ଆସନ୍ତା ରବିବାର ଖୋଲା ରହିବ ବ୍ୟାଙ୍କ
ଭୁବନେଶ୍ୱର : ଆସନ୍ତା ୨୭ ତାରିଖ ରବିବାର ଦିନ ଦେଶର ସମସ୍ତ ସରକାରୀ ଏବଂ ଆଞ୍ଚଳିକ ଗ୍ରାମୀଣ ବ୍ୟାଙ୍କଗୁଡ଼ିକ ଖୋଲା ରହିବ । ବ୍ୟାଙ୍କ ଗ୍ରାହକମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ଏବଂ ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ପକ୍ଷରୁ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ।
ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିଅନ୍ସ (UFBU) ପକ୍ଷରୁ ସେପ୍ଟେମ୍ବର ୨୮ ରୁ ୩୦ ତାରିଖ ପର୍ଯ୍ୟନ୍ତ ୩ ଦିନିଆ ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ ଡାକରା ଦିଆଯାଇଛି । ତେବେ ୨୬ ତାରିଖ ଚତୁର୍ଥ ଶନିବାରରେ ବ୍ୟାଙ୍କ ବନ୍ଦ ରହୁଥିବାବେଳେ, ୨୮ ତାରିଖ ସୋମବାରରୁ ଲଗାତାର ୩ ଦିନ ଯାଏଁ ବ୍ୟାଙ୍କ ଧର୍ମଘଟ ଯୋଗୁଁ ବନ୍ଦ ରହିବ । ଏହି ପରିପ୍ରେକ୍ଷୀରେ ଗ୍ରାହକମାନଙ୍କ ସୁବିଧା ଓ ବ୍ୟାଙ୍କିଂ ସେବା ସ୍ୱାଭାବିକ ରଖିବା ଉଦ୍ଦେଶ୍ୟରେ ରବିବାର ବ୍ୟାଙ୍କ ଖୋଲା ରଖିବାକୁ ନିଷ୍ପତ୍ତି ହୋଇଛି ।
ସୂଚନାନୁସାରେ, ବ୍ୟାଙ୍କ କର୍ମଚାରୀଙ୍କ ପକ୍ଷରୁ ସପ୍ତାହକୁ ଦୁଇ ଦିନ ଛୁଟି ଦାବି କରାଯାଇଛି । ଏହି ଦାବିକୁ ନେଇ ୨୮ ତାରିଖରୁ ତିନି ଦିନିଆ ଧର୍ମଘଟ ପାଇଁ ଡାକରା ଦିଆଯାଇଛି। ଧର୍ମଘଟ ପୂର୍ବରୁ ଗ୍ରାହକମାନେ ଆବଶ୍ୟକ ବ୍ୟାଙ୍କିଂ କାର୍ଯ୍ୟ ସାରିନେବାକୁ କୁହାଯାଇଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।