ଏତିକି ଟଙ୍କାର ଘରେ ରୁହନ୍ତି ବୈଭବ ସୂର୍ଯ୍ୟବଂଶୀ: ଜାଣିଲେ ହେବେ ଆଶ୍ଚର୍ଯ୍ୟ

Oct 28, 2026 - 14:27
ଏତିକି ଟଙ୍କାର ଘରେ ରୁହନ୍ତି ବୈଭବ ସୂର୍ଯ୍ୟବଂଶୀ: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ପାଟନା,୨୮।୧୦:କ୍ରିକେଟ ପଡ଼ିଆରେ ବଡ଼ ବଡ଼ ବୋଲରଙ୍କ ସାମ୍ନାରେ ନିର୍ଭୀକ ଭାବେ ବ୍ୟାଟିଂ କରି ଚର୍ଚ୍ଚାକୁ ଆସିଥିବା ବୈଭବ ସୂର୍ଯ୍ୟବଂଶୀଙ୍କ ସଫଳତା କେବଳ ତାଙ୍କ ରେକର୍ଡ ମଧ୍ୟରେ ସୀମିତ ନୁହେଁ। ଏହା ପଛରେ ରହିଛି ତାଙ୍କ ପରିବାରର ଦୀର୍ଘ ବର୍ଷର ପରିଶ୍ରମ, ତ୍ୟାଗ ଓ ସମର୍ଥନ। ବିହାରରେ ଥିବା ତାଙ୍କ ପୈତୃକ ଘର ଏହି ସଂଘର୍ଷମୟ ଯାତ୍ରାର ସ୍ମୃତି ବହନ କରୁଛି। ଘରର ସରଳ ପରିବେଶ, ଚାରିପାଖରେ ସବୁଜିମା ଏବଂ ପାଖରେ ଥିବା କ୍ରିକେଟ ଅଭ୍ୟାସ ସ୍ଥାନ ଏହାକୁ ସ୍ବତନ୍ତ୍ର କରିଛି। ବୈଭବ ସୂର୍ଯ୍ୟବଂଶୀଙ୍କ ପରିବାର ବିହାରର ସମସ୍ତିପୁର ଜିଲାର ତାଜପୁର ଅଞ୍ଚଳ ସହ ଜଡ଼ିତ। ତାଙ୍କ ପୈତୃକ ଘରଟି ଦୁଇ ମହଲା ବିଶିଷ୍ଟ। ଏଥିରେ ଏକ ଛୋଟ ବାଲକୋନି ରହିଥିବା ସହ ଘର ଚାରିପାଖରେ ଖୋଲା ସ୍ଥାନ ଓ ସବୁଜ ପରିବେଶ ଦେଖିବାକୁ ମିଳେ।

ଏହି ଘର କୌଣସି ଆଲିସାନ ସେଲିବ୍ରିଟି ବଙ୍ଗଳା ଭଳି ନୁହେଁ; ବରଂ ଏକ ସାଧାରଣ ପରିବାରର ଘର। ଏହିଠାରେ ହିଁ ବୈଭବଙ୍କ ପିଲାଦିନ ଓ କ୍ରିକେଟ ଯାତ୍ରାର ପ୍ରାରମ୍ଭିକ ସ୍ମୃତି ଜଡ଼ିତ ରହିଛି।
ବୈଭବଙ୍କ ପୈତୃକ ଘରର ସବୁଠାରୁ ଆକର୍ଷଣୀୟ ଦିଗ ହେଉଛି ଘର ନିକଟରେ ଥିବା କ୍ରିକେଟ ଅଭ୍ୟାସ ସ୍ଥାନ। ପୁଅର ଖେଳକୁ ଉନ୍ନତ କରିବା ପାଇଁ ତାଙ୍କ ପିତା ସଞ୍ଜୀବ ସୂର୍ଯ୍ୟବଂଶୀ ଘର ପାଖରେ ନେଟ ଓ ପିଚ୍‌ର ବ୍ୟବସ୍ଥା କରିଥିଲେ। ଏଠାରେ କଂକ୍ରିଟ ଓ ଟର୍ଫ ଉଭୟ ପ୍ରକାରର ପିଚ ରହିଥିଲା। ଏହା ଫଳରେ ବୈଭବ ନିୟମିତ ଅଭ୍ୟାସ କରିବା ସହ ନିଜ ବ୍ୟାଟିଂ କୌଶଳକୁ ଅଧିକ ଶାଣିତ କରିବାର ସୁଯୋଗ ପାଇଥିଲେ।

ବୈଭବଙ୍କ ପିତା ସଞ୍ଜୀବଙ୍କର ମଧ୍ୟ କ୍ରିକେଟ ପ୍ରତି ଆଗ୍ରହ ଥିଲା। ପୁଅର ଖେଳ ପ୍ରତି ନିଷ୍ଠା ଦେଖି ସେ ତାକୁ ଆଗକୁ ବଢ଼ିବା ପାଇଁ ସବୁ ପ୍ରକାର ସହଯୋଗ କରିଥିଲେ। ଅଭ୍ୟାସକୁ ଅଧିକ ପ୍ରଭାବଶାଳୀ କରିବା ପାଇଁ ସ୍ଥାନୀୟ ଓ ବିଶ୍ୱବିଦ୍ୟାଳୟ ସ୍ତରର ବୋଲରମାନଙ୍କୁ ମଧ୍ୟ ଡକାଯାଉଥିଲା। ଉନ୍ନତ ପ୍ରଶିକ୍ଷଣ ପାଇଁ ପରିବାର ବୈଭବଙ୍କୁ ପାଟନା ମଧ୍ୟ ନେଇଯାଉଥିଲେ। ଏହିପରି ଭାବେ ଅଳ୍ପ ବୟସରୁ ହିଁ ବୈଭବ ନିଜ ଖେଳ ଉପରେ ଧ୍ୟାନ ଦେଇ ନିୟମିତ ପରିଶ୍ରମ କରିବା ଆରମ୍ଭ କରିଥିଲେ।
ବୈଭବ ସୂର୍ଯ୍ୟବଂଶୀଙ୍କ ପୈତୃକ ଘରର ମୂଲ୍ୟକୁ ନେଇ ବିଭିନ୍ନ ରିପୋର୍ଟରେ ୪୦ ଲକ୍ଷରୁ ୬୦ ଲକ୍ଷ ଟଙ୍କା ମଧ୍ୟରେ ଆକଳନ କରାଯାଇଛି। ତେବେ ଏହି ମୂଲ୍ୟର କୌଣସି ନିଶ୍ଚିତ ଅଧିକାରିକ ସୂଚନା ଉପଲବ୍ଧ ନାହିଁ। ଘରର ପ୍ରକୃତ ମୂଲ୍ୟ ଯାହା ହେଉନା କାହିଁକି, ବୈଭବଙ୍କ ପାଇଁ ଏହାର ଗୁରୁତ୍ୱ ଅନେକ ଅଧିକ। କାରଣ ଏହି ସ୍ଥାନରୁ ହିଁ ତାଙ୍କ କ୍ରିକେଟ ଯାତ୍ରାର ମୂଳଦୁଆ ପଡ଼ିଥିଲା। ପରିବାରର ସମର୍ଥନ, ନିୟମିତ ଅଭ୍ୟାସ ଓ ଦୃଢ଼ ଇଚ୍ଛାଶକ୍ତି କିପରି ଜଣେ ଯୁବ ଖେଳାଳିଙ୍କୁ ଆଗକୁ ବଢ଼ିବାରେ ସାହାଯ୍ୟ କରେ, ବୈଭବଙ୍କ ଯାତ୍ରା ତାହାର ଏକ ଉଦାହରଣ।

 

Dharitri – Odisha’s No.1 Odia Daily

 


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।