ଇନ୍ଦ୍ରାବତୀ ଜଳଭଣ୍ଡାର : ୭ ବର୍ଷ ପରେ ଖୋଲିଲା ଗେଟ
ଭବାନୀପାଟଣା: ସମ୍ଭାବ୍ୟ ବର୍ଷାକୁ ଦୃଷ୍ଟିରେ ରଖି ଗତକାଲି ଅପରାହ୍ନରେ ଇନ୍ଦ୍ରାବତୀ ଜଳଭଣ୍ଡାର ମେନ ଡ୍ୟାମ୍ରୁ ଗୋଟାଏ ଗେଟ୍ ଖୋଲାଯାଇଛି। ଏହି ଗେଟ୍ ଦେଇ ଘଣ୍ଟାକୁ ୭୨ ଘନ ମିଟର୍ ଜଳ ଇନ୍ଦ୍ରାବତୀ ନଦୀ କୁ ନିଷ୍କାସନ ହେଉଛି। ଆଜି ଜଳଭଣ୍ଡାର ର ଜଳସ୍ତର ୬୪୦ ମିଟର ରୁ ଉର୍ଦ୍ଧ୍ବ ଥିବା ବିଭାଗୀୟ ସୂତ୍ରରୁ ପ୍ରକାଶ।
ଉଲ୍ଲେଖଯୋଗ୍ୟ ଆସନ୍ତା ୨୫ ତାରିଖ ଯାଏଁ ରାଜ୍ୟ ତଥା କଳାହାଣ୍ଡି ଜିଲ୍ଲାରେ ପ୍ରବଳ ବର୍ଷା ହେବା ବୋଲି ପାଣିପାଗ ବିଭାଗ ଆକଳନ କରିଛି। ଏହାକୁ ଦୃଷ୍ଟିରେ ରଖି ଇନ୍ଦ୍ରାବତୀ ଜଳଭଣ୍ଡାର ରୁ ପାଣି ନିଷ୍କାସନ କରାଯାଉଛି। ଗତକାଲି ଅପରାହ୍ନ ୪ ଟା ୩୦ ରେ ମେନ୍ ଡ୍ୟାମ୍ ର ୬ ନମ୍ୱର୍ ଗେଟ୍ ଖୋଲାଯାଇଥିଲା। ସେହି ଗେଟ୍ ଦ୍ୱାରା ଘଣ୍ଟାକୁ ୭୨ ଘନ ମିଟର୍ ଜଳ ନିଷ୍କାସନ ହେଉଥିଲା। ସେତେବେଳେ ଜଳଭଣ୍ଡାରର ଜଳସ୍ତର ପ୍ରାୟ ୬୪୧.୨୧ ମିଟର ଥିବା କୁହାଯାଉଛି। ସୂଚନାଯୋଗ୍ୟ ଇତିପୂର୍ବରୁ ୨୦୧୯ ଅଗଷ୍ଟ ୧୬ ତାରିଖରେ ଜଳଭଣ୍ଡାରର ମେନ ଡ୍ୟାମ୍ରୁ ପାଣି ଛଡ଼ା ଯାଇଥିଲା। ତାପରେ ବିଦ୍ୟୁତ୍ ଉତ୍ପାଦନ ମାଧ୍ୟମରେ ଜଳସେଚନ ପାଇଁ ଜଳ ଛଡା ଯାଇଛି ସିନା, ସିଧା ସଳଖ ଜଳ ନିଷ୍କାସନ କରାଯାଇ ନଥିଲା।
ସୂଚନାଯୋଗ୍ୟ ଇନ୍ଦ୍ରାବତୀ ଜଳଭଣ୍ଡାର ର ଜଳଧାରଣ କ୍ଷମତା ୬୪୨ ମିଟର ରହିଥିବା ବେଳେ ଆଜି ସକାଳ ସୁଦ୍ଧା ୬୪୦.୮୦ ମିଟର ଜଳସ୍ତର ରହିଥିଲା। ଏହା ଜଳଭଣ୍ଡାର ର ଜଳଧାରଣ କ୍ଷମତା ର ମୋଟ ୮୩.୬୨ ପ୍ରତିଶତ ବୋଲି ଜଣାପଡିଛି। ସେହିଭଳି ଗତକାଲି ଏହି ପ୍ରକଳ୍ପ ରୁ ୬୦୩ ମେଗାୱାଟ ବିଦ୍ୟୁତ୍ ଉତ୍ପାଦନ ହେଇଥିଲା। ଜଳଭଣ୍ଡାର ରେ ପର୍ଯ୍ୟାପ୍ତ ପାଣି ଥିବାରୁ ସମ୍ପୂର୍ଣ୍ଣ କ୍ଷମତା ରେ ବିଦ୍ୟୁତ୍ ଉତ୍ପାଦନ ହେଉଥିବା କୁହାଯାଉଛି। ଇନ୍ଦ୍ରାବତୀ ପ୍ରକଳ୍ପ ବିଦ୍ୟୁତ୍ ଗୃହରୁ ମଙ୍ଗଳପୁର ବ୍ୟାରେଜ ଦେଇ ବାମ, ଡାହାଣ, ବୃହତ ଉଠା ଜଳସେଚନ କେନାଲ ମାଧ୍ୟମରେ ପାଣି ଛଡାଯାଉଛି। ସମ୍ଭାବ୍ୟ ବର୍ଷାକୁ ଦୃଷ୍ଟିରେ ରଖି କେନାଲ ଗୁଡିକରେ ମଧ୍ୟ କମ ପାଣି ଛଡା ଯାଉଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAJA LIVE - ସମାଜ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAJA LIVE - ସମାଜ ଦେଖନ୍ତୁ।