ହୃଦ୍ଘାତରେ ଅନିତା ଆରୁଖଙ୍କ ପରଲୋକ: ଖେଳିଗଲା ଶୋକର ଛାୟା
ଭଞ୍ଜନଗର, ୫।୧ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର୍ ଆସୋସିଏସନର ବରିଷ୍ଠ ସଦସ୍ୟ ତଥା ବରିଷ୍ଠ ବିଜେଡି ନେତା ଦିବାକର ନାୟକଙ୍କ ଧର୍ମପତ୍ନୀ ଅନିତା ଆରୁଖଙ୍କ ହୃଦ୍ଘାତରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୫୨ ବର୍ଷ ହୋଇଥିଲା। ତାଙ୍କ ବିୟୋଗରେ ଭଞ୍ଜନଗର ସମେତ ସମ୍ପୃକ୍ତ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
ଅନିତା ପୂର୍ବତନ ଜିଲୁଣ୍ଡି ସରପଞ୍ଚ ତଥା ବର୍ଷୀୟାନ ରାଜନେତା ସ୍ବର୍ଗତ ଲିଙ୍ଗରାଜ ଆରୁଖଙ୍କ କନ୍ୟା ଥିଲେ। ତାଙ୍କ ଭାଇ ରଞ୍ଜିତ ଆରୁଖ ବର୍ତ୍ତମାନ ଭଞ୍ଜନଗର ବ୍ଲକ ଅନ୍ତର୍ଗତ ଜିଲୁଣ୍ଡି ପଞ୍ଚାୟତର ସରପଞ୍ଚ ଭାବେ କାର୍ଯ୍ୟରତ ଅଛନ୍ତି। ଅନିତା ଜଣେ ପରୋପକାରୀ ଓ ମେଳାପୀ ମହିଳା ଭାବେ ପରିଚିତ ଥିଲେ।
ସୂଚନା ଅନୁଯାୟୀ, ଦିବାକର ନାୟକ ନିଜ ପରିବାର ସହ ଭଞ୍ଜନଗର ନିକଟସ୍ଥ ଅଗଝୋଳ ଛକରେ ରହୁଥିଲେ। ସ୍ବାମୀ-ସ୍ତ୍ରୀ ଖାଇବା ପରେ ଶୋଇଥିଲେ। ରାତି ପ୍ରାୟ ୩ଟା ସମୟରେ ଅନିତା ହୃଦ୍ଘାତର ଶିକାର ହୋଇଥିଲେ। ଦିବାକର ଏନେଇ ଜାଣିବା ପରେ ତାଙ୍କ ଶଳା ରଞ୍ଜିତଙ୍କୁ ଡାକି ଅନିତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ଭଞ୍ଜନଗର ଡାକ୍ତରଖାନାକୁ ଆଣିଥିଲେ। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପରେ ଅନିତାଙ୍କ ମରଶରୀରକୁ ନୟାଗଡ଼ ଜିଲା ଓଡ଼ଗାଁ ବ୍ଲକ ଅନ୍ତର୍ଗତ ଶ୍ୱଶୁର ଗ୍ରାମ ରୋହିବାଙ୍କକୁ ନିଆଯାଇଥିଲା। ସେଠାରେ ସୋମବାର ଅପରାହ୍ନରେ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ଉପସ୍ଥିତିରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା। ଏହି ସମୟରେ ଭଞ୍ଜନଗର ବାର୍ ଆସୋସିଏସନର ଅନେକ କର୍ମକର୍ତ୍ତା ମଧ୍ୟ ଉପସ୍ଥିତ ଥିଲେ।
ଅନିତାଙ୍କ ବିୟୋଗରେ ପୂର୍ବତନ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକଙ୍କ ସମେତ ବହୁ ବରିଷ୍ଠ ବ୍ୟକ୍ତି ଗଭୀର ଶୋକବ୍ୟକ୍ତ କରିଛନ୍ତି। ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସେମାନେ ସମବେଦନା ଜଣାଇବା ସହ ମୃତ ଆତ୍ମାର ସଦ୍ଗତି କାମନା କରିଛନ୍ତି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।