ଏଚ୍ଆଇଭି ବିରୋଧରେ ବୈଜ୍ଞାନିକଙ୍କ ବଡ଼ ସଫଳତା! ମାଙ୍କଡ଼ ଉପରେ ଚମକପ୍ରଦ ପରୀକ୍ଷା
ଓ୍ବାଂଶିଟନ୍, ୨୮।୧୦: ଏଡ୍ସ (ଏଚ୍ଆଇଭି) ସୃଷ୍ଟିକାରୀ ଭୂତାଣୁ ଶରୀରରେ ଲୁଚି ରହିବାର କ୍ଷମତା ରଖିଥାଏ। ଔଷଧ ଖାଇବା ବନ୍ଦ କରିଦେଲେ ଏହି ଲୁକ୍କାୟିତ ଭୂତାଣୁ ପୁନର୍ବାର ସକ୍ରିୟ ହୋଇଉଠେ। ତେବେ ଏହି ସମସ୍ୟାର ସମାଧାନ ପାଇଁ ଗବେଷକମାନେ ଏକ ନୂତନ ପରୀକ୍ଷା କରିଛନ୍ତି, ଯେଉଁଥିରେ ଶିଶୁ ମାଙ୍କଡ଼ମାନଙ୍କୁ ଏକ ପ୍ରାୟୋଗିକ ଆଣ୍ଟିବଡି ଦିଆଯିବା ଦ୍ୱାରା ଆଶ୍ଚର୍ଯ୍ୟଜନକ ଫଳାଫଳ ମିଳିଥିବା ଜଣାପଡ଼ିଛି। ବିକଶିତ ହୋଇଥିବା ଗୋଟିଏ ଆଣ୍ଟିବଡି ଇଞ୍ଜେକ୍ସନ ଭୂତାଣୁ (ଏଚ୍ଆଇଭି/ଏସ୍ଆଇଭି)କୁ ପ୍ରାୟ ୪ ବର୍ଷ ନିୟନ୍ତ୍ରଣ କରାଯାଇପାରିବ ବୋଲି ଗବେଷକମାନେ ଆଶା କରୁଛନ୍ତି।
ପତ୍ରିକା ‘ନେଚର୍ ମାଇକ୍ରୋବାୟୋଲୋଜି’ରେ ପ୍ରକାଶିତ ଏହି ଗବେଷଣା ଅନୁଯାୟୀ, ଆମେରିକାର କାଲିଫର୍ନିଆ ବିଶ୍ୱବିଦ୍ୟାଳୟର ଭୂତାଣୁ ବିଜ୍ଞାନୀ ଜେସି ଡିର୍ ଏବଂ ଇମ୍ୟୁନୋଲୋଜିଷ୍ଟ ଡେନିସ୍ ହାର୍ଟିଗାନ-ଓ’କନର୍ଙ୍କ ନେତୃତ୍ୱରେ ଏହି ଗବେଷଣା କରାଯାଇଛି। ଏଚ୍ଆଇଭି କିମ୍ବା ଏଚ୍ଆଇଭି ସମ୍ପର୍କିତ ଏସ୍ଆଇଭି (ସିମିଆନ ଇମ୍ୟୁନୋଡେଫିସିଏନ୍ସି ଭାଇରସ୍) ଭୂତାଣୁ ଶରୀରର ‘ସିସିଆର୍୫’ ନାମକ ପ୍ରୋଟିନ ଜରିଆରେ କୋଷ ମଧ୍ୟକୁ ପ୍ରବେଶ କରିଥାଏ ଏବଂ ସେଠାରେ ଲୁଚି ରହି ଭୂତାଣୁ ଭଣ୍ଡାର ସୃଷ୍ଟି କରେ। ଆଣ୍ଟିରେଟ୍ରୋଭାଇରାଲ ଔଷଧଗୁଡ଼ିକ ଭୂତାଣୁକୁ ବଢ଼ିବାରୁ ରୋକିଥାନ୍ତି, ମାତ୍ର ଏହି ଲୁକ୍କାୟିତ କୋଷଗୁଡ଼ିକୁ ସମ୍ପୂର୍ଣ୍ଣ ନଷ୍ଟ କରିପାରନ୍ତି ନାହିଁ। ଗବେଷକମାନେ ଏକ ସ୍ବତନ୍ତ୍ର ଆଣ୍ଟିବଡି ବ୍ୟବହାର କରିଥିଲେ, ଯାହା ‘ସିସିଆର୍୫’ ଏବଂ ‘ସିଡି୩’ (ଟି-କୋଷରେ ଥିବା ପ୍ରୋଟିନ) ସହ ସଂଯୁକ୍ତ ହୋଇ ‘ଟି-କୋଷ’ଗୁଡ଼ିକୁ ସିସିଆର୍୫ ଧାରଣ କରିଥିବା କୋଷଗୁଡ଼ିକୁ ଆକ୍ରମଣ କରିବା ପାଇଁ ନିର୍ଦ୍ଦେଶ ଦେଇଥାଏ।
ସୂଚନାଥାଉ କି ଏସ୍ଆଇଭି ହେଉଛି ଏକପ୍ରକାର ଭୂତାଣୁ (ରେଟ୍ରୋଭାଇରସ୍), ଯାହା ମୁଖ୍ୟତଃ ମାଙ୍କଡ଼ ପ୍ରଜାତିର ପ୍ରାଣୀମାନଙ୍କୁ ସଂକ୍ରମିତ କରିଥାଏ। ଏହା ମଣିଷର ଏଡ୍ସ ସୃଷ୍ଟିକାରୀ ଭୂତାଣୁ ‘ଏଚ୍ଆଇଭି’ ସହିତ ଅତ୍ୟନ୍ତ ସମାନ। ବୈଜ୍ଞାନିକମାନଙ୍କ ମତରେ, ଏସ୍ଆଇଭିରୁ ହିଁ ଏଚ୍ଆଇଭିର ରୂପାନ୍ତର ହୋଇଛି, ଯାହା ମାନବ ଶରୀରକୁ ପ୍ରଭାବିତ କରିଥାଏ। ଏଡ୍ସ (ଏଚ୍ଆଇଭି) ରୋଗର ପ୍ରତିଷେଧକ, ଟିକା କିମ୍ବା ଔଷଧ ଆବିଷ୍କାର ପାଇଁ ବୈଜ୍ଞାନିକମାନେ ପ୍ରାୟତଃ ମାଙ୍କଡ଼ମାନଙ୍କ ଉପରେ ଏହି ଏସ୍ଆଇଭି ଭୂତାଣୁକୁ ପ୍ରୟୋଗକରି ଗବେଷଣା କରିଥାଆନ୍ତି। ମଣିଷ ଶରୀରରେ ଏଚ୍ଆଇଭି ଯେପରି ରୋଗ ପ୍ରତିରୋଧକ ଶକ୍ତିକୁ ନଷ୍ଟ କରିଥାଏ, ଏସ୍ଆଇଭି ମଧ୍ୟ ସେହିପରି ମାଙ୍କଡ଼ଙ୍କ ଶରୀରର ‘ଟି-କୋଷ’ଗୁଡ଼ିକୁ ଆକ୍ରମଣ କରି ଦୁର୍ବଳ କରିଦେଇଥାଏ।
ଗବେଷକମାନେ ୨୫ଟି ନବଜାତ ମାଙ୍କଡ଼ଙ୍କୁ ଏସ୍ଆଇଭି ଭୂତାଣୁଦ୍ୱାରା ସଂକ୍ରମିତ କରିବା ପରେ ସେମାନଙ୍କୁ ୩ଟି ଭାଗରେ ବିଭକ୍ତ କରିଥିଲେ। ସେଗୁଡ଼ିକ ହେଲା, କେବଳ ଆଣ୍ଟିଭାଇରାଲ ଔଷଧ ପାଇଥିବା ଦଳ, ଔଷଧ ସହ ସିସିଆର୍୫/ସିଡି୩ ଆଣ୍ଟିବଡି ପାଇଥିବା ଦଳ ଏବଂ ଅନ୍ୟ ଏକ ଆଣ୍ଟିବଡି (ସିଡି୪-ଟାର୍ଗେଟିଂ) ପାଇଥିବା ଦଳ। ୧୮ ସପ୍ତାହ ପରେ ଯେତେବେଳେ ଔଷଧ ବନ୍ଦ କରାଗଲା, ସେତେବେଳେ କେବଳ ଔଷଧ ଖାଉଥିବା ସମସ୍ତ ମାଙ୍କଡ଼ଙ୍କ ଶରୀରରେ ପୁଣି ଗୋଟିଏ ସପ୍ତାହ ଭିତରେ ଭୂତାଣୁ ପୁନର୍ବାର ଫେରିଆସିଥିଲା। ମାତ୍ର ସିସିଆର୍୫/ସିଡି୩ ଆଣ୍ଟିବଡି ପାଇଥିବା ମାଙ୍କଡ଼ମାନଙ୍କ ମଧ୍ୟରୁ କିଛି ମାଙ୍କଡ଼ଙ୍କ ଶରୀରରେ ମାସ ମାସ ଧରି ଭୂତାଣୁ ଦୃଶ୍ୟମାନ ହୋଇ ନ ଥିଲା। ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଲା, ଗୋଟିଏ ମାଙ୍କଡ଼ଠାରେ ୪ ବର୍ଷ ପର୍ଯ୍ୟନ୍ତ ରକ୍ତରେ କୌଣସି ଭୂତାଣୁ ମିଳି ନ ଥିଲା। ଏହି ପଦ୍ଧତି ଶିଶୁମାନଙ୍କ କ୍ଷେତ୍ରରେ ଅଧିକ ପ୍ରଭାବଶାଳୀ ହୋଇପାରେ ବୋଲି ଗବେଷକମାନେ ମତ ଦେଇଛନ୍ତି, କାରଣ ଶିଶୁମାନଙ୍କ ରୋଗ ପ୍ରତିରୋଧକ ଶକ୍ତି ଶୀଘ୍ର ପୁନର୍ଗଠନ ହୋଇଥାଏ। ତେବେ ଏହା ଏଯାଏ ମଣିଷ ଉପରେ ପରୀକ୍ଷା କରାଯାଇ ନାହିଁ ଏବଂ ମାନବ ଶରୀରରେ ଏହାର ସୁରକ୍ଷା ଓ କାର୍ଯ୍ୟକାରିତା ଯାଞ୍ଚ କରିବା ପାଇଁ ଆହୁରି ଅଧିକ ଗବେଷଣାର ଆବଶ୍ୟକତା ରହିଛି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।