ଆଜି ଭୀଷଣ ବାତ୍ୟାର ରୂପ ନେବ ‘ମୁରାସୁ: ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷିବ, ଏହି ୫ ଜିଲାକୁ ଅଧିକ…
ଭୁବନେଶ୍ୱର,୧ା୧୧(ବନ୍ଦନା ସେଠୀ) – ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ମୁରାସୁ’। ରବିବାର ସନ୍ଧ୍ୟା ସୁଦ୍ଧା ଏହା ତାମିଲନାଡୁର ଚେନ୍ନାଇଠାରୁ ୪୮୦ କି.ମି., ଆନ୍ଧ୍ରପ୍ରଦେଶର ନେଲୋରଠାରୁ ୫୫୦ କି.ମି., ମଚ୍ଛଲିପଟନମ୍ଠାରୁ ୫୬୦ କି.ମି. ଓ ବିଶାଖାପାଟଣାଠାରୁ ୬୧୦ କି.ମି. ଦୂରରେ ରହିଥିଲା। ବାତ୍ୟା ଧୀରେ ଧୀରେ ଘନୀଭୂତ ହେବା ସହ ସମୁଦ୍ରରୁ ବଳ ଗୋଟାଇ ଘଣ୍ଟାପ୍ରତି ୨୭ କି.ମି. ବେଗରେ ଆଗକୁ ବଢୁଛି।
ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି)ର ଆକଳନ ଅନୁଯାୟୀ, ଏହି ବାତ୍ୟା ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତିକରି ୨ ତାରିଖ ସୋମବାର ସକାଳ ସୁଦ୍ଧା ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଅଧିକ ଘନୀଭୂତ ହୋଇ ଭୀଷଣ ବାତ୍ୟାର ରୂପ ନେବ। ଏହାପରେ ସେହି ଦିଗରେ ଗତିକରି ରାତି ସାଢ଼େ ୧୧ଟାରୁ ୩ ତାରିଖ ମଙ୍ଗଳବାର ଭୋର୍ ୪ଟା ମଧ୍ୟରେ ନେଲୋର ଓ ନରସାପୁର ମଧ୍ୟବର୍ତ୍ତୀ ଅଞ୍ଚଳରେ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି। ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୧୦୦ରୁ ୧୧୦ କି.ମି. ରହିବା ସହ ଝଟ୍କା ପବନର ବେଗ ସର୍ବାଧିକ ୧୨୦ କି.ମି. ପର୍ଯ୍ୟନ୍ତ ରହିପାରେ ବୋଲି ଆଇଏମ୍ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି।
ଅନ୍ୟପକ୍ଷରେ ମୁରାସୁ ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପୁଣି ବର୍ଷା ଭୟ ଦେଖାଦେଇଛି। ବିଶେଷକରି ନଭେମ୍ବର ୩ ଓ ୪ ତାରିଖ ଦକ୍ଷିଣ ଓଡ଼ିଶା ପାଇଁ ଅତି ଗୁରୁତ୍ୱପୂର୍ଣ୍ଣ ରହିଛି। ଏହି ସମୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା ଥିବାରୁ ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲାକୁ ଅଧିକ ବିପଦ ରହିଥିବା ସେ ସୂଚନା ଦେଇଛନ୍ତି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।