ଓଡ଼ିଆରେ ପ୍ରେସକ୍ରିପସନ ଲେଖି ଚର୍ଚ୍ଚାରେ ଡାକ୍ତର ଶିବ ପ୍ରସାଦ, ସୋସିଆଲ ମିଡିଆରେ ପ୍ରଶଂସା
କୁନ୍ଦୁରା/କୋରାପୁଟ,୨୩।୯(ସନ୍ତୋଷ ପ୍ରହରାଜ/ଅମିତାଭ ବେହେରା): କୋରାପୁଟ ଜିଲା କୁନ୍ଦୁରା ବ୍ଲକ ସଦର ମହକୁମାରେ ଜନ୍ମ ଗ୍ରହଣ କରିଥିବା ଡାକ୍ତର ଶିବ ପ୍ରସାଦ ସେନାପତି ଓଡ଼ିଆରେ ପ୍ରେସକ୍ରିପସନ ଲେଖି ଚର୍ଚ୍ଚାକୁ ଆସିଛନ୍ତି । ବର୍ତ୍ତମାନ ତାଙ୍କୁ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟୁଛି । କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜଠାରେ ନିଯୁକ୍ତ ଡାକ୍ତର ସେନାପତି ରୋଗୀଙ୍କୁ ଓଡ଼ିଆରେ ପ୍ରେସକ୍ରିପସନ ଲେଖିଛନ୍ତି ।
ଏନେଇ ଡାକ୍ତର କହିଛନ୍ତିଯେ, ରୋଗୀ କେବଳ ଚିକିତ୍ସା ପାଇଁ ଆସୁଛନ୍ତି ତାହା ନୁହଁ ସେମାନେ ଡାକ୍ତରଙ୍କ ଉପରେ ଭରସା ରଖିବା ଆବଶ୍ୟକ। ପ୍ରେସକ୍ରିପସନରେ ରୋଗୀଙ୍କୁ ହୋଇଥିବା ରୋଗଠାରୁ ଆରମ୍ଭ କରି ଉପଚାର ଏବଂ ଔଷଧ କେତେବେଳେ କେତେ ଲେଖାଏଁ ଖାଇବେ ସମ୍ପୂର୍ଣ ଭାବେ ଓଡ଼ିଆରେ ଲେଖା ଯାଇଛି। କୋରାପୁଟ ଜିଲା ଅଧିବାସୀ ଅଧ୍ୟୁଷିତ ଅଞ୍ଚଳ ହୋଇଥିବା ବେଳେ ଏଠାକାର ପ୍ରାୟ ଲୋକ ଓଡ଼ିଆ ସମ୍ପୂର୍ଣ୍ଣ ଭାବେ ପଢି ଜାଣି ପାରନ୍ତି । ସେଥିପାଇଁ ସେ କଟକସ୍ଥିତ ଏସସିବି ମେଡିକାଲ କଲେଜରୁ କୋରାପୁଟ ବଦଳି ହୋଇ ଆସିବା ପରେ ଦୀର୍ଘ ମାସ ଧରି ସମସ୍ତ ରୋଗୀଙ୍କ ପ୍ରେସକ୍ରିପସନ ଓଡ଼ିଆରେ ଲେଖୁଥିବା କହିଛନ୍ତି । ସାଧାରଣତଃ ଡାକ୍ତର ଲେଖିଥିବା ଲେଖାକୁ ପ୍ରାୟତଃ ବୁଝି ନପାରି ଅନେକ ରୋଗୀ ଔଷଧ ଦୋକାନରେ ପୁଣି ଥରେ ପଚାରିଥାନ୍ତି । ଔଷଧ ଗୁଡିକରେ ମାର୍କର ସାହାଯ୍ୟରେ ଲେଖା ମଧ୍ୟ ହୁଏ । କିନ୍ତୁ ଡାକ୍ତର ସେନାପତି ଲେଖିଥିବା ସୁନ୍ଦର ଭାବରେ ଓଡ଼ିଆ ଅକ୍ଷର ଲେଖାକୁ ସହଜରେ ବୁଝି ପାରନ୍ତି ରୋଗୀ।
ବର୍ତ୍ତମାନ କୋରାପୁଟସ୍ଥିତ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ରୋଗୀ ଆସି କହୁଛନ୍ତି ଯେ, ଓଡ଼ିଆ ଡାକ୍ତର କେଉଁ ରୁମରେ ବସିଛନ୍ତି । ଏହି ଖବର ମୋବାଇଲରୁ ମୋବାଇଲ ଭାଇରଲ ହେବା ପରେ କୋଟପାଡ଼ ବିଧାୟକ ରୂପୁ ଭତ୍ରା, ଏମପି ପ୍ରତିନିଧି ରାମେଶ୍ୱର ଜେନା, ବିଧାୟକ ପ୍ରତିନିଧି ବଦ୍ରିନାରାୟଣ ଆଚାର୍ଯ୍ୟ, ଅଭିଳାଷ ବେହେରା, ଏମପି ପ୍ରତିନିଧି ଅମ୍ବୁ ପାତ୍ର ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି ।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।