ଏଟିଏମ ରୁ ମିଳିବ ଚାଉଳ
ଭୁବନେଶ୍ୱର : ରାସନ ଚାଉଳ ପାଇଁ ଆଉ ଲମ୍ବା ଲାଇନ ଦେବାକୁ ପଡ଼ିବ ନାହିଁ । ଭୁବନେଶ୍ୱର ଏବଂ ଝାରସୁଗୁଡା ପରେ ଆଜି ଢେଙ୍କାନାଳରେ ଆରମ୍ଭ ହୋଇଛି ରାଜ୍ୟର ଅତ୍ୟାଧୁନିକ ‘ଚାଉଳ ଏଟିଏମ’। ହିତାଧିକାରୀଙ୍କୁ ୨୪ ଘଣ୍ଟା ସେବା ଯୋଗାଇବ ଏହି ଚାଉଳ ଏଟିଏମ। ଫିଙ୍ଗର ପ୍ରିଣ୍ଟ ଓ କାର୍ଡ ନମ୍ବର ଦେଇ ଚାଉଳ ଉଠାଇ ପାରିବେ ହିତାଧିକାରୀ । ମେସିନ୍ଟି ସ୍ୱୟଂଚାଳିତ ଭାବେ ହିତାଧିକାରୀଙ୍କ ନାମ ଓ ପରିମାଣ ଯାଞ୍ଚ କରି ନିର୍ଦ୍ଧାରିତ ଚାଉଳ ବିତରଣ କରିବ। ଆଜି ଏହାକୁ ଉଦ୍ଘାଟନ କରିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଏଥିରେ ଦୁର୍ନୀତି ଓ ଅନିୟମିତତା କମିବା ସହ ହିତାଧିକାରୀମାନେ ଯେକୌଣସି ସମୟରେ ସେବା ପାଇପାରିବେ ।
ଉଦ୍ଘାଟନ ଅବସରରେ ମନ୍ତ୍ରୀ କହିଛନ୍ତି , ସରକାରଙ୍କ ଲକ୍ଷ୍ୟ ହେଉଛି ସାଧାରଣ ଲୋକଙ୍କୁ ଅଧିକ ସ୍ୱଚ୍ଛ, ସହଜ ଓ ସମୟୋପଯୋଗୀ ସେବା ଯୋଗାଇବା । ସାର୍ବଜନୀନ ବିତରଣ ବ୍ୟବସ୍ଥା (PDS)କୁ ଆହୁରି ଆଧୁନିକ କରିବା ଦିଗରେ କାମ କରୁଛନ୍ତି ସରକାର । ଆଗାମୀ ଦିନରେ ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାରେ ଚାଉଳ ATM ସ୍ଥାପନ କରାଯିବ, ଯାହା ଖାଦ୍ୟ ସୁରକ୍ଷା ଯୋଜନାକୁ ନୂଆ ମାତ୍ରା ଦେବ । ଏହି ଅଭିନବ ପଦକ୍ଷେପକୁ ଢେଙ୍କାନାଳବାସୀ ସ୍ୱାଗତ କରିଥିବା ବେଳେ, ଏହା ରାଜ୍ୟର ଡିଜିଟାଲ୍ ଗଭର୍ନାନ୍ସ ଦିଗରେ ଆଉ ଏକ ବଡ଼ ପଦକ୍ଷେପ ବୋଲି ମତ ପ୍ରକାଶ ପାଇଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।