କମୁଛି କେନ୍ଦ୍ରୀୟ ସହାୟତା, ପୌରାଞ୍ଚଳକୁ ଟଙ୍କାଟିଏ ମିଳିନି
ଭୁବନେଶ୍ୱର,୧୨ା୧୦(ରବିନାରାୟଣ ଜେନା): କେନ୍ଦ୍ର ସରକାରଙ୍କ ପକ୍ଷରୁ କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନା(ସିଏସ୍ଏସ୍), ଷୋଡ଼ଶ ଅର୍ଥ ଆୟୋଗଙ୍କ ସୁପାରିସ ଓ ରାଜ୍ୟଗୁଡ଼ିକୁ ସ୍ବତନ୍ତ୍ର ସହାୟତା ଯୋଜନା(ଏସ୍ଏଏସ୍ସିଆଇ)ଭଳି ବିଭିନ୍ନ ପ୍ରକାରରେ ଆର୍ଥିକ ସହାୟତା ମିଳିଥାଏ। ଏହାକୁ ନେଇ ରାଜ୍ୟ ସରକାର ବଜେଟ ଆକଳନ କରିଥାନ୍ତି। ମାତ୍ର ଗତ ପ୍ରାୟ ଅଢ଼େଇ ବର୍ଷ ମଧ୍ୟରେ ରାଜ୍ୟ ଯେଉଁ ପରିମାଣର ଅର୍ଥ ପାଇବା ପାଇଁ କେନ୍ଦ୍ରଠାରୁ ଆଶା ରଖୁଛି ତାହା ଠିକଣା ଭାବେ ପାଉନାହିଁ। ଏପରି କି କେତେକ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା କ୍ଷେତ୍ରରେ ମଧ୍ୟ ଆଶାନୁରୂପ ସହାୟତା ମିଳୁନାହିଁ। ଚଳିତ ଆର୍ଥିକବର୍ଷର ଇତିମଧ୍ୟରେ ପ୍ରାୟ ୬ମାସ ବିତି ସାରିଲାଣି। ମାତ୍ର ଏପର୍ଯ୍ୟନ୍ତ କେତେକ ଯୋଜନାରେ ଟଙ୍କା ମିଳି ନ ଥିବା ଜଣାଯାଇଛି।
ସେପ୍ଟେମ୍ବର ୨୮ରେ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୃହକୁ ଦେଇଥିବା ତଥ୍ୟ ଅନୁଯାୟୀ, ରାଜ୍ୟର କୌଣସି ପୌରାଞ୍ଚଳ ପାଇଁ ଅଗଷ୍ଟ ସୁଦ୍ଧା ଅର୍ଥ ଆୟୋଗର ଅନୁଦାନ ବାବଦକୁ ଟଙ୍କାଟିଏର ସହାୟତା ମିଳିନାହିଁ। ଅର୍ଥ ଆୟୋଗର ଅନୁମୋଦନକୁ ନେଇ ରାଜ୍ୟ ସରକାର ୨୦୨୪-୨୫ରେ ପୌରାଞ୍ଚଳର ବିକାଶ ଲାଗି ୩,୮୦୪.୪୯କୋଟି ଟଙ୍କାର ବଜେଟ ଅଟକଳ କରିଥିଲେ। ଉକ୍ତ ବର୍ଷ ରାଜ୍ୟ ସରକାର ୨,୬୫୧.୭୩କୋଟି ଟଙ୍କା ପାଇଥିଲେ। ସେହିପରି ୨୦୨୫-୨୬ ଆର୍ଥିକବର୍ଷରେ ରାଜ୍ୟ ସରକାର ୩,୩୧୧.୨୭ କୋଟି ଟଙ୍କାର ବଜେଟ ଅଟକଳ କରିଥିବାବେଳେ ସେଥିମଧ୍ୟରୁ ୨,୬୩୩.୫୭କୋଟି ଟଙ୍କା ପାଇଥିଲେ। ମାତ୍ର ଚଳିତବର୍ଷ ସରକାର ସ୍ଥାନୀୟ ନିକାୟ ସଂସ୍ଥାମାନଙ୍କ ପାଇଁ ୩୦୫୬କୋଟି ଟଙ୍କାର ବଜେଟ କରିଥିଲେ ମଧ୍ୟ ଏହି ଅବଧି ମଧ୍ୟରେ ଗୋଟିଏ ବି ଟଙ୍କା ମିଳିନାହିଁ ବୋଲି ମୁଖ୍ୟମନ୍ତ୍ରୀ ମାଝୀ ଗୃହକୁ ଜଣାଇଛନ୍ତି।
ମୁଖ୍ୟମନ୍ତ୍ରୀଙ୍କ ତଥ୍ୟ ଅନୁଯାୟୀ, ସେପ୍ଟେମ୍ବର ୨୮ ସୁଦ୍ଧା କେବଳ ଯେ ପୌରାଞ୍ଚଳ ପାଇଁ ଓଡ଼ିଶାକୁ ଟଙ୍କାଟିଏ ମିଳିନାହିଁ ତାହା ନୁହେଁ, ଜାତୀୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠିକୁ ଅଂଶଦାନ ବାବଦକୁ ମଧ୍ୟ ଟଙ୍କାଟିଏ ମିଳିନାହିଁ। ଏହି କ୍ଷେତ୍ରରେ ପୂର୍ବରୁ କେନ୍ଦ୍ର ସରକାର ଆର୍ଥିକ ପରିମାଣ ହ୍ରାସ କରିଚାଲିଥିବାବେଳେ ଚଳିତ ଆର୍ଥିକବର୍ଷ ବାରମ୍ବାର ବନ୍ୟା ସତ୍ତ୍ୱେ ଗୋଟିଏ ବି ଟଙ୍କା ମିଳିନାହିଁ। ବିଭାଗର ତଥ୍ୟ ଅନୁଯାୟୀ, ୨୦୨୪-୨୫ରେ ରାଜ୍ୟ ସରକାର ଏହି ଜାତୀୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠିର ଅଂଶଦାନ ବାବଦକୁ କେନ୍ଦ୍ରଠାରୁ ୧୦୫୬.୮୩କୋଟି ଟଙ୍କା ପାଇବାକୁ ଲକ୍ଷ୍ୟ ରଖିଥିବାବେଳେ ୪୫.୦୯କୋଟି ଟଙ୍କା ପାଇଥିଲେ। ସେହିପରି ୨୦୨୫-୨୬ ବର୍ଷରେ ୧,୪୦୦କୋଟି ଟଙ୍କାରୁ ୬୦.୧୨କୋଟି ଟଙ୍କା ପାଇଥିବା ବେଳେ ଚଳିତବର୍ଷ ୧,୮୮୪.୨୫କୋଟି ଟଙ୍କା ବ୍ୟୟ ଅଟକଳରୁ ଏହି ଅବଧି ମଧ୍ୟରେ ଗୋଟିଏ ବି ଟଙ୍କା ମିଳିନାହିଁ। ସେହିପରି କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନା (ସିଏସ୍ଏସ୍)ରେ କ୍ରମଶଃ ଆର୍ଥିକ ସହାୟତା କମି ଯାଉଛି। ୨୦୨୪-୨୫ରେ ୨୫,୫୬୪.୩୯କୋଟି ଟଙ୍କା କେନ୍ଦ୍ରଠାରୁ ସିଏସ୍ଏସ୍ରେ ପାଇବାକୁ ବଜେଟ ଅଟକଳ ହୋଇଥିବାବେଳେ ରାଜ୍ୟ ସେଥିମଧ୍ୟରୁ ମାତ୍ର ୧୧,୩୮୪.୦୬ କୋଟି ଟଙ୍କା ପାଇଥିଲା। ଅନୁରୂପ ଭାବେ ୨୦୨୫-୨୬ରେ ରାଜ୍ୟର ବଜେଟ ଆକଳନ (କେନ୍ଦ୍ରଠାରୁ ସିଏସ୍ଏସ୍) ବଢ଼ି ୨୯,୧୦୧.୪୪ କୋଟି ଟଙ୍କାରେ ପହଞ୍ଚିଥିଲେ ହେଁ ମିଳିଥିଲା ମାତ୍ର ୯,୯୮୧.୦୧କୋଟି ଟଙ୍କା। ସେହିପରି ଚଳିତ ଆର୍ଥିକବର୍ଷର ଏହି ଅବଧି ମଧ୍ୟରେ ବଜେଟ ଆକଳନ ବଢ଼ି ୩୧, ୫୨୭କୋଟି ୨୯ଲକ୍ଷ ଟଙ୍କାରେ ପହଞ୍ଚିଥିଲେ ହେଁ ଓଡ଼ିଶା ପାଇଛି ମାତ୍ର ୨,୮୫୯.୩୪କୋଟି ଟଙ୍କା।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।