ଆଦିବାସୀ ଛାତ୍ରଙ୍କ ସମର୍ଥନରେ ଅଭିଜିତ ଦୀପକେଙ୍କ ବଡ଼ ଘୋଷଣା, ଦରକାର ପଡ଼ିଲେ…

Sep 04, 2026 - 10:02
ଆଦିବାସୀ ଛାତ୍ରଙ୍କ ସମର୍ଥନରେ ଅଭିଜିତ ଦୀପକେଙ୍କ ବଡ଼ ଘୋଷଣା, ଦରକାର ପଡ଼ିଲେ…

ମୁମ୍ବାଇ,୪।୯: ମହାରାଷ୍ଟ୍ରର ନାସିକରେ ଆନ୍ଦୋଳନରତ ଆଦିବାସୀ ଛାତ୍ରୀଛାତ୍ରଙ୍କୁ ଅନଶନ ଶେଷ କରିବାକୁ ଅପିଲ୍ କରିଛନ୍ତି କକରୋଚ୍ ଜନତା ପାର୍ଟି (CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେ। ଗୁରୁବାରନାସିକର ଇଦଗାହ ମୈଦାନରେ ଆନ୍ଦୋଳନ କରୁଥିବା ଛାତ୍ରଙ୍କୁ ଭେଟି ସେ ସେମାନଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତା ପ୍ରକାଶ କରିଥିଲେ । ତଥାପି ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖିବାକୁ ସେ ଆହ୍ୱାନ ଦେଇଛନ୍ତି ।

ଦୀପକେ ସୋସିଆଲ୍ ମିଡିଆ ‘ଏକ୍ସ’ରେ ଏକ ପୋଷ୍ଟ କରି କହିଛନ୍ତି ଯେ, ନାସିକରେ ଆଦିବାସୀ ଛାତ୍ରମାନେ ଦୀର୍ଘ ୧୨ ଦିନ ଧରି ଅନଶନରେ ବସିଛନ୍ତି। ଛାତ୍ରମାନଙ୍କୁ ମିଳୁଥିବା ସୁବିଧା, ଖାଦ୍ୟ ଓ ଶିକ୍ଷା କ୍ଷେତ୍ରରେ ଥିବା ଅସମାନତା ସମ୍ପୂର୍ଣ୍ଣ ଭାବେ ଅସ୍ୱୀକାରଯୋଗ୍ୟ ବୋଲି ସେ କହିଛନ୍ତି।

ଅଭିଜିତ ଦୀପକେ ଦାବି କରିଛନ୍ତି ଯେ, ଖାଦ୍ୟ ଓ ଶିକ୍ଷାରେ ଥିବା ଅସମାନତା କାରଣରୁ ଗତ ଦୁଇ ବର୍ଷ ମଧ୍ୟରେ ୫୯୦ ଜଣ ଆଦିବାସୀ ଛାତ୍ରଙ୍କ ମୃତ୍ୟୁ ଘଟିଛି। ଛାତ୍ରମାନଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ଅନଶନ ଶେଷ କରିବାକୁ ସେ ଅନୁରୋଧ କରିଥିବା କହିଛନ୍ତି। ଆବଶ୍ୟକ ପଡ଼ିଲେ ସମସ୍ତେ ମିଶି ମୁମ୍ବାଇ ପର୍ଯ୍ୟନ୍ତ ପଦଯାତ୍ରା କରିବେ ବୋଲି ମଧ୍ୟ ସେ କହିଛନ୍ତି।

ଦୀପକେଙ୍କ କହିବା ଅନୁଯାୟୀ, ଅନଶନରେ ବସିଥିବା ଜଣେ ଛାତ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିବାରୁ ତାଙ୍କୁ ହସ୍ପିଟାଲ୍‌କୁ ନିଆଯାଇଛି। ଆଦିବାସୀ ଛାତ୍ରମାନଙ୍କ ଦାବି ଉପରେ ପ୍ରଶ୍ନ ଉଠାଇ ସେ କହିଛନ୍ତି ଯେ, ଛାତ୍ରମାନେ କେବଳ ଭଲ ଖାଦ୍ୟ, ଉନ୍ନତ ହଷ୍ଟେଲ୍ ଓ ଭଲ ସ୍କୁଲ୍ ଦାବି କରୁଛନ୍ତି। ଏଭଳି ମୌଳିକ ସୁବିଧା ପାଇଁ ସେମାନଙ୍କୁ ୧୨ ଦିନ ଧରି ଭୋକରେ ରହିବାକୁ ପଡ଼ୁଛି ବୋଲି ସେ ଅଭିଯୋଗ କରିଛନ୍ତି। ଆଦିବାସୀ ଛାତ୍ରମାନଙ୍କୁ ମିଳୁଥିବା ଖାଦ୍ୟର ମାନକୁ ନେଇ ମଧ୍ୟ ଦୀପକେ ପ୍ରଶ୍ନ ଉଠାଇଛନ୍ତି । ସେ କହିଛନ୍ତି, ରାତି ୨ଟାରେ ଖାଦ୍ୟ ପ୍ରସ୍ତୁତ ହେଉଛି ଏବଂ ଛାତ୍ରମାନଙ୍କୁ ତାହା ଦ୍ୱିପ୍ରହରରେ ଖାଇବାକୁ ଦିଆଯାଉଛି। ସେ ମହାରାଷ୍ଟ୍ରର ମନ୍ତ୍ରୀମାନଙ୍କୁ ପ୍ରଶ୍ନ କରିଛନ୍ତି—ସେମାନଙ୍କ ପିଲାମାନଙ୍କୁ ଏଭଳି ଖାଦ୍ୟ ଦିଆଗଲେ ସେମାନେ ଗ୍ରହଣ କରିବେ କି?

ମହାରାଷ୍ଟ୍ରର ବିଭିନ୍ନ ଅଞ୍ଚଳରୁ ୧୦୦ରୁ ଅଧିକ ଆଦିବାସୀ ଛାତ୍ର ନାସିକର ଇଦଗାହ ମୈଦାନରେ ଆନ୍ଦୋଳନ କରୁଛନ୍ତି। ସେମାନଙ୍କ ମଧ୍ୟରୁ ୩ ଜଣ ଛାତ୍ର ଅନଶନରେ ବସିଛନ୍ତି। ଭଲ ଶିକ୍ଷା, ଉନ୍ନତ ସ୍କୁଲ୍, ଉତ୍ତମ ହଷ୍ଟେଲ୍ ଓ ଗୁଣାତ୍ମକ ଖାଦ୍ୟ ଭଳି ଦାବିକୁ ନେଇ ଛାତ୍ରମାନେ ଆନ୍ଦୋଳନ କରୁଛନ୍ତି।

 

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।