ଆଜି ସୁପ୍ରିମକୋର୍ଟକୁ ବିରୋଧୀଙ୍କ ପଦଯାତ୍ରା
ନୂଆଦିଲ୍ଲୀ,୧୨ା୧୦
ଭୋଟ ଚୋରି ପ୍ରସଙ୍ଗରେ ବିରୋଧୀ ନେତାମାନେ ସୋମବାର ସୁପ୍ରିମକୋର୍ଟକୁ ପଦଯାତ୍ରାରେ ଯାଇ ଦେଶର ସ୍ଥିତି ସମ୍ପର୍କରେ ଭାରତର ପ୍ରଧାନ ବିଚାରପତି (ସିଜେଆଇ) ସୂର୍ଯ୍ୟ କାନ୍ତଙ୍କୁ ଅବଗତ କରାଇବା ସହ ତାଙ୍କ ହସ୍ତକ୍ଷେପ ପାଇଁ ନିବେଦନ କରିବେ। ବିରୋଧୀ ନେତାମାନେ ସୋମବାର ଅପରାହ୍ନରେ ଇଣ୍ଡିଆ ଗେଟ୍ ନିକଟରେ ଏକତ୍ର ହେବା ପରେ ଅଭୂତପୂର୍ବ ପଦଯାତ୍ରାରେ ସୁପ୍ରିମକୋର୍ଟକୁ ଯିବେ। ଇଣ୍ଡିଆ ବ୍ଲକ୍ର ଏହି ବିକ୍ଷୋଭ ପଦଯାତ୍ରାରେ ବିରୋଧୀ ନେତାମାନଙ୍କ ସମେତ ସିଭିଲ ସୋସାଇଟି ଗ୍ରୁପ୍ ଓ ଅନ୍ୟମାନେ ସାମିଲ ହେବାକୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆହ୍ବାନ ଦେଇଛନ୍ତି। ଇଣ୍ଡିଆ ବ୍ଲକ୍ର ପୂର୍ବ ୨ଟି ବିକ୍ଷୋଭ ଶୋଭାଯାତ୍ରାରେ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ ଅନୁପସ୍ଥିତ ଥିଲାବେଳେ ସୋମବାରରେ ପଦଯାତ୍ରାରେ ସାମିଲ ହେବେ ବୋଲି ଜଣାପଡ଼ିଛି।
ସିଇସି ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଶନିବାର ସିଜେପି ନେତୃତ୍ୱରେ ଆନ୍ଦୋଳନ ହେବାକୁ ଥିବାବେଳେ ଏହାକୁ ବନ୍ଦ କରିବା ପାଇଁ କେନ୍ଦ୍ରୀୟ ଦିଲ୍ଲୀକୁ ସୁରକ୍ଷା ବଳର ଏକ ଦୁର୍ଗରେ ପରିଣତ କରାଯିବା ସହ ଅନେକ ହଜାର ବିକ୍ଷୋଭକାରୀ ଓ ନେତାଙ୍କୁ ଅଟକ ରଖାଯାଇଥିଲା। ଏହାର ପ୍ରତିବାଦରେ ସୋମବାର ହେବାକୁ ଥିବା ବିକ୍ଷୋଭ ପଦଯାତ୍ରାରେ ସାମିଲ ହେବା ପାଇଁ ଜନସାଧାରଣଙ୍କୁ ବିରୋଧୀ ଦଳଗୁଡ଼ିକ ଅନୁରୋଧ କରିଛନ୍ତି। ଭାରତୀୟ ଗଣତନ୍ତ୍ରର ସୁରକ୍ଷା କରିବାକୁ ହେଲେ ମୋଦି-ଶାହାଙ୍କ ଶାସନରେ ଦେଶବ୍ୟାପୀ ଭୋଟ ଚୋରି ବିରୋଧରେ ସୋମବାର ଦିଲ୍ଲୀରେ ହେବାକୁ ଥିବା ବିଶାଳ ବିକ୍ଷୋଭ ପଦଯାତ୍ରାରେ ସାମିଲ ହେବା ଲାଗି ପ୍ରତ୍ୟେକ ଭାରତୀୟଙ୍କୁ ଅପିଲ କରାଯାଇଥିବା କଂଗ୍ରେସ ସାଧାରଣ ସମ୍ପାଦକ କେ.ସି. ବେଣୁଗୋପାଳ କହିଛନ୍ତି। ଇଣ୍ଡିଆ ବ୍ଲକ୍ର ଏମ୍ପିମାନଙ୍କ ସମେତ ନେତା, କର୍ମୀ ଓ ବିଭିନ୍ନ ବର୍ଗର ଲୋକେ ଆନ୍ଦୋଳନରେ ସାମିଲ ହେବେ ଓ ସିଜେଆଇଙ୍କୁ ଉକ୍ତ ସଙ୍କଟରେ ହସ୍ତକ୍ଷେପ ପାଇଁ ସ୍ମାରକପତ୍ର ଦେବେ। ସିଜେଆଇ ସୂର୍ଯ୍ୟ କାନ୍ତଙ୍କ ହସ୍ତକ୍ଷେପ ନିମନ୍ତେ ନିବେଦନ କରିବାକୁ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ୍ ଖାର୍ଗେ ଓ ରାହୁଲ ସୋମବାର ତାଙ୍କୁ ଭେଟିବେ।
ତେବେ ସିଜେଆଇ କଂଗ୍ରେସ ନେତୃତ୍ୱାଧୀନ ଇଣ୍ଡିଆ ବ୍ଲକ୍ ନେତାମାନଙ୍କୁ ଭେଟିବାକୁ ମନା କରିଦେଇଛନ୍ତି। ଇଣ୍ଡିଆ ବ୍ଲକ୍ ନେତାମାନେ ସୁପ୍ରିମକୋର୍ଟକୁ ପଦଯାତ୍ରାରେ ଯାଇ ସିଜେଆଇଙ୍କୁ ଭେଟିବା ସହ ସ୍ମାରକପତ୍ର ଦେବାକୁ ଯୋଜନା କରିଥିଲେ। ତେବେ ସେମାନେ ଯେଉଁ ପ୍ରସଙ୍ଗ ଉଠାଇବାକୁ ଯୋଜନା କରିଛନ୍ତି, ତାହା ସର୍ବୋଚ୍ଚ ଅଦାଲତରେ ବିଚାରାଧୀନ ଅଛି। ତେଣୁ ସେମାନେ ଭେଟିବା ପରିବର୍ତ୍ତେ ପିଟିଶନ ଦାଖଲ କରିବାକୁ ସିଜେଆଇ କହିଛନ୍ତି। ପ୍ରଶାସନିକ ସ୍ତରରେ କୌଣସି ରାଜନୈତିକ ଦଳର ପ୍ରତିନିଧିଙ୍କୁ ଏଭଳି ଭେଟିବା ଅଧିକାର ଅଦାଲତଙ୍କର ନାହିଁ। ଅଦାଲତଙ୍କ କ୍ଷମତା ହେଉଛି ପିଟିଶନ ଶୁଣିବା ଓ ନ୍ୟାୟ ପ୍ରଦାନ କରିବା ବୋଲି ସିଜେଆଇ କହିଥିବା ଜଣାପଡ଼ିଛି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।