ଆନନ୍ଦପୁର କଲେଜ ନିର୍ବାଚନ ପାଇଁ ପୋଲିସ-ପ୍ରଶାସନର ସମନ୍ୱୟ ବୈଠକ: ପଡ଼ୁଛି ଉଠୁଛି କଲେଜ କ୍ୟାମ୍ପସ

Oct 07, 2026 - 14:42
ଆନନ୍ଦପୁର କଲେଜ ନିର୍ବାଚନ ପାଇଁ ପୋଲିସ-ପ୍ରଶାସନର ସମନ୍ୱୟ ବୈଠକ: ପଡ଼ୁଛି ଉଠୁଛି କଲେଜ କ୍ୟାମ୍ପସ

ବଞ୍ଚୋ, ୭।୧୦ (ପ୍ରଦୋଷ ବିଶ୍ୱାଳ): ଓଡ଼ିଶା ସରକାରଙ୍କ ନିର୍ଦ୍ଧାରିତ କଲେଜ ନିର୍ବାଚନକୁ ଶାନ୍ତିଶୃଙ୍ଖଳା ଓ ସୁରକ୍ଷିତ ଭାବେ ସମ୍ପନ୍ନ କରିବା ଲକ୍ଷ୍ୟରେ ଆନନ୍ଦପୁର ପୁଲିସ ଓ ଜିଲା ପ୍ରଶାସନ ପକ୍ଷରୁ ଆନନ୍ଦପୁର କଲେଜ କର୍ତ୍ତୃପକ୍ଷ ଏବଂ ବିଭିନ୍ନ ଅଂଶୀଦାରଙ୍କୁ ନେଇ ଏକ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଛି।ବୈଠକରେ ନିର୍ବାଚନ ପୂର୍ବ ଓ ପରବର୍ତ୍ତୀ ସମୟରେ ଆଇନଶୃଙ୍ଖଳା ବଜାୟ ରଖିବା, କୌଣସି ପ୍ରକାର ଗଣ୍ଡଗୋଳ କିମ୍ବା ମୁହାଁମୁହିଁ ପରିସ୍ଥିତିକୁ ଏଡ଼ାଇବା ସହ ନିର୍ବାଚନୀ ନିୟମ ଓ ପ୍ରଶାସନର ନିର୍ଦ୍ଦେଶନାମାକୁ କଡ଼ାକଡ଼ି ଭାବେ ପାଳନ କରିବା ନେଇ ଆଲୋଚନା ହୋଇଥିଲା।

ନିର୍ବାଚନ ସମୟରେ ପର୍ଯ୍ୟାପ୍ତ  ପୋଲିସ ମୁତୟନ ସହ ସମ୍ବେଦନଶୀଳ ଅଞ୍ଚଳଗୁଡ଼ିକ ଉପରେ ଘନିଷ୍ଠ ନଜର ରଖାଯିବ। ଶାନ୍ତି ଭଙ୍ଗ କିମ୍ବା ହିଂସା ସୃଷ୍ଟି କରିବାକୁ କେହି ଉଦ୍ୟମ କଲେ ତୁରନ୍ତ ଆଇନାନୁଯାୟୀ ପଦକ୍ଷେପ ନିଆଯିବ ବୋଲି ବୈଠକରେ ସ୍ପଷ୍ଟ କରାଯାଇଥିଲା।

ଛାତ୍ରଛାତ୍ରୀଙ୍କ ସମେତ ସମସ୍ତ ଅଂଶୀଦାରଙ୍କୁ ପୁଲିସ ଓ ପ୍ରଶାସନକୁ ସହଯୋଗ କରିବା ସହ ଶାନ୍ତିପୂର୍ଣ୍ଣ, ଶୃଙ୍ଖଳିତ ଓ ଗଣତାନ୍ତ୍ରିକ ନିର୍ବାଚନ ପ୍ରକ୍ରିୟାରେ ସହଭାଗୀ ହେବାକୁ ଆହ୍ୱାନ ଦିଆଯାଇଥିଲା।ଏନେଇ ଆନନ୍ଦପୁର ଏସ୍‌ଡିପିଓ କମଲ କୁମାର ପଣ୍ଡା ସୂଚନା ଦେଇଛନ୍ତି।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।