ଆମେରିକାରେ ତେଲେଙ୍ଗାନା ଯୁବତୀଙ୍କ ହୃଦ୍‌ଘାତରେ ମୃତ୍ୟୁ

Oct 24, 2026 - 13:51
ଆମେରିକାରେ ତେଲେଙ୍ଗାନା ଯୁବତୀଙ୍କ ହୃଦ୍‌ଘାତରେ ମୃତ୍ୟୁ

ୱାସିଂଟନ୍‌: ନ୍ୟୁୟର୍କର ଆଲବାନି ସହରରେ ଶୁକ୍ରବାର ଦିନ ତେଲେଙ୍ଗାନାର ଜଣେ ୨୫ ବର୍ଷୀୟ ଯୁବତୀଙ୍କର ହୃଦ୍‌ଘାତରେ ମୃତ୍ୟୁ ହୋଇଛି। ସେ ନିଜର ମାଷ୍ଟର ଅଫ୍ ସାଇନ୍ସ (ଏମଏସ୍‌) ଡିଗ୍ରି ସମାପ୍ତ କରିବା ସହ ଚାକିରି ପାଇଥିଲେ ଏବଂ ଜୀବନର ଏକ ନୂଆ ଅଧ୍ୟାୟ ଆରମ୍ଭ କରିବାକୁ ପ୍ରସ୍ତୁତ ହେଉଥିଲେ। ମୃତ ଯୁବତୀ ଅକ୍ଷିତା ତେଲେଙ୍ଗାନାର ବ୍ୟବସାୟୀ ନଲ୍ଲାମାଲା ଆନନ୍ଦଙ୍କ ଝିଅ। ସେ ଉଚ୍ଚଶିକ୍ଷା ଲାଭ କରିବା ପାଇଁ ଆମେରିକା ଯାଇଥିଲେ ଏବଂ ନିକଟରେ ନିଜର ଏମଏସ୍‌ ଡିଗ୍ରୀ ସମାପ୍ତ କରିଥିଲେ। ପରିବାର ସଦସ୍ୟଙ୍କ ସୂଚନା ଅନୁଯାୟୀ, ରାତ୍ରିଭୋଜନ ପରେ ଅକ୍ଷିତା ନିଜ ବାସଭବନ ବାହାରେ ଚାଲୁଥିବା ସମୟରେ ହଠାତ୍ ଅଚେତ ହୋଇ ପଡ଼ିଯାଇଥିଲେ। କିଛି ସମୟ ପରେ ତାଙ୍କ ଭାଇ ଅକ୍ଷୟ ବାହାରକୁ ଆସି ଅକ୍ଷିତାଙ୍କୁ ଭୂମିରେ ଅଚେତ ଅବସ୍ଥାରେ ପଡ଼ିଥିବା ଦେଖିଥିଲେ। ପଡ଼ୋଶୀମାନଙ୍କ ସହାୟତାରେ ସେ ତାଙ୍କୁ ତୁରନ୍ତ ନିକଟସ୍ଥ ଡାକ୍ତରଖାନାକୁ ନେଇଥିଲେ। କିନ୍ତୁ ଡାକ୍ତରମାନେ ତାଙ୍କୁ ଡାକ୍ତରଖାନାରେ ପହଞ୍ଚିବା ପୂର୍ବରୁ ମୃତ ବୋଲି ଘୋଷଣା କରିଥିଲେ। ପରିବାର ସଦସ୍ୟଙ୍କ କହିବା ଅନୁସାରେ, ଅକ୍ଷିତା ନିକଟରେ ଏକ ଚାକିରି ପାଇଥିଲେ ଏବଂ କାର୍ଯ୍ୟରେ ଯୋଗଦେବା ପାଇଁ ପ୍ରସ୍ତୁତ ହେଉଥିଲେ। ଏଭଳି ସମୟରେ ତାଙ୍କର ଅଚାନକ ମୃତ୍ୟୁ ପରିବାରକୁ ଗଭୀର ଶୋକରେ ବୁଡ଼ାଇ ଦେଇଛି। ତେଲେଙ୍ଗାନାର ଖମ୍ମମ ଜିଲ୍ଲାରେ ରହୁଥିବା ତାଙ୍କ ପରିବାର ଅକ୍ଷିତାଙ୍କ ମରଶରୀରକୁ ଶେଷକୃତ୍ୟ ପାଇଁ ଭାରତକୁ ଫେରାଇ ଆଣିବା ନିମନ୍ତେ ବ୍ୟବସ୍ଥା କରୁଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।