ଇଏ କି ଭକ୍ତ-୨

Sep 29, 2026 - 08:24
ଇଏ କି ଭକ୍ତ-୨

ଗଣେଶ ପୂଜାରୁ ପାର୍ବଣ ଋତୁ ଆରମ୍ଭ ହୋଇଯାଇଛି। ଓଡ଼ିଶାର ଖୋର୍ଦ୍ଧା ଜିଲାର ଜଟଣୀରେ ୨୬ ସେପ୍ଟେମ୍ବରରେ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା ଚାଲୁଥିବା ବେଳେ ଏକ ବ୍ୟାଙ୍କ୍‌ର ତାଜା ଦେଖଣାହାରୀଙ୍କ ଉପରେ ଖସିପଡ଼ିଥିଲା। ସେଥିରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଆହତ ହୋଇଛନ୍ତି। କୁହାଯାଉଛି ଡିଜେ ସାଉଣ୍ଡ ଯୋଗୁ ବିପଦସଙ୍କୁଳ ଅବସ୍ଥାରେ ଥିବା ଉକ୍ତ ବ୍ୟାଙ୍କ୍‌ର ତାଜା ଖସିଥିଲା। ମାଟି ଥରାଇ ଦେଉଥିବା ଶବ୍ଦ ପ୍ରଦୂଷଣ ଏହି ଅଘଟଣ ପାଇଁ କିଭଳି ଦାୟୀ ତଦନ୍ତ ପରେ ଜଣାପଡ଼ିବ। କିନ୍ତୁ ସମସ୍ତେ ଜାଣନ୍ତି ଯେ, ଡିଜେ ଶବ୍ଦରୁ ଛାତି ଥରିଥାଏ ଏବଂ ଅନେକ ଅସୁସ୍ଥ ବ୍ୟକ୍ତି ପୂର୍ବରୁ ଭାରତର ବିଭିନ୍ନ ସ୍ଥାନରେ ଏଥିପାଇଁ ମରିଯାଇଛନ୍ତି।
ଚଳିତ ମାସ ୧୯ ଓ ୨୦ରେ ଉତ୍ତରାଖଣ୍ଡ ପର୍ଯ୍ୟଟନ ବିଭାଗ ସହଯୋଗରେ ବଦ୍ରିନାଥ ମନ୍ଦିର ସଂଲଗ୍ନ ପର୍ଯ୍ୟଟକଙ୍କ ପ୍ରବେଶଶାଳାରେ ଯେଉଁ ଅଧିକ ଶବ୍ଦ ସୃଷ୍ଟିକାରୀ ଯନ୍ତ୍ର ବ୍ୟବହାର କରାଯାଇ ନାଚସଙ୍ଗୀତ ବଜାଯାଇଥିଲା, ତାହା ପାହାଡ଼ ଥରାଇ ଦେଇଥିଲା। ଏହି ଦୁଇଦିନିଆ ସାଂସ୍କୃତିକ କାର୍ଯ୍ୟକ୍ରମକୁ ସାଧୁସନ୍ଥ, ମନ୍ଦିରର ପୂଜକ ଏବଂ ସ୍ଥାନୀୟ ଅଧିବାସୀ ନାପସନ୍ଦ କରିବା ସହ ଆୟୋଜନକାରୀଙ୍କୁ ସମାଲୋଚନା କରିଛନ୍ତି। ଦେଶର ବିଭିନ୍ନ ସ୍ଥାନରେ ଡିଜେ ଓ ଉଚ୍ଚ ସଙ୍ଗୀତ ପରିବେଷଣ କରାଯାଉଥିବାରୁ ତାହା ଅସହ୍ୟ ହେଲାଣି।
ହିନ୍ଦୁମାନଙ୍କ ପୂଜାରେ ସାଂସ୍କୃତିକ ଶୃଙ୍ଖଳାର ଉଲ୍ଲଂଘନ ଯେ ଏବେ ହେଉଛି ତାହା ନୁହେଁ, ଦୁଇ ଦଶନ୍ଧି ପୂର୍ବରୁ ଓଡ଼ିଆର ପରମ୍ପରା ହୋଇ ନ ଥିଲେ ମଧ୍ୟ କାଉଡିଆଙ୍କ ଯାତ୍ରା ବା ବୋଲବମ୍‌ ରାସ୍ତାରେ ଯିବାଆସିବା ସମୟରେ କିଭଳି ଲୋକଙ୍କୁ ସେବେଠାରୁ ଅତିଷ୍ଠ କରିଆସିଛନ୍ତି ତାହା ଜଣାଶୁଣା। ଏହି ସ୍ତମ୍ଭରେ ୨୬ ଜୁଲାଇ ୨୦୦୫ରେ ‘ଇଏ କି ଭକ୍ତ?’ ଶୀର୍ଷକରେ ଲେଖା ପ୍ରକାଶ କରିଥିଲୁ। ବୋଲବମ୍‌ ଶ୍ରଦ୍ଧାଳୁମାନେ ରାସ୍ତାକୁ ଅକ୍ତିଆର କରି ଚାଲିବା ବେଳେ ଅନେକ ଦୁର୍ଘଟଣା ଘଟାଇଥାଆନ୍ତି। ସେଥିରେ ସେମାନଙ୍କ ମଧ୍ୟରୁ କେତେ ଜଣ ମରୁଥିବା ବେଳେ ସାଧାରଣ ଲୋକଙ୍କ ପ୍ରାଣ ଯାଇଥିବାର ଅନେକ ନଜିର ଅଛି। ପୂଜାରେ ଭକ୍ତିଭାବ ଅପେକ୍ଷା ଉଚ୍ଛୃଙ୍ଖଳତା ତଥା ଉଦୁରୁମତା ସ୍ବଭାବ ବେଶି ବଢ଼ିଯାଉଥିବାରୁ ତାହା ଅନ୍ୟମାନଙ୍କ ପାଇଁ ବିପଦର କାରଣ ପାଲଟୁଛି। ଏହାକୁ ଯିଏ ବିରୋଧ କରିବେ ସେମାନଙ୍କୁ ଧର୍ମଛଡ଼ା ଆଖ୍ୟା ଦିଆଯାଇ ସ୍ଥଳବିଶେଷରେ ଆକ୍ରମଣ କରାଯାଉଛି। ଏମିତି ଦେଖାଯାଉଛି ଡିଜେ ଯୋଗୁ ହେଉଥିବା ଶବ୍ଦ ପ୍ରଦୂଷଣରେ କେବଳ ବୟସ୍କ ଲୋକ ନୁହନ୍ତି, ସବୁ ବୟସବର୍ଗ ପ୍ରଭାବିତ ହେଲେଣି। ଏହି କାର୍ଯ୍ୟକ୍ରମ ଆୟୋଜନ କରୁଥିବା ବ୍ୟକ୍ତିଙ୍କ ମଧ୍ୟରେ ଅନେକେ ଅସାମାଜିକ ଥିବାରୁ ସେମାନଙ୍କୁ ବିରୋଧ କରିବା ସମସ୍ତଙ୍କ ପକ୍ଷେ ସମ୍ଭବ ହେଉନାହିଁ। ପ୍ରଚୁର ମଦ ପିଇ ଠାକୁରଙ୍କ କାମରେ ନିଜକୁ ସାମିଲ କରିଦେଇଥିବା ସେଭଳି ଲୋକଙ୍କୁ ସ୍ଥାନୀୟ ନେତାଙ୍କ ସହଯୋଗ ଓ ପୋଲିସ ପ୍ରଶାସନର ଦେଖି ନ ଦେଖିଲା ଭଳି ବ୍ୟବହାର ଅତ୍ୟନ୍ତ ନିନ୍ଦନୀୟ। ପୂଜା ସମୟରେ ଯିଏ ଯାହାଙ୍କୁ ଆରାଧନା କଲେ ତାହାକୁ ଖୁଣି ହେବ ନାହିଁ। ହେଲେ ସେଥିରେ ଅନ୍ୟମାନଙ୍କୁ ଯୋଡ଼ିବାକୁ ଯାଇ ଚାନ୍ଦା ଆଦାୟ ଜବରଦସ୍ତ କରାଯାଉଥିବାରୁ ବିଶୃଙ୍ଖଳା ବଢ଼ିବାରେ ଲାଗିଛି। ସରଳ କଥା ହେଲା, ଠାକୁରଙ୍କୁ ପୂଜା କରିବାକୁ ଯେଉଁମାନେ ଚାହୁଁଛନ୍ତି ସେମାନେ ନିଜ ଅର୍ଥରେ କରନ୍ତୁ। ବାହାର ଲୋକଙ୍କ କଷ୍ଟଅର୍ଜିତ ଟଙ୍କା ନେବାର ଅଧିକାର ଆୟୋଜନକାରୀଙ୍କ ନାହିଁ। ଏଭଳି କ୍ଷେତ୍ରରେ ପୋଲିସ ଆଖିଦୃଶିଆ ପଦକ୍ଷେପ ନେଉ ନ ଥିବାରୁ ଅସାମାଜିକ ବ୍ୟକ୍ତି ବେଶି ଉତୁରୁଛନ୍ତି। ଲାଉଡ୍‌ ସ୍ପିକର ମାଧ୍ୟମରେ ଯେଉଁଭଳି ଅତି ଉଚ୍ଚ ଶବ୍ଦରେ ଗୀତ ବଜାଯାଉଛି ତାହା ଏବେ ବାହାଘର, ମେଲୋଡି, ପୂଜାଠାରୁ ଆରମ୍ଭ କରି ବିସର୍ଜନ ଯାଏ ବଢ଼ିଚାଲିଛି। ମନେହେଉଛି ଯେପରି ଯେତେ ଅଧିକ ରବାଦ ହେବ ଭକ୍ତିର ପରିମାଣ ସେତିକି ବଢ଼ିବ ଓ ଠାକୁର ମଧ୍ୟ ପ୍ରସନ୍ନ ହୋଇ ଅର୍ଥ ମାଧ୍ୟମରେ ବର ଦେବେ। ଓଡ଼ିଶା ପୋଲିସ ଲାଉଡ୍‌ ସ୍କିକର ବଜାକୁ ନିଷେଧ କରିଥିବା ସତ୍ତ୍ୱେ ତାହାକୁ ପାଳନ କରାଯାଉନାହିଁ। ଏବକାର ଶାସକ ଦଳ ଅତ୍ୟନ୍ତ ଧାର୍ମିକ। ଉଲ୍ଲେଖ କରାଯାଇପାରେ ଯେ, ଜଟଣୀରେ ପୋଲିସ ଉପସ୍ଥିତିରେ କାର୍ଯ୍ୟକ୍ରମ ଚାଲିଥିଲା। ତେଣୁ ଏହି ନିଷେଧାଜ୍ଞାର ମାନେ କ’ଣ ବୋଲି ସାଧାରଣରେ ପ୍ରଶ୍ନ ହେଉଛି। କେବଳ ହିନ୍ଦୁଙ୍କ କଥା ନୁହେଁ, ମୁସଲମାନଙ୍କ ଧର୍ମୀୟ କାର୍ଯ୍ୟକ୍ରମରେ ମଧ୍ୟ ଅତ୍ୟଧିକ ଶବ୍ଦ ପ୍ରଦୂଷଣକୁ ବନ୍ଦ କରାଯିବା ଦରକାର। ପୂଜା ଓ ଧର୍ମ ନାମରେ ଯାବତୀୟ ପ୍ରଦୂଷଣ ଓ ବିଶୃଙ୍ଖଳା ସୃଷ୍ଟି କରୁଥିବା ବ୍ୟକ୍ତିଙ୍କୁ ଆଖିଦୃଶିଆ ଦଣ୍ଡିତ କରାଯାଉ ନ ଥିବାରୁ ସେମାନେ ସାହସ ପାଇ ବାରମ୍ବାର ଭୁଲ୍‌ କରୁଛନ୍ତି। ଗୋଟେ ଜାତିର ସାଂସ୍କୃତିକ ଅବକ୍ଷୟ ପାଇଁ ଆମେ ସମସ୍ତେ ଦାୟୀ। ଭୟରୁ ଉପୁଜୁଥିବା ନୀରବତା, ଯାହା ଗୁଣ୍ଡାଶ୍ରେଣୀୟ ଲୋକଙ୍କୁ ଅଧିକ ସାହସ ଦେଉଛି। ଏଭଳି ଭକ୍ତି ଓ ଭକ୍ତଙ୍କୁ ଅଧିକ ସମୟ ସହିଲେ ଆହୁରି ଅଧିକ କଷ୍ଟ ସହିବାକୁ ପଡ଼ିବ।

 

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।