ମମତା କୁଲକର୍ଣ୍ଣୀଙ୍କୁ ଲାଇଫ ଟାଇମ ଆଚିଭମେଣ୍ଟ ଆୱାର୍ଡ

Sep 23, 2026 - 16:52
ମମତା କୁଲକର୍ଣ୍ଣୀଙ୍କୁ ଲାଇଫ ଟାଇମ ଆଚିଭମେଣ୍ଟ ଆୱାର୍ଡ

 

 ନବେ ଦଶକର ପ୍ରସିଦ୍ଧ ଅଭିନେତ୍ରୀ ମମତା କୁଲକର୍ଣ୍ଣୀଙ୍କୁ ଚଳିତ ବର୍ଷର ରାଜସ୍ଥାନ ଫିଲ୍ମ ଫେଷ୍ଟିଭାଲ୍ (ଆର.ଏଫ୍.ଏଫ୍.)ରେ 'ଲାଇଫଟାଇମ୍ ଆଚିଭମେଣ୍ଟ ଆୱାର୍ଡ' ପାଇଁ ମନୋନୀତ କରାଯାଇଥିବା ସୂଚନା ମିଳିଛି । ଏନେଇ ସଂସ୍ଥାପକ-ନିର୍ଦ୍ଦେଶିକା ସଞ୍ଜନା ଶର୍ମା ଘୋଷଣା କରିଛନ୍ତି । ୧୯୯୧ ମସିହାରେ ତାମିଲ ଫିଲ୍ମ 'ନନବରଗଲ୍'ରୁ ଆରମ୍ଭ କରି 'ତିରଙ୍ଗା' (୧୯୯୩), 'ଆଶିକ୍ ଆୱାରା' (୧୯୯୩), 'ୱକ୍ତ ହମାରା ହୈ' (୧୯୯୩), 'କ୍ରାନ୍ତିବୀର' (୧୯୯୪), 'କରଣ ଅର୍ଜୁନ' (୧୯୯୫), 'ସବସେ ବଡ଼ା ଖିଲାଡ଼ି' (୧୯୯୫), 'ଘାତକ' (୧୯୯୬), 'ଚାଇନା ଗେଟ୍' (୧୯୯୮) ଓ 'ଛୁପା ରୁସ୍ତମ' (୨୦୦୧) ଭଳି ଅନେକ ଲୋକପ୍ରିୟ ହିନ୍ଦୀ ଚଳଚ୍ଚିତ୍ରରେ ନିଜର ସ୍ୱତନ୍ତ୍ର ଅଭିନୟ ଶୈଳୀ ଓ ଉପସ୍ଥିତି ପାଇଁ ସେ ପରିଚିତ ହୋଇଥିଲେ । 'ଆଶିକ୍ ଆୱାରା' ପାଇଁ ୧୯୯୪ରେ ଫିଲ୍ମଫେୟାରର 'ଲକ୍ସ ନ୍ୟୁ ଫେସ୍ ଅଫ୍ ଦି ଇୟର' ପୁରସ୍କାର ପାଇଥିବା ମମତାଙ୍କୁ ସିନେମା ଜଗତକୁ ତାଙ୍କର ଅତୁଳନୀୟ ଯୋଗଦାନ ପାଇଁ ସମ୍ମାନିତ କରାଯିବ। ସୂଚନାଯୋଗ୍ୟ, 'କଞ୍ଚନ କ୍ୟାସେଟ୍ସ ଆଣ୍ଡ ସିରିଜ୍'ର ସଂସ୍ଥାପିକା ସଞ୍ଜନା ଶର୍ମାଙ୍କ ଉଦ୍ୟମରେ ୨୦୧୩ରୁ ଜୟପୁରରେ ଆରମ୍ଭ ହୋଇଥିବା ଏହି ଫେଷ୍ଟିଭାଲ୍ ରାଜସ୍ଥାନୀ ତଥା ଦେଶର ବିଭିନ୍ନ ଆଞ୍ଚଳିକ ଭାଷାର ସିନେମା, କଳାକାର ଓ ନିର୍ମାତାଙ୍କୁ ଏକ ଜାତୀୟ ମଞ୍ଚ ପ୍ରଦାନ କରିଆସୁଛି । ପୂର୍ବରୁ ପଣ୍ଡିତ ବିଶ୍ୱମୋହନ ଭଟ୍ଟ, ଶକ୍ତି କାପୁର, ସଞ୍ଜୟ ମିଶ୍ର, ଗୁଲଶନ ଗ୍ରୋଭର, ଉସ୍ତାଦ ଅହମ୍ମଦ ହୁସେନ-ମହମ୍ମଦ ହୁସେନ ଓ ଦିଲୀପ ସେନଙ୍କ ଭଳି ଗୁଣୀଜନ ଏହି ସମ୍ମାନରେ ସମ୍ମାନିତ ହୋଇସାରିଛନ୍ତି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।