ଟିମ ମ୍ୟାନେଜମେଣ୍ଟ ଉପରେ ବର୍ଷିଲେ ଅଶ୍ୱିନ: କହିଲେ, ନାହିଁ କମନ ସେନ୍ସ

Oct 16, 2026 - 10:00
ଟିମ ମ୍ୟାନେଜମେଣ୍ଟ ଉପରେ ବର୍ଷିଲେ ଅଶ୍ୱିନ: କହିଲେ, ନାହିଁ କମନ ସେନ୍ସ

ନୂଆଦିଲ୍ଲୀ,୧୬।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ୫ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ୍‌ରେ ଭାରତୀୟ ଦଳର ଷ୍ଟାର୍‌ ଲେଗ ସ୍ପିନର୍‌ କୁଲଦୀପ ଯାଦବଙ୍କୁ ଲଗାତାର ମ୍ୟାଚ୍‌ରୁ ବାଦ ଦିଆଯିବାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଭାରତର ପୂର୍ବତନ ପ୍ରସିଦ୍ଧ ସ୍ପିନର୍‌ ରବିଚନ୍ଦ୍ରନ ଅଶ୍ୱିନ। ଦଳ ପରିଚାଳନାର ଏହି ନିଷ୍ପତ୍ତିକୁ ସେ ପ୍ରଶ୍ନ କରିଛନ୍ତି। ଯେଉଁ ଦଳର ବ୍ୟାଟରମାନେ କୁଲଦୀପଙ୍କ ବୋଲିଂକୁ ବୁଝିବାରେ ସଂଘର୍ଷ କରୁଛନ୍ତି, ସେହି ଦଳ ବିପକ୍ଷରେ ତାଙ୍କୁ ବାହାରେ ବସାଇବା ଆଶ୍ଚର୍ଯ୍ୟଜନକ ବୋଲି ଅଶ୍ୱିନ କହିଛନ୍ତି।

ଲକ୍ଷ୍ନୌ ଓ ରାଞ୍ଚିରେ ଖେଳାଯାଇଥିବା ପ୍ରଥମ ଦୁଇଟି ମ୍ୟାଚ ପରେ କୁଲଦୀପଙ୍କୁ ଇନ୍ଦୋର ଓ ହାଇଦ୍ରାବାଦରେ ଖେଳାଯାଇଥିବା ପରବର୍ତ୍ତୀ ଦୁଇଟି ମ୍ୟାଚ୍‌ରେ ଚୂଡ଼ାନ୍ତ ଏକାଦଶରୁ ବାଦ ଦିଆଯାଇଥିଲା। ଏହି ନିଷ୍ପତ୍ତିକୁ ନେଇ ଅଶ୍ୱିନ ନିଜ ୟୁଟ୍ୟୁବ ଚ୍ୟାନେଲ୍‌ରେ ମତ ରଖିଛନ୍ତି।

ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଚତୁର୍ଥ ଟି-୨୦ରେ ଭାରତୀୟ ବୋଲିଂର ଦୁର୍ବଳତା ସାମ୍ନାକୁ ଆସିଥିଲା। ୱେଷ୍ଟଇଣ୍ଡିଜ ୨୦ ଓଭର୍ରେ ୨୪୭ ରନ୍‌ର ବିଶାଳ ସ୍କୋର୍‌ କରିଥିଲା। ଜବାବରେ ଭାରତ ୨୪ ରନ୍‌ରେ ପରାସ୍ତ ହୋଇଥିଲା। ଫଳରେ ୫ ମ୍ୟାଚ ବିଶିଷ୍ଟ ସିରିଜ ୨-୨ରେ ବରାବର ହୋଇଛି।

ଏହି ପରାଜୟ ପରେ କୁଲଦୀପଙ୍କୁ ଦଳରୁ ବାଦ ଦେବା ନିଷ୍ପତ୍ତିକୁ ନେଇ ଅଶ୍ୱିନ ଆଶ୍ଚର୍ଯ୍ୟ ପ୍ରକାଶ କରିଥିଲେ। ତାଙ୍କ ମତରେ, ଯେଉଁ ପରିସ୍ଥିତିରେ ବୋଲରଙ୍କ ବିବିଧତା ମ୍ୟାଚ୍‌ର ଗତି ବଦଳାଇପାରେ, ସେଠାରେ କୁଲଦୀପଙ୍କ ଭଳି ସ୍ପିନରଙ୍କ ଅନୁପସ୍ଥିତି ଭାରତ ପାଇଁ କ୍ଷତିକାରକ ହୋଇପାରେ।

ଅଶ୍ୱିନ କହିଛନ୍ତି, ଏହି ନିଷ୍ପତ୍ତି ବେଶ ଆଶ୍ଚର୍ଯ୍ୟଜନକ। ଯେଉଁ ପିଚ୍‌ରେ ଅଧିକ ବାଉନ୍ସ ମିଳିବାର ଆଶା ଥାଏ, ସେଠାରେ ୱେଷ୍ଟଇଣ୍ଡିଜ୍‌ର ବ୍ୟାଟର୍ମାନେ କୁଲଦୀପଙ୍କ ଲେଗ ସ୍ପିନ ଓ ଗୁଗ୍‌ଲିକୁ ବୁଝିବାରେ ସଂଘର୍ଷ କରୁଛନ୍ତି। ଯଦି ଏଭଳି ଦଳ ବିପକ୍ଷରେ ମଧ୍ୟ ତାଙ୍କୁ ବାହାରେ ବସାଯାଉଛି, ତେବେ ଏହି ନିଷ୍ପତ୍ତିରେ କମନସେନ୍ସ ବା ସାଧାରଣ ବିଚାରବୋଧର ଅଭାବ ସ୍ପଷ୍ଟ ଦେଖାଯାଉଛି।

ଅଶ୍ୱିନଙ୍କ ମତରେ, ହାଇଦ୍ରାବାଦ ଭଳି ଅଧିକ ରନ ହେଉଥିବା ମ୍ୟାଚ୍ରେ କୁଲଦୀପଙ୍କ ଉପସ୍ଥିତି ଭାରତ ପାଇଁ ଅତି କମ୍‌ରେ ୧୫ରୁ ୨୦ ରନ୍‌ର ଫରକ ସୃଷ୍ଟି କରିପାରିଥାନ୍ତା। ଏହା ମ୍ୟାଚ୍ର ଫଳାଫଳକୁ ଭାରତ ସପକ୍ଷରେ ନେଇପାରିଥାନ୍ତା ବୋଲି ସେ ମତ ଦେଇଛନ୍ତି।

ପ୍ରଥମ ଟି-୨୦ରେ କୁଲଦୀପ ଯାଦବ ୩୩ ରନ ଦେଇ ୨ଟି ୱିକେଟ ନେଇଥିଲେ। କିନ୍ତୁ ରାଞ୍ଚିରେ ଖେଳାଯାଇଥିବା ଦ୍ୱିତୀୟ ମ୍ୟାଚ୍ରେ ସେ ୫୩ ରନ ବ୍ୟୟ କରିଥିଲେ। ସେହି ମ୍ୟାଚ୍ରେ ଭାରତ ପରାଜିତ ହୋଇଥିଲା।

ତେବେ ଗୋଟିଏ ମ୍ୟାଚ୍‌ର ପ୍ରଦର୍ଶନକୁ ଆଧାର କରି କୁଲଦୀପଙ୍କୁ ଦୋଷ ଦେବା ଠିକ ନୁହେଁ ବୋଲି ଅଶ୍ୱିନ କହିଛନ୍ତି। ସେ କହିଛନ୍ତି, ଇନ୍ଦୋରର ହୋଲକର ଷ୍ଟାଡିୟମ୍‌ରେ ଛୋଟ ବାଉଣ୍ଡରୀକୁ ଦେଖି ଯଦି କୁଲଦୀପଙ୍କୁ ଖେଳାଯାଇ ନ ଥାନ୍ତା, ତେବେ ମୁଁ ସେହି ନିଷ୍ପତ୍ତିକୁ ସମର୍ଥନ କରିପାରିଥାନ୍ତି। କିନ୍ତୁ ରାଞ୍ଚିରେ ଭାରତର ପରାଜୟ ପାଇଁ କୁଲଦୀପ ହିଁ ଦାୟୀ ବୋଲି ଏକ ଧାରଣା ସୃଷ୍ଟି କରାଯାଉଛି। ପରାଜୟର ସମସ୍ତ ଦୋଷ ଜଣେ ଖେଳାଳିଙ୍କ ଉପରେ ଲଦିଦେବା ସମ୍ପୂର୍ଣ୍ଣ ଭୁଲ।

ସିରିଜ ୨-୨ରେ ବରାବର ଥିବାରୁ ଶେଷ ମ୍ୟାଚ ଉଭୟ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ। ଏବେ ଦଳ ପରିଚାଳନା କୁଲଦୀପଙ୍କୁ ଚୂଡ଼ାନ୍ତ ଏକାଦଶରେ ସୁଯୋଗ ଦେଉଛି କି ନାହିଁ, ତାହା ଉପରେ କ୍ରିକେଟ୍‌ପ୍ରେମୀଙ୍କ ନଜର ରହିବ।

 

Dharitri – Odisha’s No.1 Odia Daily

 


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।