ଦଶ’ରା, ଦୀପାବଳିରେ ଘରକୁ ଯିବାକୁ ଚାହୁଁଥିଲେ ଖୁସିଖବର, ସ୍ପେଶାଲ ଟ୍ରେନ୍କୁ ନେଇ ରେଲେଓ଼୍ବର ବଡ଼ ଘୋଷଣା
ନୂଆଦିଲ୍ଲୀ,୪।୯: ନିଜ ଘରଠାରୁ ଦୂରରେ ଦିଲ୍ଲୀ, ମୁମ୍ୱାଇ, ଚଣ୍ଡିଗଡ଼ ଏବଂ ଅନ୍ୟାନ୍ୟ ବଡ଼ ବଡ଼ ସହରରେ ରହୁଥିବା ଲୋକଙ୍କ ପାଇଁ ଖୁସି ଖବର। ଦଶହରା, ଦୀପାବଳି ଏବଂ ଛଠ ପୂଜା ସମୟରେ ବହୁ ସଂଖ୍ୟାରେ ଲୋକ ନିଜ ନିଜ ଗାଁ ଓ ଘରକୁ ଫେରିଥାନ୍ତି। ଏଭଳି ସ୍ଥିତିରେ ଟ୍ରେନଗୁଡ଼ିକରେ ପ୍ରବଳ ଭିଡ଼ ଦେଖିବାକୁ ମିଳେ। ଯାତ୍ରୀମାନଙ୍କ ବଢ଼ୁଥିବା ସଂଖ୍ୟାକୁ ଦୃଷ୍ଟିରେ ରଖି ଉତ୍ତର ରେଳପଥ ପକ୍ଷରୁ ଅନେକ ସ୍ପେଶାଲ ଟ୍ରେନ ଚଳାଚଳ କରିବାକୁ ଘୋଷଣା କରାଯାଇଛି। ଏହି ଟ୍ରେନଗୁଡ଼ିକ ଦିଲ୍ଲୀ, ପାଟନା, ବାରାଣସୀ, ଚଣ୍ଡିଗଡ଼, ଅଯୋଧ୍ୟା ଏବଂ ଫିରୋଜପୁର ଭଳି ସହରଗୁଡ଼ିକୁ ସଂଯୋଗ କରିବ। ଗୁରୁବାର ବିଳମ୍ୱିତ ସଂଧ୍ୟାରେ ଉତ୍ତର ରେଳ ମୁଖ୍ୟାଳୟ ପକ୍ଷରୁ ଏହି ଟ୍ରେନଗୁଡ଼ିକୁ ନେଇ ନିର୍ଦ୍ଦେଶନାମା ଜାରି କରାଯାଇଛି।
ଟ୍ରେନ ଟିକେଟ ବୁକିଂ ୬୦ ଦିନ ପୂର୍ୱରୁ ଆରମ୍ଭ ହୋଇଯାଏ। ତେଣୁ ପର୍ୱପର୍ୱାଣି ସମୟରେ ଦିଲ୍ଲୀ, ମୁମ୍ୱାଇ ଏବଂ ବିହାର ଯାଉଥିବା ଅନେକ ନିୟମିତ ଟ୍ରେନରେ ବର୍ତ୍ତମାନଠାରୁ ହିଁ ଲମ୍ୱା ୱେଟିଂ ଲିଷ୍ଟ ଦେଖିବାକୁ ମିଳୁଛି। ଯାତ୍ରୀମାନେ ଯେପରି ଯାତ୍ରା ପାଇଁ ଅଧିକ ବିକଳ୍ପ ପାଇପାରିବେ, ସେଥିପାଇଁ ଅକ୍ଟୋବର ଓ ନଭେମ୍ୱର ମାସ ମଧ୍ୟରେ ସ୍ପେଶାଲ ଟ୍ରେନ ଚଳାଇବାକୁ ପ୍ରସ୍ତୁତି କରାଯାଇଛି। ଏହାଦ୍ୱାରା ନିୟମିତ ଟ୍ରେନରେ କନଫର୍ମ ଟିକେଟ ପାଇ ନ ଥିବା ଲୋକଙ୍କୁ ବଡ଼ ଆଶ୍ୱସ୍ତି ମିଳିପାରିବ। ଆସନ୍ତୁ ଜାଣିବା ଏହି ସ୍ପେଶାଲ ଟ୍ରେନଗୁଡ଼ିକ ବିଷୟରେ ସମ୍ପୂର୍ଣ୍ଣ ବିବରଣୀ:
ବାରାଣସୀ-ଦିଲ୍ଲୀ ଏବଂ ଅଯୋଧ୍ୟା କ୍ୟାଣ୍ଟ-ଆନନ୍ଦ ବିହାର ଟ୍ରେନ:
ବାରାଣସୀ-ଦିଲ୍ଲୀ ସ୍ପେଶାଲ (୦୪୨୦୯):ପ୍ରତି ସୋମବାର, ବୁଧବାର ଏବଂ ଶୁକ୍ରବାର ରାତି ୧୦:୧୫ ରେ ବାରାଣସୀରୁ ଛାଡ଼ି ପରଦିନ ଅପରାହ୍ନ ୧:୪୫ ରେ ଦିଲ୍ଲୀ ପହଞ୍ଚିବ।
ଫେରନ୍ତା ଟ୍ରେନ (୦୪୨୧୦): ପ୍ରତି ମଙ୍ଗଳବାର, ଗୁରୁବାର ଏବଂ ଶନିବାର ସନ୍ଧ୍ୟା ୬:୫୦ ରେ ଦିଲ୍ଲୀରୁ ଛାଡ଼ି ପରଦିନ ସକାଳ ୯:୫୦ ରେ ବାରାଣସୀରେ ପହଞ୍ଚିବ। ଏହି ସେବା ୨ ଅକ୍ଟୋବରରୁ ୨୯ ନଭେମ୍ୱର ପର୍ଯ୍ୟନ୍ତ ଚାଲିବ।
ଅଯୋଧ୍ୟା କ୍ୟାଣ୍ଟ-ଆନନ୍ଦ ବିହାର ସ୍ପେଶାଲ (୦୪୨୧୩): ପ୍ରତି ଗୁରୁବାର ଏବଂ ରବିବାର ସନ୍ଧ୍ୟା ୬:୨୦ ରେ ଅଯୋଧ୍ୟା କ୍ୟାଣ୍ଟରୁ ଛାଡ଼ି ପରଦିନ ସକାଳ ୬:୧୦ ରେ ଆନନ୍ଦ ବିହାର ପହଞ୍ଚିବ।
ଫେରନ୍ତା ଟ୍ରେନ (୦୪୨୧୪): ପ୍ରତି ଶୁକ୍ରବାର ଏବଂ ସୋମବାର ସକାଳ ୯:୦୦ ରେ ଆନନ୍ଦ ବିହାରରୁ ବାହାରି ରାତି ୧୦:୦୦ ରେ ଅଯୋଧ୍ୟା କ୍ୟାଣ୍ଟ ପହଞ୍ଚିବ। ଏହା ୧ ଅକ୍ଟୋବରରୁ ୩୦ ନଭେମ୍ୱର ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ରହିବ।
ପାର୍ୱଣ ଋତୁରେ ଘରକୁ ଯିବା ପାଇଁ ପ୍ରସ୍ତୁତ ହେଉଥିବା ଯାତ୍ରୀମାନଙ୍କୁ ଏହି ଟ୍ରେନଗୁଡ଼ିକ ମାଧ୍ୟମରେ ଟିକେଟ ବୁକିଂ ପାଇଁ ଅଧିକ ସୁବିଧା ମିଳିପାରିବ। ତେବେ ଯାତ୍ରା ପୂର୍ୱରୁ ଯାତ୍ରୀମାନେ ରେଳବାଇର ଅଫିସିଆଲ ସୂଚନା ନିଶ୍ଚୟ ଯାଞ୍ଚ କରିନେବା ଉଚିତ, କାରଣ ସମୟସାରଣୀରେ ପରିବର୍ତ୍ତନ ହୋଇପାରେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।