ଆଜି ଭାଇ ଜିଉଁତିଆ, ଭାଇର ମଙ୍ଗଳ ମନାସୀ ଉପବାସରେ ଭଉଣୀ
ନନ୍ଦିଘୋଷ ବ୍ୟୁରୋ: ପଶ୍ଚିମ ଓଡ଼ିଶାରେ ଅନନ୍ୟ ପର୍ବ ଭାଇ ଜିଉଁତିଆ l ଦୁର୍ଗା ପୂଜା ସମୟରେ ଆଶ୍ୱିନ ଶୁକ୍ଳ ଅଷ୍ଟମୀ ଦିନ ଏହି ପର୍ବ ପାଳନ କରାଯାଏ । ଏହି ଦିନ ଭଉଣୀମାନେ ନିଜ ଭାଇର ଦୀର୍ଘାୟୁ, ସୁଖ ଓ ସମୃଦ୍ଧି ପାଇଁ ନିର୍ଜଳା ଉପବାସ କରିଥାଆନ୍ତି । ଭାଇ ମାନେ ‘ଭାଇ’ ଓ ଜିଉଁତିଆ ମାନେ ‘ରକ୍ଷା ସୂତା’ ।
ଭାଇ ଜିଉଁତିଆ ପଶ୍ଚିମ ଓଡ଼ିଶାର ରାକ୍ଷୀ ପୂର୍ଣ୍ଣିମା ଅଟେ । ଏହି ଦିନ ଭାଇ ହାତରେ ପବିତ୍ର ସୂତା ବାନ୍ଧି ମାଆ ଦୁର୍ଗାଙ୍କ ନିକଟରେ ଭାଇର ସୁଖ, ସମୃଦ୍ଧି ଓ ସୁରକ୍ଷା ପାଇଁ କାମନା କରିଥାଏ ଭଉଣୀ । ବିବାହିତ ଭଉଣୀମାନେ ଭାଇର ନିମନ୍ତ୍ରଣରେ ବାପ ଘରକୁ ଆସି ଏହି ଓଷା ପାଳନ କରନ୍ତି । ଏହା ଦ୍ୱାରା ଭାଇ-ଭଉଣୀ ସମ୍ପର୍କ ଆହୁରି ମଜବୁତ ହୁଏ । ଭଉଣୀମାନେ ଦିନ ସାରା ନିର୍ଜଳା ଉପବାସ କରନ୍ତି । ସନ୍ଧ୍ୟାରେ ଏକାଠି ହୋଇ ମା’ ଦୁର୍ଗାଙ୍କୁ ପୂଜା କରିବା ନେଇ ବିଧାନ ରହିଛି । ପ୍ରତି ଭାଇ ପାଇଁ ୧୦୮ ଦୁବ ଘାସ ଓ ୧୦୮ ଅରୁଆ ଚାଉଳକୁ ଶାଳ ପତ୍ରରେ ବିଡା କରି ରଙ୍ଗୀନ ଜିଉଁତିଆ ସୂତାରେ ବାନ୍ଧି ଦେବୀଙ୍କ ପାଖରେ ପୂଜା କରାଯାଏ । ପରଦିନ ସ୍ନାନ କରି, ସେହି ଦୁବ ବିଡାକୁ ଭାଇର ମୁଣ୍ଡରୁ ପାଦ ଯାଏଁ ୭ ଥର ଛୁଆଁଇ ମଙ୍ଗଳ କାମନା କରି ହାତରେ ଜିଉଁତିଆ ବାନ୍ଧନ୍ତି। ଭାଇ ଭଉଣୀକୁ ଉପହାର ଓ ମିଠା ଦେଇ ଉପବାସ ଭାଙ୍ଗିଥାଆନ୍ତି । ବୌଦ୍ଧ ଜିଲ୍ଲା କଣ୍ଟାମାଲର ସହର ଓ ପୁରପଲ୍ଲୀରେ ବେଶ ପାଳିତ ହୁଏ ଏହି ଭାଇ ଜିଉଁତିଆ ପର୍ବ l
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।