ଏସିଆ କପ ପାଇଁ ଟିମ ଇଣ୍ଡିଆ ଘୋଷଣା: ତିଳକ ଅଧିନାୟକ; ବୈଭବଙ୍କୁ ମିଳିଲା ସୁଯୋଗ, ଏହି ଦିନ ଭାରତ-ପାକିସ୍ତାନ ମ୍ୟାଚ

Nov 02, 2026 - 19:02
ଏସିଆ କପ ପାଇଁ ଟିମ ଇଣ୍ଡିଆ ଘୋଷଣା: ତିଳକ ଅଧିନାୟକ; ବୈଭବଙ୍କୁ ମିଳିଲା ସୁଯୋଗ, ଏହି ଦିନ ଭାରତ-ପାକିସ୍ତାନ ମ୍ୟାଚ

ନୂଆଦିଲ୍ଲୀ, ୨।୧୧: ୨୦୨୬ ପୁରୁଷ ରାଇଜିଂ ଷ୍ଟାର୍ସ ଏସିଆ କପ ପାଇଁ ଇଣ୍ଡିଆ-ଏ ଦଳ ଘୋଷଣା କରିଛି ବିସିସିଆଇ। ତିଳକ ବର୍ମାଙ୍କୁ ଦଳର ଅଧିନାୟକ ଏବଂ ରଜତ ପାଟିଦାରଙ୍କୁ ଉପଅଧିନାୟକ ଦାୟିତ୍ୱ ମିଳିଛି। ନଭେମ୍ବର ୧୯ରୁ ୨୯ ତାରିଖ ପର୍ଯ୍ୟନ୍ତ କାତାରର ଦୋହାରେ ଏହି ଟୁର୍ନାମେଣ୍ଟ ଆୟୋଜିତ ହେବ। ଇଣ୍ଡିଆ-ଏ ଦଳରେ ଅଭିଷେକ ଶର୍ମା ଏବଂ ବୈଭବ ସୂର୍ଯ୍ୟବଂଶୀଙ୍କୁ ମଧ୍ୟ ସ୍ଥାନ ମିଳିଛି।

ଟୁର୍ନାମେଣ୍ଟରେ ଭାରତ-ଏକୁ ଗ୍ରୁପ-ବିରେ ସ୍ଥାନ ମିଳିଛି। ଏହି ଗ୍ରୁପରେ ୟୁଏଇ, ନେପାଳ ଏବଂ ପାକିସ୍ତାନ-ଏ ମଧ୍ୟ ରହିଛନ୍ତି। ସେହିପରି ଗ୍ରୁପ-ଏରେ ବାଂଲାଦେଶ-ଏ, ଶ୍ରୀଲଙ୍କା-ଏ, ଆଫଗାନିସ୍ତାନ-ଏ ଏବଂ ହଂକଂ, ଚାଇନାକୁ ସ୍ଥାନ ଦିଆଯାଇଛି। ପ୍ରତ୍ୟେକ ଗ୍ରୁପରେ ଶ୍ରେଷ୍ଠ ଦୁଇଟି ଦଳ ସେମିଫାଇନାଲ୍କୁ ଉନ୍ନୀତ ହେବେ। ନଭେମ୍ବର ୨୬ ଓ ୨୭ ତାରିଖରେ ଦୁଇଟି ସେମିଫାଇନାଲ ମ୍ୟାଚ ଖେଳାଯିବ। ଏହାପରେ ରବିବାର, ନଭେମ୍ବର ୨୯ରେ ଫାଇନାଲ ମୁକାବିଲା ଅନୁଷ୍ଠିତ ହେବ।

ରାଇଜିଂ ଷ୍ଟାର୍ସ ଏସିଆ କପରେ ନଭେମ୍ବର ୨୨ରେ ଭାରତ-ଏ ଓ ପାକିସ୍ତାନ-ଏ ମଧ୍ୟରେ ମୁକାବିଲା ହେବ। ଭାରତୀୟ ଦଳ ନଭେମ୍ବର ୨୦ରେ ନେପାଳ ବିପକ୍ଷରେ ଖେଳିବ। ଏହାପରେ ନଭେମ୍ବର ୨୨ରେ ପାକିସ୍ତାନ-ଏକୁ ଭେଟିବ ଇଣ୍ଡିଆ-ଏ। ଏହି ଦୁଇଟି ମ୍ୟାଚ ୱେଷ୍ଟ ଏଣ୍ଡ ପାର୍କ ଇଣ୍ଟରନ୍ୟାଶନାଲ ଷ୍ଟାଡିୟମରେ ଖେଳାଯିବ। ଏହାପରେ ନଭେମ୍ବର ୨୪ରେ ଇଣ୍ଡିଆ-ଏ ଓ ୟୁଏଇ ମଧ୍ୟରେ ମୁକାବିଲା ହେବ। ଏହି ମ୍ୟାଚ ଦୋହା ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଶ୍ୱବିଦ୍ୟାଳୟ ପଡ଼ିଆରେ ଖେଳାଯିବ।

ଭାରତୀୟ ଦଳ:
ଅଭିଷେକ ଶର୍ମା, ବୈଭବ ସୂର୍ଯ୍ୟବଂଶୀ, ପ୍ରଭସିମରନ ସିଂହ (ଉଇକେଟ୍‌ କିପର୍‌), ତିଳକ ବର୍ମା (ଅଧିନାୟକ), ରଜତ ପାଟିଦାର (ଉପଅଧିନାୟକ), ରିଙ୍କୁ ସିଂହ, କୁମାର କୁଶାଗ୍ର (ଉଇକେଟ୍‌ କିପର୍‌), ସୂର୍ଯ୍ୟାଂଶ ସେଡ୍ଗେ, ଶାହବାଜ ଅହମ୍ମଦ, ବିପ୍ରଜ ନିଗମ, ହର୍ଷ ଦୁବେ, ତନୁଷ କୋଟିଆନ, ହର୍ଷିତ ରାଣା, ପ୍ରିନ୍ସ ଯାଦବ ଏବଂ ଅର୍ଶଦ ଖାନ।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।