁଖେ ଉଡ଼ାଣ ଆରମ୍ଭ କରିଥିଲା। ଏହି ସମ୍ପୂର୍ଣ୍ଣ ଯାତ୍ରା ପାଇଁ ନିର୍ଦ୍ଧାରିତ ସମୟ ପ୍ରାୟ ୮ ଘଣ୍ଟା ୪୦ ମିନିଟ୍ ରହିଥିଲା।

ଫ୍ଲାଇଟ୍ ଟ୍ରାକିଂ ଡାଟା ଅନୁସାରେ, ବିମାନଟି ୩୭,୦୦୦ ଫୁଟ୍ ଉଚ୍ଚତାରେ ଉଡ଼ୁଥିଲା। ମାତ୍ର ଆୟରଲାଣ୍ଡ ଆକାଶମାର୍ଗରେ ସମସ୍ୟା ଦେଖାଦେବାରୁ ଏହା ଦ୍ରୁତ ଗତିରେ ୯,୦୦୦ ଫୁଟ୍ ଉଚ୍ଚତାକୁ ଖସି ଆସିଥିଲା। ଏହା ପରେ ପାଇଲଟ୍ ସିକାଗୋ ଯାତ୍ରା ବାତିଲ କରି ବିମାନର ଦିଗ ପରିବର୍ତ୍ତନ କରିଥିଲେ ଏବଂ ପୁନର୍ବାର ଲଣ୍ଡନ ହିଥ୍ରୋ ବିମାନବନ୍ଦରକୁ ସୁରକ୍ଷିତ ଭାବେ ଫେରାଇ ଆଣିଥିଲେ।

ତେବେ ବିମାନରେ କେଉଁ କାରଣରୁ ଏପରି ଜରୁରୀକାଳୀନ ପରିସ୍ଥିତି ଉପୁଜିଲା, ସେ ନେଇ ବ୍ରିଟିଶ ଏୟାରୱେଜ୍ ପକ୍ଷରୁ କୌଣସି ସ୍ପଷ୍ଟୀକରଣ ମିଳିପାରିନାହିଁ। କ୍ୟାବିନ୍ ପ୍ରେସର୍ ହ୍ରାସ କିମ୍ବା ଅନ୍ୟ କୌଣସି ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏପରି ହୋଇଥାଇପାରେ ବୋଲି ଅନୁମାନ କରାଯାଉଥିଲେ ମଧ୍ୟ ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ତଦନ୍ତ ଜାରି ରହିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।