ପୂର୍ବତନ ବ୍ଲକ ଅଧ୍ୟକ୍ଷଙ୍କ ବିୟୋଗ, ଶେଷ ଦର୍ଶନ କଲେ ବିଧାୟକ
ଗଞ୍ଜାମ, ୪/୯ (ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକର ପୂର୍ବତନ ଅଧ୍ୟକ୍ଷ ତଥା ବରିଷ୍ଠ କଂଗ୍ରେସ ନେତା ସୁଧୀର ବିଶ୍ୱାଳ (୬୧)ଙ୍କ ବିୟୋଗ ଘଟିଛି। ତାଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ସେ ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମା ପଞ୍ଚାୟତର ଚନ୍ଦ୍ରଶେଖର ସାହିର ବାସିନ୍ଦା ଥିଲେ।
ଖବର ପାଇ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ସ୍ୱର୍ଗତ ବିଶ୍ୱାଳଙ୍କ ବାସଭବନରେ ପହଞ୍ଚି ତାଙ୍କର ଶେଷ ଦର୍ଶନ କରିଥିଲେ। ପରେ ତାଙ୍କ ମରଶରୀରକୁ ଏକ ବିରାଟ ଶୋଭାଯାତ୍ରାରେ ଗ୍ରାମ ଶ୍ମଶାନକୁ ନିଆଯାଇଥିଲା। ସେଠାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା।
ତାଙ୍କ ଶେଷ ଦର୍ଶନ ପାଇଁ ଛତ୍ରପୁର, ଖଲ୍ଲିକୋଟ ଓ ଗଞ୍ଜାମ ବ୍ଲକ ଅଞ୍ଚଳର କଂଗ୍ରେସ ନେତାଙ୍କ ସମେତ ବିଭିନ୍ନ ଅଞ୍ଚଳରୁ ବହୁ ରାଜନୈତିକ ଦଳର ନେତା ଓ ସମର୍ଥକ ଆସିଥିଲେ।
ସୁଧୀର ବିଶ୍ୱାଳ ବିଭିନ୍ନ ସମୟରେ କଂଗ୍ରେସ ଦଳର ବିଭିନ୍ନ ପଦପଦବୀରେ ରହିଥିଲେ। ସେ ୧୯୯୯ରୁ ୨୦୦୨ ପର୍ଯ୍ୟନ୍ତ ଗଞ୍ଜାମ ପଞ୍ଚାୟତ ସମିତିର ଅଧ୍ୟକ୍ଷ ଭାବେ ଦାୟିତ୍ୱ ତୁଲାଇଥିଲେ। ତାଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛନ୍ତି। ଶେଷ ସମୟରେ ତାଙ୍କ ବଡ଼ ଭାଇ ସୁନୀଲ ବିଶ୍ୱାଳ ଓ ସାନ ଭାଇ ସୁଶାନ୍ତ ବିଶ୍ୱାଳ ଉପସ୍ଥିତ ଥିଲେ।ଗତ କିଛି ମାସ ହେଲା ସେ ଅସୁସ୍ଥ ଥିଲେ। ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ବିୟୋଗ ଘଟିଥିବା ଜଣାପଡ଼ିଛି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।