ଆମେରିକା-ଚାଇନାକୁ ନେଇ ବଡ଼ ଖୁଲାସା କଲେ ଜୟଶଙ୍କର, ବିଶ୍ବରେ ହଇଚଇ!
ନୂଆଦିଲ୍ଲୀ,୪।୧୦: ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଆମେରିକା ଓ ଚାଇନାକୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି । ୬୨ତମ ମ୍ୟୁନିକ୍ ସିକ୍ୟୁରିଟି କନଫରେନ୍ସରେ ଜୟଶଙ୍କର କହିଛନ୍ତି ଯେ, ଆମେରିକାର ବଦଳୁଥିବା ଭୂମିକା ଓ ଚାଇନାର ବଢ଼ୁଥିବା ଶକ୍ତି ବିଶ୍ୱ ବ୍ୟବସ୍ଥାକୁ ପ୍ରଭାବିତ କରୁଛି। ତାଙ୍କ ଅନୁସାରେ, ଆମେରିକା ନିଜ ଇଚ୍ଛାରେ ଧୀରେ ଧୀରେ ଏକାକୀ ଶକ୍ତିରେ ପରିଣତ ହେଉଛି ।
ଜୟଶଙ୍କର କହିଛନ୍ତି, ବର୍ତ୍ତମାନର ଅନ୍ତର୍ଜାତୀୟ ବ୍ୟବସ୍ଥା ଆମେରିକା-ଚାଇନା ମଧ୍ୟରେ ବଢୁଥିବା ତୀବ୍ର ପ୍ରତିଯୋଗିତା, ଉଦୀୟମାନ ଓ ମଧ୍ୟମ ଶକ୍ତିଶାଳୀ ଦେଶଗୁଡ଼ିକର ବଢୁଥିବା ଆତ୍ମନିର୍ଭରଶୀଳତା ଏବଂ ବିଭିନ୍ନ ଦେଶ ସହ ଭାଗିଦାରି ବଢ଼ାଇ ବିପଦ କମାଇବାର ପ୍ରୟାସ ଦ୍ୱାରା ନିର୍ଦ୍ଧାରିତ ହେଉଛି । ଚାଇନାର ବଢୁଥିବା ପ୍ରଭାବକୁ ମଧ୍ୟ ଜୟଶଙ୍କର ଗୁରୁତ୍ୱ ଦେଇଛନ୍ତି। ତାଙ୍କ କହିବା ଅନୁସାରେ, ବିଶ୍ୱର ମାନୁଫାକ୍ଚରିଂ କ୍ଷେତ୍ରରେ ଚାଇନାର ଅଂଶ ପ୍ରାୟ ଏକ-ତୃତୀୟାଂଶ। ଚାଇନାର ଆର୍ଥିକ କ୍ଷମତା ଏବେ ରାଜନୈତିକ ପ୍ରଭାବରେ ପରିଣତ ହେଉଛି।
ଜୟଶଙ୍କର କହିଛନ୍ତି ଯେ, ଆମେରିକା ଓ ଚାଇନା ମଧ୍ୟରେ ତୀବ୍ର ପ୍ରତିଯୋଗିତା ଚାଲିଛି। ଏହା କେବଳ ଦୁଇ ଦେଶ ମଧ୍ୟରେ ସୀମିତ ନୁହେଁ। ବିଭିନ୍ନ ଦେଶ ନିଜ ପାଖରେ ଥିବା ପ୍ରଭାବ ଓ କ୍ଷମତାକୁ ଏକ ରଣନୀତିକ ଅସ୍ତ୍ର ଭାବେ ବ୍ୟବହାର କରୁଛନ୍ତି । ତେବେ ଏହି ପ୍ରତିଯୋଗିତା ପରସ୍ପର ନିର୍ଭରଶୀଳତାର ଜଟିଳତା ସହିତ ମଧ୍ୟ ଚାଲିଛି। ଜୟଶଙ୍କର କହିଛନ୍ତି ଯେ, ଉଦୀୟମାନ ଓ ମଧ୍ୟମ ଶକ୍ତିର ଦେଶଗୁଡ଼ିକ ଏବେ ନିଜ ହିତ ପ୍ରତି ଅଧିକ ସଚେତନ ହେଉଛନ୍ତି। ସେମାନେ ଅଧିକ ଆତ୍ମନିର୍ଭର ହେବା ସହିତ ବିଭିନ୍ନ ବିକଳ୍ପ ଖୋଜୁଛନ୍ତି ଏବଂ ବିପଦ କମାଇବା ଉପରେ ଗୁରୁତ୍ୱ ଦେଉଛନ୍ତି।ଏହି ଦେଶଗୁଡ଼ିକ ଏଜେଣ୍ଡା ଆଧାରିତ ସହଯୋଗ ଓ ଅଧିକ ମଜବୁତ ସପ୍ଲାଏ ଚେନ୍ ଗଠନ ଦିଗରେ ମଧ୍ୟ କାମ କରୁଛନ୍ତି ବୋଲି ସେ କହିଛନ୍ତି।
ଜୟଶଙ୍କରଙ୍କ ମତରେ, ଦେଶଗୁଡ଼ିକ ମଧ୍ୟରେ ସହଯୋଗ ପାଇଁ ପ୍ରତ୍ୟେକ ପ୍ରସଙ୍ଗରେ ସମ୍ପୂର୍ଣ୍ଣ ସହମତି ରହିବା ଜରୁରୀ ନୁହେଁ। ଯଦି ଦୁଇ ଦେଶ ମଧ୍ୟରେ ପର୍ଯ୍ୟାପ୍ତ ସାଧାରଣ ସ୍ୱାର୍ଥ ରହିଛି, ତେବେ ସେମାନେ ମିଳିତ ଭାବେ କାମ କରିପାରିବେ। ସେ କହିଛନ୍ତି ଯେ, ବିପଦ କମାଇବା, ଭାଗିଦାରିରେ ବିବିଧତା ଆଣିବା ଓ ବିଭିନ୍ନ ବିକଳ୍ପ ଖୋଲା ରଖିବା ମାଧ୍ୟମରେ ଧୀରେ ଧୀରେ ଏକ ନୂଆ ବିଶ୍ୱ ବ୍ୟବସ୍ଥା ଗଠନ ହେଉଛି। ଜୟଶଙ୍କର କହିଛନ୍ତି ଯେ, ଉଦୀୟମାନ ଓ ମଧ୍ୟମ ଶକ୍ତିର ଦେଶଗୁଡ଼ିକ ପରସ୍ପର ସହଯୋଗ ବଢ଼ାଇବା ସହିତ ଆମେରିକା ଓ ଚାଇନା ଉଭୟଙ୍କ ସହ ସମ୍ପର୍କ ରଖିପାରିବେ। ତେବେ ଏଥିପାଇଁ ସେମାନଙ୍କ ସ୍ୱାର୍ଥ ମଧ୍ୟରେ ସିଧାସଳଖ ବିରୋଧ ନଥିବା ଆବଶ୍ୟକ।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।