ଆଜି ମହାମାୟାଙ୍କ ବିଜୟ ଦଶମୀ, ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ରୀତି ନୀତି ଅନୁଷ୍ଠିତ

Oct 21, 2026 - 09:25
ଆଜି ମହାମାୟାଙ୍କ ବିଜୟ ଦଶମୀ, ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ରୀତି ନୀତି ଅନୁଷ୍ଠିତ

ଭୁବନେଶ୍ୱର/ପୁରୀ : ଆଜି ବିଜୟା ଦଶମୀ । ମାହାମାୟାଙ୍କ ଅନ୍ତିମ ପର୍ବ । ସତ୍ୟ ଉପରେ ଅସତ୍ୟ, ଅଧର୍ମ ଉପରେ ଧର୍ମର ଜୟ । ଘଣ୍ଟ, ଘଣ୍ଟା ଓ ମନ୍ତ୍ର ଉଚ୍ଚାରଣରେ ମୁଖରିତ ପୂଜା ମଣ୍ଡପ । ସକାଳୁ ସକାଳୁ ପୂଜାପାଠ ଚାଲିଛି । ସବୁଠି ଭକ୍ତିମୟ ପରିବେଶ । ମାଆଙ୍କ ଆଶିଷ ଲାଭ ପାଇଁ ବିଭିନ୍ନ ମଣ୍ଡପରେ ଜମୁଛି ଭକ୍ତଙ୍କ ଭିଡ଼। ପବିତ୍ର ବିଜୟା ଦଶମୀରେ ସ୍ବତନ୍ତ୍ର ରୀତିନୀତିରେ ଚାଲିଛି ପୂଜାର୍ଚ୍ଚନା  । ଜଗତଜନନୀ ମା ଦୁର୍ଗାଙ୍କ ଦର୍ଶନ କରି ପୁଣ୍ୟ ଅର୍ଜନ କରୁଛନ୍ତି ଭକ୍ତ ।

ରାବଣପୋଡ଼ି ପାଇଁ ଭୁବନେଶ୍ୱରର ୯ଟି ସ୍ଥାନକୁ ମିଳିଛି ଅନୁମତି । ରାବଣପୋଡ଼ି କାର୍ଯ୍ୟକ୍ରମ ସମୟରେ ଯେପରି କୌଣସି ଅଘଟଣ ନ ଘଟେ, ସେଥିପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ସୁରକ୍ଷା ବ୍ୟବସ୍ଥା ଉପରେ ନଜର ରଖାଯାଇଛି । ଆସନ୍ତାକାଲି ରାଜଧାନୀରେ ହେବ ସାମୂହିକ ବିସର୍ଜନ ।

ସେପଟେ, ଶ୍ରୀମନ୍ଦିରରେ ଆଜି ବିଜୟା ଦଶମୀରେ ମହାପ୍ରଭୁଙ୍କର ସ୍ୱତନ୍ତ୍ର ରୀତିନୀତି ଅନୁଷ୍ଠିତ ହୋଇଯାଇଛି । ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ଶ୍ରୀଜିଉ । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଅବକାଶ ନୀତି, ଚନ୍ଦନ, ନୂଆଲୁଗା, ୩୨ ମୂର୍ତ୍ତି ସ୍ୱର୍ଣ୍ଣ ଅଳଙ୍କାର ପରେ ସୁନାବେଶ ଅନୁଷ୍ଠିତ ହେବ । ପବିତ୍ର ଦଶହରା ଅବସରରେ ଶ୍ରୀମନ୍ଦିରରେ ଆୟୁଧ ପୂଜାନୀତି ସମ୍ପନ୍ନ କରାଯିବ। ସକାଳ ଧୂପ ସରିବା ପରେ ଆୟୁଧମାନଙ୍କୁ ମହାସ୍ନାନ ପୂର୍ବକ ବରୁଣ ପୂଜା କରାଯିବ । ମେକାପ ତିନୋଟି ରୁପା ଥାଳିରେ ଆୟୁଧ ରଖି ତଳୁଛ ଓ ପ୍ରଧାନୀ ସେବାୟତଙ୍କ ସହ ତିନିଥର ବଡ଼ଦେଉଳକୁ ପରିକ୍ରମା କରିବା ପରେ ପୁଷ୍ପାଳକ ବଳଭଦ୍ରଙ୍କ ବାଡ଼ରେ ହଳମୂଷଳ , ସୁଭଦ୍ରାଙ୍କ ବାଡ଼ରେ ସୁବର୍ଣ୍ଣ ତଡ଼କୀ ଓ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାଡ଼ରେ ଶଙ୍ଖଚକ୍ର ଆୟୁଧ ଲାଗି କରିବେ ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।