ଓଡ଼ିଶା ପାଇଁ ଗୌରବ: ଆଡ଼ଭାନ୍ସ ମାଉଣ୍ଟେନିୟରିଂ ପ୍ରଶିକ୍ଷଣ ପାଇଁ କାଶ୍ମୀର ଯିବେ ବରଗଡ଼ର ଆଶୀର୍ବାଦ ମହାପାତ୍ର
ବରଗଡ଼, ୪।୯(ପ୍ରେମାନନ୍ଦ ଖମାରୀ): ଓଡ଼ିଶାର ଜଣାଶୁଣା ଆନ୍ତର୍ଜାତୀୟ ପର୍ବତାରୋହୀ ତଥା ବରଗଡ଼ ଜିଲା ଅତାବିରା ବ୍ଲକ୍ ଅନ୍ତର୍ଗତ କୁଲିତାଟୁକୁରା ଗ୍ରାମର ବାସିନ୍ଦା ଆଶୀର୍ବାଦ ମହାପାତ୍ର ଆଡ଼ଭାନ୍ସ ମାଉଣ୍ଟେନିୟରିଂ ପ୍ରଶିକ୍ଷଣ ନେବା ପାଇଁ କାଶ୍ମୀର ଯାତ୍ରା କରୁଛନ୍ତି। ଭାରତ ସରକାରଙ୍କ ପ୍ରତିରକ୍ଷା ମନ୍ତ୍ରଣାଳୟ ଅଧୀନରେ ଥିବା ପହଲଗାମସ୍ଥିତ ଜବାହର ଇନଷ୍ଟିଚ୍ୟୁଟ୍ ଅଫ୍ ମାଉଣ୍ଟେନିୟରିଂରେ ଆୟୋଜିତ ଆଡ଼ଭାନ୍ସ ମାଉଣ୍ଟେନିୟରିଂ କୋର୍ସର ବ୍ୟାଚ୍ ନମ୍ବର ୫୫ରେ ସେ ଯୋଗଦେବେ। ସେପ୍ଟେମ୍ବର ୬ ତାରିଖରୁ ଅକ୍ଟୋବର ୧ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ସ୍ବଶେଷ ତାଲିମ କାର୍ଯ୍ୟକ୍ରମରେ ତାଙ୍କୁ ଉନ୍ନତ ପର୍ବତାରୋହଣ କୌଶଳ, ରୋପ୍ ଟେକ୍ନିକ୍, ଉଦ୍ଧାର କାର୍ଯ୍ୟ ଏବଂ ପ୍ରତିକୂଳ ପାର୍ବତ୍ୟ ପରିବେଶରେ ସୁରକ୍ଷିତ ଅଭିଯାନ ପରିଚାଳନା ସମ୍ପର୍କରେ ଗ୍ରହଣ କରିବାକୁ ସୁଯୋଗ ମିଳିବ।
ପିଲାଟି ଦିନରୁ ପର୍ବତାରୋହଣ ପ୍ରତି ବିଶେଷ ଆକୃଷ୍ଟ ଥିବା ଆଶୀର୍ବାଦ ପୂର୍ବରୁ ଆଫ୍ରିକାର ସର୍ବୋଚ୍ଚ ଶିଖର ମାଉଣ୍ଟ କିଲିମାଞ୍ଜାରୋ (୫,୮୯୫ ମିଟର) ସମେତ ତାତାକୋଟି, ହରମୁଖ, ତ୍ରିଶୂଳ, ନୀଳକଣ୍ଠ, ସନସେଟ୍, ଗୋଲ୍ ଟପ୍ ଏବଂ ସ୍ଲିପିଂ ଲେଡି ମାଉଣ୍ଟେନ୍ ଭଳି ଅନେକ ଦୁର୍ଗମ ଶିଖର ସଫଳତାର ସହ ଆରୋହଣ କରିସାରିଛନ୍ତି। କିଲିମାଞ୍ଜାରୋ ଶିଖରରେ ସେ ଭାରତୀୟ ତ୍ରିରଙ୍ଗା ପତାକା ସହ ପଶ୍ଚିମ ଓଡ଼ିଶାର ଆରାଧ୍ୟ ଦେବୀ ମା’ ସମଲେଇଙ୍କ ପତାକା ଉଡ଼ାଇ ଓଡ଼ିଶାକୁ ଗୌରବାନ୍ୱିତ କରିଥିଲେ।
ଏହି ଅବସରରେ ବରଗଡ଼ ଆଗ୍ରଗାମୀ ଯୁବକ ସଂଘଠାରେ ସ୍ବେଚ୍ଛାସେବୀ ଅନୁଷ୍ଠାନ ସଂକଳ୍ପ ପରିବାର ପକ୍ଷରୁ ଏକ ଖବରଦାତା ସମ୍ମିଳନୀ ଆୟୋଜିତ ହୋଇଥିଲା। ଏଥିରେ ସଂକଳ୍ପ ପରିବାରର ସଭାପତି ବିକାଶ ଅଗ୍ରୱାଲ ପ୍ରକାଶ କରିଥିଲେ ଯେ, ଏହା କେବଳ ଜଣେ ପର୍ବତାରୋହୀଙ୍କ ଯାତ୍ରା ନୁହେଁ, ବରଂ ବରଗଡ଼ରୁ ବିଶ୍ୱ ଦରବାର ପର୍ଯ୍ୟନ୍ତ ସ୍ୱପ୍ନର ଯାତ୍ରା। ନିଜ ଅଞ୍ଚଳର ଜଣେ ଯୁବକ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ଓଡ଼ିଶାର ପରିଚୟ ସୃଷ୍ଟି କରିବା ସମସ୍ତଙ୍କ ପାଇଁ ଅତ୍ୟନ୍ତ ଗର୍ବର ବିଷୟ। ଏହି ଆଡ଼ଭାନ୍ସ ପ୍ରଶିକ୍ଷଣ ଆଶୀର୍ବାଦଙ୍କୁ ଆଗାମୀ ଦିନରେ ଆହୁରି ଉଚ୍ଚ ପର୍ବତ ଅଭିଯାନ ପାଇଁ ସକ୍ଷମ କରିବ ବୋଲି ଆଶାପ୍ରକାଶ କରାଯିବା ସହ ସଂକଳ୍ପ ପରିବାର ପକ୍ଷରୁ ତାଙ୍କର ଏହି ଯାତ୍ରାର ସଫଳତା କାମନା କରାଯାଇ ଶୁଭେଚ୍ଛା ଜ୍ଞାପନ କରାଯାଇଛି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।