ଆଜି ଠାରୁ ବିଧାନସଭା ମୌସୁମୀ ଅଧିବେଶନ ଆରମ୍ଭ
ଭୁବନେଶ୍ବର : ଆଜି ଠାରୁ ସପ୍ତଦଶ ବିଧାନସଭାର ସପ୍ତମ (ମୌସୁମୀ) ଅଧିବେଶନ । ଅକ୍ଟୋବର ୩ ତାରିଖ ପର୍ଯ୍ୟନ୍ତ ଅଧିବେଶନ ଅନୁଷ୍ଠିତ ହେବ । ତା' ଭିତରେ ୯ଟି କାର୍ଯ୍ୟଦିବସ ଥିବାବେଳେ ମୋଟ ୩ଟି ଛୁଟି ରହିଛି। ୨୬ ଏବଂ ୨୭ ତାରିଖରେ ସରକାରୀ ଛୁଟି ରହିଛି। ଆସନ୍ତା ୨୮ରୁ ଅକ୍ଟୋବର ପହିଲା ପର୍ଯ୍ୟନ୍ତ ସରକାରୀ କାର୍ଯ୍ୟଦିବସ ରହିଥିବାବେଳେ ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ଅକ୍ଟୋବର ୨ ଛୁଟି ରହିଛି। ଅକ୍ଟୋବର ୩ ବିଧାନସଭାର ଶେଷଦିନ ରହିଥିବା ଜଣାପଡିଛି।
ପ୍ରଥମ ଦିନ ଗୃହ କାର୍ଯ୍ୟ ୧୦ଟା ୩୦ ମିନିଟ୍ରେ ଆରମ୍ଭ ହେବାକୁ ଥିବାବେଳେ ପ୍ରଥମେ ଦିବଂଗତ ନେତାମାନଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯିବ। ଏହାପରେ ପ୍ରଥମାର୍ଦ୍ଧରେ ଗୃହ କାର୍ଯ୍ୟ ମୁଲତବୀ ରଖାଯିବ ବୋଲି ବିଧାନସଭା ସଚିବାଳୟ ସୂତ୍ରରୁ ଜଣାପଡିଛି।
ଏହି ସ୍ବଳ୍ପ ଅବଧିର ଅଧିବେଶନ ବେଶ୍ ସରଗରମ ରହିବା ସମ୍ଭାବନା ରହିଛି। ଏହି ଅଧିବେଶନ ସମୟରେ ସରକାର ୬ଟି ବିଲ୍ ଗୃହରେ ଆଗତ କରିପାରନ୍ତି ବୋଲି ସୂତ୍ରରୁ ଜଣାପଡିଛି। ଅନ୍ୟପଟେ ବିଧାନସଭାରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବା ଲାଗି ସମ୍ପୂର୍ଣ୍ଣ ବ୍ୟବସ୍ଥା କରାଯାଇଛି।ଏମଏମଡିଆର ସଂଶୋଧନ ବିଲରୁ ନେଇ ପାଠ୍ୟ ପୁସ୍ତକ ତ୍ରୁଟି ସଂଶୋଧନ ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ ବିରୋଧୀ ଦଳ ରଣନୀତି କରିଛନ୍ତି । ଏମଏମଡିଆର ପ୍ରସଙ୍ଗରେ ମୋସନ ଆଲୋଚନା ପାଇଁ ବିଜେଡି ପକ୍ଷରୁ ନୋଟିସ ଦିଆଯାଇଥିବା ସୂଚନା ମିଳିଛି। ଅପରପକ୍ଷରେ ସରକାର ମଧ୍ୟ ସବୁ ପ୍ରସଙ୍ଗର ସାମ୍ନା କରିବାକୁ ପ୍ରସ୍ତୁତି ଚଳାଇଛନ୍ତି । ବିଧାନସଭାରେ ସରକାରଙ୍କୁ ଘେରିବା ପାଇଁ ବିରୋଧୀ ଦଳ କାର୍ଯ୍ୟକ୍ରମ ରଖିଛନ୍ତି।
ଗତକାଲି ବାଚସ୍ପତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ସୋମବାର ବିଧାନସଭା ପରିସରରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଉପବାଚସ୍ପତି ଭବାନୀ ଶଙ୍କର ଭୋଇ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ, ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ ପ୍ରଧାନ, ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ, ବିରୋଧୀ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, କଂଗ୍ରେସ ବିଧାୟକ ଦଳ ଉପନେତା ଅଶୋକ ଦାସ ପ୍ରମୁଖ ଉପସ୍ଥିତ ଥିଲେ । ବିଧାନସଭାର ଏହି ମୌସୁମୀ ଅଧିବେଶନକୁ ସୁରୁଖୁରୁରେ ଚଳାଇବା ପାଇଁ ବାଚସ୍ପତି ସବୁ ଦଳର ସହଯୋଗ ଲୋଡ଼ିଥିଲେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।