ଏଇ ଭାରତରେ
ଜଙ୍ଗଲରେ ବାସସ୍ଥାନ ଓ ଖାଦ୍ୟ ଅଭାବ ଯୋଗୁ ହାତୀମାନେ ଜନବସତି ଆଡ଼କୁ ମୁହଁାଉଛନ୍ତି। ଫସଲ ଓ ଧନଜୀବନ ରକ୍ଷା କରିବା ପାଇଁ ମଣିଷ ସେମାନଙ୍କର ମୁକାବିଲା କରୁଛି। ଏହି ହାତୀ ଓ ମଣିଷ ଲଢେଇରେ ଅନେକ ହାତୀ ଓ ଲୋକଙ୍କର ଜୀବନ ଚାଲିଯାଉଛି। ହେଲେ ଏଭଳି ଲଢେଇକୁ ଦୂର କରିବା ଲାଗି ଉତ୍ତରପ୍ରଦେଶର କଟାର୍ନିଆଘାଟ ଜଙ୍ଗଲରେ ଥିବା ଗାଁଗୁଡ଼ିକର କୃଷକମାନେ ଭିନ୍ନ ଭିନ୍ନ ଉପାୟ ଆପଣାଉଛନ୍ତି। ରାତିରେ କୃଷକମାନେ ପାଳିକରି ଜଗି ରହୁଛନ୍ତି। ଏମାନଙ୍କୁ କୁହାଯାଉଛି ଗଜମିତ୍ର। ଏବେ ୧୫୦ ପ୍ରଶିକ୍ଷିତ ଗଜମିତ୍ର ରାତିରେ ଫସଲ ଓ ଗାଁକୁ ଜଗିବା ଦାୟିତ୍ୱ ବହନ କରୁଛନ୍ତି। ସେମାନେ ଏକାଧିକ ଦଳରେ ବିଭକ୍ତ ହୋଇଛନ୍ତି। ଗୋଟିଏ ଦଳରେ ୫ ଗଜମିତ୍ର ରହୁଛନ୍ତି ଏବଂ ସେମାନଙ୍କ ପାଳି ଅନୁଯାୟୀ ସନ୍ଧ୍ୟା ହେଲେ ଟର୍ଚ୍ଚ, ହୁଇସିଲ୍ ଓ ରିଫ୍ଲେକ୍ଟିଭ୍ ଜ୍ୟାକେଟ୍ ପିନ୍ଧି ଗଁାମୁଣ୍ଡରେ ଜଗି ରହୁଛନ୍ତି। ପ୍ରଥମ ଦଳ ରାତି ୧୨ଟା ଯାଏ ଜଗିରହନ୍ତି ଏବଂ ସେମାନେ ଫେରିବା ପରେ ଅନ୍ୟ ଏକ ଦଳ ସକାଳ ଯାଏ ଜଗିଥାନ୍ତି। ୨୦୧୨ରେ ଉତ୍ତରପ୍ରଦେଶ ଜଙ୍ଗଲ ବିଭାଗ ଓ ନେଚର ଏନ୍ଭାଇରନ୍ମେଣ୍ଟ ଆଣ୍ଡ ଓ୍ବାଇଲ୍ଡ ଲାଇଫ୍ ସୋସାଇଟିର ମିଳିତ ପ୍ରୟାସରେ ଗଜମିତ୍ର ଅଭିଯାନ ଆରମ୍ଭ ହୋଇଥିଲା।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।