ଇମ୍ରାନଙ୍କ ମୁକ୍ତି ଦାବି ତେଜିଲା: ଆନ୍ଦୋଳନକାରୀ ରାଜଧାନୀ ମୁହାଁ, ପାକିସ୍ତାନରେ ଜରୁରୀକାଳୀନ ସ୍ଥିତି ଘୋଷଣା
ଇସଲାମାବାଦ,୧୨।୧୦: ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ମୁକ୍ତ କରିବା ଦାବିରେ ଦେଶରେ ଆନ୍ଦୋଳନ ତିବ୍ର ହେବାରେ ଲାଗିଛି। ଆନ୍ଦୋଳନକାରୀ ରାଜଧାନୀ ମୁହାଁ ହୋଇଛନ୍ତି। ଫଳରେ ପାକିସ୍ତାନରେ ରାଜନୈତିକ ଅସ୍ଥିରତା ଦେଖାଦେଇଛି।
ଏଭଳିସ୍ଥତିରେ ଅକ୍ଟୋବର ୧୧ତାରିଖରେ ରାଷ୍ଟ୍ରପତି ଆସିଫ ଅଲ୍ଲୀ ଜର୍ଦ୍ଦାରୀ ଆଫଗାନିସ୍ତାନ ସୀମାକୁ ଲାଗିଥିବା ଖାଇବର ପଖତୁନଖୱାନ ପ୍ରଦେଶରେ ଜରୁରୀକାଳୀନ ସ୍ଥିତି ଏବଂ ରାଜ୍ୟପାଳ ଶାସନ ଲାଗୁ କରିଛନ୍ତି। ପାକିସ୍ତାନ ସମ୍ବିଧାନର ଧାରା ୨୩୨ ଏବଂ ୨୩୪ ଅନୁଯାୟୀ ଏକ ଜରୁରୀକାଳୀନ ସରକାରୀ ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଥିଲା।
ଏହାଦ୍ୱାରା ଜେଲରେ ବନ୍ଦୀ ଥିବା ଇମ୍ରାନଙ୍କ ଦଳ PTI ହାତରୁ ଖସିଛି ଶେଷ ପ୍ରାଦେଶିକ ସରକାର। PTI ଏହି ପଦକ୍ଷେପକୁ ଗଣତନ୍ତ୍ର ବିରୋଧୀ ବୋଲି କହିଛି। ଏହା କ’ଣ ଆତଙ୍କବାଦ ବିରୋଧୀ ପଦକ୍ଷେପ, ନା ଇମ୍ରାନ୍ଙ୍କ ରାଜନୈତିକ ଶକ୍ତିକୁ ଦୁର୍ବଳ କରିବାର ରଣନୀତି ବୋଲି ଇମ୍ରାନଙ୍କ ସମର୍ଥକ ପ୍ରଶ୍ନ କରିଛନ୍ତି। ଏନେଇ ପାକିସ୍ତାନରେ ଆଗକୁ ଆନ୍ଦୋଳନ ଆହୁରି ତୀବ୍ର ହେବ ବୋଲି ଜଣାପଡିଛି। ଜରୁରୀକାଳୀନ ସ୍ଥିତି ଲାଗୁ ହେଲେ ନାଗରିକମାନଙ୍କ କିଛି ନିର୍ଦ୍ଦିଷ୍ଟ ଅଧିକାର ଏବଂ ସ୍ବାଧୀନତା ଉପରେ ଅସ୍ଥାୟୀ ଭାବେ କଟକଣା ଲଗାଇବାର ସମ୍ଭାବନା ମଧ୍ୟ ରହିଥାଏ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।