ଆମେରିକା-କାନାଡାର ଗରିବଙ୍କ ଆୟ ଭାରତର ଧନୀଙ୍କ ତୁଳନାରେ ଅଧିକ !

Oct 12, 2026 - 14:47
ଆମେରିକା-କାନାଡାର ଗରିବଙ୍କ ଆୟ ଭାରତର ଧନୀଙ୍କ ତୁଳନାରେ ଅଧିକ !

ଭାରତରେ ଯିଏ ସବୁଠାରୁ ଧନୀ, ବିଦେଶରେ ସିଏ ଗରିବ !

ନନ୍ଦିଘୋଷ ବ୍ୟୁରୋ: ଭାରତରେ ଯିଏ ସବୁଠାରୁ ଧନୀ, ବିଦେଶରେ ସିଏ ଗରିବ ! ବିଶ୍ବର ଧନୀ ଦେଶରେ ଥିବା ସବୁଠାରୁ ଗରିବ ଲୋକଙ୍କ ଖର୍ଚ୍ଚ, ଭାରତର ଧନୀ ଲୋକଙ୍କ ଖର୍ଚ୍ଚ ତୁଳନାରେ ଢେର ଅଧିକ । ବିଶ୍ବ ବ୍ୟାଙ୍କର ନୂଆ ତଥ୍ୟରୁ ଏଭଳି କିଛି ଆଶ୍ଚର୍ଯ୍ୟ କଲା ଭଳି ଖବର ସାମ୍ନାକୁ ଆସିଛି । ଯେଉଁଥିରୁ ବିଶ୍ବର ଧନୀ ଦେଶର ଲୋକ ଏବଂ ଭାରତର ଲୋକଙ୍କ ଜୀବନଶୈଳୀ ଭିତରେ ପାର୍ଥକ୍ୟ ସ୍ପଷ୍ଟ ଭାବେ ପରିଲକ୍ଷିତ ହେଉଛି । ଆଉ ଆଶ୍ଚର୍ଯ୍ୟର କଥା ହେଉଛି, ଆମେରିକା, କାନାଡା, ଜର୍ମାନୀ ଏବଂ ଅଷ୍ଟ୍ରେଲିଆ ଭଳି ଦେଶର ସବୁଠାରୁ ଗରିବ ୧୦ ପ୍ରତିଶତ ଲୋକଙ୍କର ଦୈନିକ ଖର୍ଚ୍ଚ ମଧ୍ୟ ଭାରତର ସବୁଠୁ ଧନୀ ୧୦ ପ୍ରତିଶତ ଲୋକଙ୍କ ଖର୍ଚ୍ଚ ଠାରୁ ଅଧିକ । ବିଶ୍ବ ବ୍ୟାଙ୍କର ୨୦୨୬ ପଭର୍ଟି ଆଣ୍ଡ ଇନଇକ୍ବାଲିଟି ପ୍ଲାଟଫର୍ମର ଏହି ତଥ୍ୟ ଏବେ ଭାରତର ଅର୍ଥବ୍ୟବସ୍ଥା ଆଗରେ ଏକ ବଡ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି ।

ଏହି ତୁଳନାରୁ ଏହା ସ୍ପଷ୍ଟ ଯେ,ଭାରତର ସବୁଠାରୁ ଗରିବ ୧୦ ପ୍ରତିଶତ ଲୋକଙ୍କର ଦୈନିକ ଆୟ ବା ଖର୍ଚ୍ଚ ସ୍ତର ପ୍ରତି ବ୍ୟକ୍ତି ପିଛା ପ୍ରାୟ ୩ ଡଲାର । ଯେତେବେଳେ କି ଆମେରିକାରେ ଏହା ୨୫ ଡଲାର ଏବଂ କାନାଡାରେ ୩୧ ଡଲାର ହୋଇଥିବା ବେଳେ ଜର୍ମାନୀ ଏବଂ ଅଷ୍ଟ୍ରଲିଆରେ ଏହା ୨୮ ଡଲାର । ଅନ୍ୟପଟେ ଭାରତର ସବୁଠାରୁ ଧନୀ ୧୦ ପ୍ରତିଶତ  ଲୋକଙ୍କର ଦୈନିକ ଆୟ ବା ଖର୍ଚ୍ଚ ସ୍ତର ପ୍ରତି ବ୍ୟକ୍ତି ପିଛା ପ୍ରାୟ ୧୦ ଡଲାର  ହୋଇଥିବା ବେଳେ ଆମେରିକାରେ ଏହା ୧୭୩ ଡଲାର, କାନାଡା ଏବଂ ଅଷ୍ଟ୍ରେଲିଆରେ ୧୨୯ ଡଲାର ଏବଂ ଜର୍ମାନୀରେ ୧୨୮ ଡଲାରକୁ ବୃଦ୍ଧି ପାଇଛି ।

ସୂଚନା ମୁତାବକ, ଭାରତୀୟ ଅର୍ଥନୈତିକ ସର୍ଭେ ଅନୁଯାୟୀ, ଯେଉଁ ବ୍ୟକ୍ତି ମାସିକ ୮୦,୦୦୦ ରୋଜଗାର କରନ୍ତି, ସେମାନେ ଦେଶର ସବୁଠାରୁ ଅଧିକ ରୋଜଗାର କରୁଥିବା ୧୦ ପ୍ରତିଶତ ଲୋକଙ୍କ ଭିତରେ ସାମିଲ ହୋଇଥାନ୍ତି । ଆଉ ତୁଳନା ଅନୁସାରେ ଦେଖିଲେ, ଭାରତର ସବୁଠାରୁ ଧନୀ ପରିବାର ମଧ୍ୟରେ ଗଣାଯାଉଥିବା ଲୋକଙ୍କ ଜୀବନଶୈଳୀ, ଅନେକ ବିକଶିତ ଅର୍ଥ ବ୍ୟବସ୍ଥାର ସବୁଠାରୁ କମ ଆୟ କରୁଥିବା ଲୋକଙ୍କ ତୁଳନାରେ ମଧ୍ୟ କମ ଅଛି। ତେବେ କେବଳ ଦାରିଦ୍ର୍ୟ ନୁହେଁ ବରଂ ପୂରା ଅର୍ଥବ୍ୟବସ୍ଥାରେ କମ ଆୟ ଭାରତ ପାଇଁ ଏକ ବଡ ସମସ୍ୟା ସୂଚିତ କରୁଛି ।  କାରଣ ଭାରତରେ ଦିନକୁ ୧୦ ଡଲାର ଖର୍ଚ୍ଚ କରୁଥିବା ବ୍ୟକ୍ତି ସବୁଠାରୁ ଧନୀ ୧୦ ପ୍ରତିଶତ ଲୋକଙ୍କ ଭିତରେ ଗଣା ଯାଉଥିବା ବେଳେ କାନାଡା, ଜାପାନ ଏବଂ ଯୁକ୍ତରାଷ୍ଟ୍ର ଆମେରିକା ଭଳି ଦେଶରେ ଏହି ସମାନ ପରିମାଣ ଖର୍ଚ୍ଚ କରୁଥିବା ବ୍ୟକ୍ତି ସବୁଠାରୁ ଗରିବ ୧୦ ପ୍ରତିଶତ ଲୋକଙ୍କ ଭିତରେ ସାମିଲ ହୋଇଥାନ୍ତି ।

 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।