କଣ୍ଟିଆପଡ଼ାରେ ‘ସେବା ସେତୁ’ ଅଭିଯାନ
ପାଟଣା, ୫/୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ କଣ୍ଟିଆପଡ଼ା ପଞ୍ଚାୟତ ସଭାଗୃହରେ ସୋମବାର ‘ସେବା ସେତୁ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ବିଡିଓ ମାନସ କୁମାର ଦଣ୍ଡପାଟଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି ଶିବିରରେ ବ୍ଲକସ୍ତରୀୟ ବିଭିନ୍ନ ବିଭାଗର ଅଧିକାରୀ ଯୋଗଦେଇ ଲୋକଙ୍କ ବିଭିନ୍ନ ଅଭିଯୋଗ ଶୁଣାଣି କରିଥିଲେ।
କେନ୍ଦେଇପଶି, ଚାକୁଣ୍ଡାପାଳ ଓ କଣ୍ଟିଆପଡ଼ା ପଞ୍ଚାୟତର ବହୁ ଲୋକ ଏହି ଶିବିରରେ ଯୋଗଦେଇ ବିଭିନ୍ନ ସମସ୍ୟା ଅଧିକାରୀଙ୍କ ସମ୍ମୁଖରେ ରଖିଥିଲେ। ବାର୍ଦ୍ଧକ୍ୟ ଓ ବିଧବା ଭତ୍ତା, ଆବାସ ଯୋଜନା, ରାସନ କାର୍ଡ, ସୁଭଦ୍ରା ଯୋଜନା, ଶ୍ରମିକ କାର୍ଡ, ସ୍ୱାସ୍ଥ୍ୟସେବା, ଆଧାର କାର୍ଡ ଏବଂ ଜମିଜମା ସମ୍ପର୍କିତ ବିଭିନ୍ନ ଅଭିଯୋଗ ଉପରେ ଆଲୋଚନା କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ତହସିଲଦାର ରବିଶଙ୍କର ହେମ୍ବ୍ରମ, ବ୍ଲକ ଶ୍ରମ ଅଧିକାରୀ ଅମରେଶ କର, ଯୋଗାଣ ଅଧିକାରୀ ଦେବରାଜ ଭୋଇ, ବିଏସ୍ଏସ୍ଓ ଅଭୟ ଚରଣ ଦେହୁରୀ, ବିପିସି ସୁରେନ୍ଦ୍ରନାଥ ଖଣ୍ଡାଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ।
କଣ୍ଟିଆପଡ଼ା ସରପଞ୍ଚ ଲିନା ନାୟକ, ପିଇଓ, ଏଡିଓ ଓ ଅନ୍ୟ କର୍ମଚାରୀମାନେ ମଧ୍ୟ ଉପସ୍ଥିତ ରହି ଲୋକଙ୍କ ଅଭିଯୋଗର ସମାଧାନ ପାଇଁ ଆବଶ୍ୟକ ପଦକ୍ଷେପ ନେଇଥିଲେ।
‘ସେବା ସେତୁ’ ମାଧ୍ୟମରେ ସରକାରୀ ସେବାକୁ ଲୋକଙ୍କ ନିକଟରେ ପହଞ୍ଚାଇବା ସହ ବିଭିନ୍ନ ଅଭିଯୋଗର ତ୍ୱରିତ ସମାଧାନ ଉପରେ ଗୁରୁତ୍ୱ ଦିଆଯାଇଥିଲା।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।