ଆଜି ନବରାତ୍ରୀର ତୃତୀୟ ଦିନ: କାହିଁକି “ଚନ୍ଦ୍ରଘଣ୍ଟା” ରୂପ ନେଲେ ମାଆ…
ଆଜି ନବରାତ୍ରୀର ତୃତୀୟ ଦିନ: କାହିଁକି “ଚନ୍ଦ୍ରଘଣ୍ଟା” ରୂପ ନେଲେ ମାଆ…
ନନ୍ଦିଘୋଷ ବ୍ୟୁରୋ: ଆଜି ନବରାତ୍ରୀର ତୃତୀୟ ଦିନ । ଏହି ଦିନ ଚନ୍ଦ୍ରଘଣ୍ଟା ରୂପରେ ପୂଜା ପାଆନ୍ତି ମାଆ ଜଗତଜନନୀ। କୁହାଯାଏ, ମା’ ଚନ୍ଦ୍ରଘଣ୍ଟାଙ୍କ ଘଣ୍ଟ ଧ୍ଵନିରେ ଅତ୍ୟାଚାରୀ ଦାନବ ଓ ଦୈତ୍ୟ ଭୟଭୀତ ହୋଇଥାଆନ୍ତି । ଏହି ସ୍ୱରୂପରେ ମା’ଙ୍କ ମସ୍ତକରେ ଘଣ୍ଟା ଆକାରର ଅର୍ଦ୍ଧଚନ୍ଦ୍ର ଥିବାରୁ ତାଙ୍କୁ ‘ଚନ୍ଦ୍ରଘଣ୍ଟା’ ବୋଲି କୁହାଯାଏ । ମାଆ ଚନ୍ଦ୍ରଘଣ୍ଟାଙ୍କ ମସ୍ତକରେ ଅର୍ଦ୍ଧଚନ୍ଦ୍ର ଧାରଣ କରିଥିବା ବେଳେ ସିଂହ ଉପରେ ବିରାଜି ଥାଆନ୍ତି ମାଆ ଦୁର୍ଗା ।
ପୁରାଣ ଅନୁଯାୟୀ, ବ୍ରହ୍ମାଙ୍କ ଠାରୁ ବରପ୍ରାପ୍ତ ପରେ ଦୁର୍ଗ ରାକ୍ଷସ ଆହୁରୀ ଶକ୍ତିଶାଳୀ ଓ ଅତ୍ୟାଚାରୀ ହୋଇଉଠିଲା । ତ୍ରିଲୋକ ଜିତିବା ପରେ ସେ ଦେବ ଲୋକ ଯାଇ ଦେବରାଜ ଇନ୍ଦ୍ରଙ୍କୁ ଭୟଭୀତ କରିଥିଲା। ଦେବଗଣ ଏକାଠି ହୋଇ ଲଢ଼ିଇ ଆରମ୍ଭ କରି ପରାସ୍ତ ହୋଇଥିଲେ । ଦୁର୍ଗ ଦୈତ୍ୟ ଦେବଗଣଙ୍କୁ ବନ୍ଦୀ କରି ନିଜ ଦୁର୍ଗର କାଳ କୋଠରୀରେ ନିର୍ଯ୍ୟାତନା ଦେଇଥିଲା । ଏହାପରେ ଦେବଗଣ ମହାଶକ୍ତିଙ୍କୁ ପ୍ରାର୍ଥନା କରିଥିଲେ । ମା’ ଆବିର୍ଭୂତ ହୋଇ ନିଜ ଅଗ୍ନିଗର୍ଭା ନେତ୍ରରେ ଦୁର୍ଗ ଧ୍ୱଂସ କରି ଦେବଗଣକୁ ଉଦ୍ଧାର କରିଥିଲେ । ଦୁର୍ଗ ରାକ୍ଷସ ଯେତେବେଳେ ଦୁର୍ଗା ମା’ଙ୍କୁ ଆକ୍ରମଣ କରିଥିଲା ସେହି ସମୟରେ ମା’ ସହସ୍ରଭୂଜା ହୋଇ ଅସୁମାରି ଶସ୍ତ୍ର ଧାରଣ କରି ରାକ୍ଷସକୁ ବଧ କଲେ । ସେହି ଦିନଠାରୁ ସେ ‘ଦୁର୍ଗ ନାଶକାରୀ ଦୁର୍ଗା’ ଭାବେ ମଧ୍ୟ ନାମିତ ।
ଅସୁରଙ୍କ ନାଶ କରିବା ପାଇଁ ମାଆ ଦୁର୍ଗାଙ୍କୁ ଭଗବାନ ଶିବ ତ୍ରିଶୁଳ ଓ ବିଷ୍ଣୁ ଚକ୍ର ପ୍ରଦାନ କରିଥିଲେ । ସେହିପରି ଦେବତା ମାଆଙ୍କ ହାତରେ ଅସ୍ତ୍ରଶସ୍ତ୍ର, ଦେବରାଜ ଇନ୍ଦ୍ର ଘଣ୍ଟା, ସୂର୍ଯ୍ୟ ଦେବତା ମାଆଙ୍କ ହାତରେ ଖଣ୍ତା ଓ ଯାତ୍ରା ପାଇଁ ସିଂହକୁ ବାହନ ରୂପେ ପ୍ରଦାନ କରିଥିଲେ । ଦେବୀ ‘ଚନ୍ଦ୍ରଘଣ୍ଟା’ ନବରାତ୍ରୀର ଶେଷ ଦିନରେ ମହିଷାସୁରକୁ ବଧ କରି ଜଗତକୁ ସୁରକ୍ଷା ଦେଇଥିଲେ ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।