ଆକ୍ସନ ମୋଡ୍ରେ ବିଇଓ: ପ୍ରଧାନଶିକ୍ଷକଙ୍କୁ ନିଲମ୍ବନ, ଦୁଇ ଶିକ୍ଷକଙ୍କ ଦରମା ବନ୍ଦ
ଉଦଳା,୩ା୯(ସନ୍ତୋଷ ବାଛିନୀ): ଆକ୍ସନ ମୋଡ୍ରେ କପ୍ତିପଦା ବିଇଓ। କାର୍ଯ୍ୟରେ ଅବହେଳା ଏବଂ ନିୟମ ଉଲ୍ଲଂଘନ ପାଇଁ ଜଣେ ପ୍ରଧାନଶିକ୍ଷକଙ୍କୁ ନିଲମ୍ବନ କରିବା ସହିତ ଦୁଇ ଜଣଙ୍କ ଦରମା ବନ୍ଦ କରିଛନ୍ତି ବିଇଓ। ଏହା ସହିତ ଜଣେ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି। ଭୁତାସାହି ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ମାତାଲ ଅବସ୍ଥାରେ ବିଦ୍ୟାଳୟକୁ ଆସିଥିବାରୁ ତାଙ୍କୁ ନିଲମ୍ବନ କରିବା ସହିତ ଦରମା ବନ୍ଦ କରାଯାଇଛି। ଏହା ସହିତ ଗଜାଆମ୍ବ ବିଦ୍ୟାଳୟର ସହକାରୀ ଶିକ୍ଷକ ବାପି ହେମ୍ବ୍ରମ ଏବଂ କାଠଚୁଆ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ରାମ ଚନ୍ଦ୍ର ହାଁସଦା ନିଶାସକ୍ତ ଅବସ୍ଥାରେ ବିଦ୍ୟାଳୟ ଆସିଥିବାରୁ ସେମାନଙ୍କ ଦରମା ବନ୍ଦ କରାଯାଇଛି। ଏହା ବ୍ୟତୀତ ବିନା କାରଣରେ ତିନି ଦିନ ବିଦ୍ୟାଳୟରେ ଅନୁପସ୍ଥିତ ଥିବାରୁ କାଠଚୁଆ ପ୍ରାଥମିକ ବିଦ୍ୟାଳୟ ସହକାରୀ ଶିକ୍ଷକ ସରୋଜ କରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି କପ୍ତିପଦା ବିଇଓ ପାନମଣି ବେସ୍ରା। ବିଇଓଙ୍କ ଏହି ଆକ୍ସନ ପରେ ଶିକ୍ଷକଙ୍କ ମହଲରେ ଭୟ ସୃଷ୍ଟି ହୋଇଛି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।